fbpx

ଗଠନ ହେବ ଜେଟିଏଫ୍: ସତ୍ୟପାଠ ଦାଖଲ କଲେ ଡିଜିପି, ଟିମ୍ ରେ ରହିବେ ପୋଲିସ, ବନବିଭାଗ

କଟକ,(ଭାସ୍କର ନ୍ୟୁଜ୍): ରାଜ୍ୟରେ ସଙ୍କଟରେ ପଡ଼ିଛନ୍ତି ଗଜରାଜ । କେତେବେଳେ ଟ୍ରେନ୍ ଧକ୍କା ତ ପୁଣି ଆଉ କେତେବେଳେ ବିଦ୍ୟୁତସଂସ୍ପର୍ଶରେ ଆସି ଯାଉଛି ହାତୀଙ୍କ ଜୀବନ । ସେହିପରି ଶିକାରୀ ଗୁଳି କିମ୍ବା ବିଷକ୍ରିୟାରେ ସେମାନଙ୍କ ମୃତ୍ୟୁ ଘଟୁଛି । ଲଗାତାର ହାତୀ ମୃତ୍ୟୁକୁ ନେଇ ବିଭିନ୍ନ ମହଲରେ ଗଭୀର ଉଦ୍ବେଗ ପ୍ରକାଶ ପାଉଛି । ତେବେ ନିକଟରେ କଟକ ଜିଲ୍ଲା ନରସିଂହପୁର ବନାଞ୍ଚଳରେ ମାଟି ତଳୁ ୪ରୁ ଊଦ୍ଧ୍ୱର୍ ହାତୀଙ୍କ କଙ୍କାଳ ଠାବ ହେବା ପରେ ଏନେଇ ତନାଘନା ଆରମ୍ଭ ହେବା ସହ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ କରାଯାଇଥିଲା ।

ଗୁରୁବାର ଏହାର ଶୁଣାଣି ସମୟରେ ହାତୀ ମୃତ୍ୟୁ ରୋକିବା ପାଇଁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଏକ ସତ୍ୟପାଠ ଦାଖଲ କରିଛନ୍ତି । ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟରେ ହାତୀ ମୃତ୍ୟୁ ରୋକିବା ପାଇଁ ଜଏଣ୍ଟ ଟାସ୍କ ଫୋର୍ସ (ଜେଟିଏଫ୍) ଗଠନ କରାଯିବ। ଏଥିରେ ଉଭୟ ପୋଲିସ ଓ ବନବିଭାଗର କର୍ମଚାରୀ ଦାୟିତ୍ୱରେ ରହିବେ । ଏହି ଜେଟିଏଫ୍ ହାତୀମୃତ୍ୟୁ ଓ ବନ୍ୟପ୍ରାଣୀ ଚାଲାଣ ରୋକିବା ପାଇଁ କାର୍ଯ୍ୟ କରିବେ । ସେହିପରି ହାତୀ ମୃତ୍ୟୁ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ତଥ୍ୟ ରଖିବେ ଏଜି । ଏନେଇ ହାଇକୋର୍ଟ ଗୁରୁବାର ଶୁଣାଣି ସମୟରେ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀମୃତ୍ୟୁ ଘଟିବାରେ ଲାଗିଛି । ଶିକାରୀମାନେ ଗୁଳି କରି ହାତୀ ଶିକାର କରି ଦାନ୍ତ କାଟି ନେଉଥିବାବେଳେ ଏଥିରେ ବନବିଭାଗ କର୍ମଚାରୀ ଓ ଅଧିକାରୀଙ୍କ ହାତ ରହୁଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି । କେତେବେଳେ ଗୁଳି ଖାଇ ହାତୀ ପୋଖରୀରେ ପଡ଼ି ମୃତ୍ୟୁବରଣ କରୁଛି ତ ଆଉ କେତେବେଳେ ଗୁଳି ଖାଇ ଜଙ୍ଗଲ ଭିତରେ ଚିକିତ୍ସା ଅଭାବରୁ ମୃତ୍ୟୁବରଣ କରୁଛି । ତେଣୁ ଏହାର ନିରାକରଣ ପାଇଁ ହାଇକୋର୍ଟରେ ରୁଜୁ ହୋଇଥିବା ଜନସ୍ୱାର୍ଥ ମାମଲା ଉପରେ ଶୁଣାଣି କରାଯାଇଥିଲା । ଆସନ୍ତା ୨୬ ତାରିଖରେ ଏହାର ପରବର୍ତ୍ତୀ ଶୁଣାଣି ଦିନ ଧାର୍ଯ୍ୟ କରାଯାଇଛି ।

Get real time updates directly on you device, subscribe now.