fbpx

ଇତିହାସ ସୃଷ୍ଟି କଲା ଜିମ୍ବାୱେ, ପ୍ରଥମ ଥର ପାଇଁ ନିଜ ମାଟିରେ ଅଷ୍ଟ୍ରେଲିଆକୁ ଧୁଳି ଚଟାଇଲା

ନୂଆଦିଲ୍ଲୀ: ଜିମ୍ବାୱେ କ୍ରିକେଟ୍ ପାଇଁ ଆଜି ଏକ ଐତିହାସିକ ଦିନ। ରେଜିସ୍ ଚକବାବାଙ୍କ ନେତୃତ୍ୱରେ ଜିମ୍ବାୱେ ଦଳ ନିଜ ମାଟିରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍‌ର ଶେଷ ମୁକାବିଲା ଶନିବାର ଟାଉନ୍ସଭିଲର ଟନି ଆୟର୍ଲାଣ୍ଡ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଜିମ୍ବାୱେ ପ୍ରଥମେ ବୋଲିଂ କରି ଅଷ୍ଟ୍ରେଲିଆକୁ ୧୪୧ରନ୍‌ରେ ଅଲଆଉଟ୍ କରି ଦେଇଥିଲା। ଏହାପରେ ଜିମ୍ବାୱେ ଦଳ ୧୧ ଓଭର ଏବଂ ତିନୋଟି ବଲ୍ ବାକି ଥାଇ ବିଜୟ ଲକ୍ଷ ହାସଲ କରି ନେଇଥିଲା। ତେବେ ଏହି ସିରିଜ୍ ଜିମ୍ବାୱେକୁ ୨-୧ରେ ହାରିବାକୁ ପଡିଛି।

ରେଜିସ୍ ଚକବାବା ଏହି ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ। ଜିମ୍ବାୱେ ବୋଲରମାନେ ଆରମ୍ଭରୁ ଘାତକ ବୋଲିଂ କରି ଅଧିନାୟଙ୍କ ନିଷ୍ପତିକୁ ଠିକ୍ ସାବ୍ୟସ୍ତ କରିଥିଲେ। ୧୦ ଓଭର ମଧ୍ୟରେ ଅଷ୍ଟ୍ରେଲିଆର ଅଧିନାୟିକ ଅରୋନ ଫିଞ୍ଚ, ଷ୍ଟିଭ୍ ସ୍ମିଥ୍ ଏବଂ ଆଲେକ୍ସ କେରୀ ପ୍ୟାଭିଲିୟନ ଫେରି ଯାଇଥିଲେ। ତେବେ ଅନ୍ୟପଟରେ ଡେଭିଡ୍ ୱାର୍ଣ୍ଣର ଜମି ରହିଥିଲେ। ସେ ୯୬ବଲ୍ ଖେଳି ୧୪ ଚୋକା ଏବଂ ୨ ଛକ୍କା ସହିତ ଲଢୁଆ ୯୪ରନ୍‌ର ପାଳି ଖେଳିଥିଲେ। ୱାର୍ଣ୍ଣରଙ୍କ ବ୍ୟତୀତ ଗ୍ଲେନ୍ ମ୍ୟାକ୍ସୱେଲ ୨୨ ରନ୍ ସଂଗ୍ରହ କରିଥିଲେ। ଦଳର ଅନ୍ୟ ୯ଜଣ ଖେଳାଳି ଦୁଇ ଅଙ୍କ ମଧ୍ୟ ଛୁଇଁ ପାରି ନଥିଲେ। ଜିମ୍ବାୱେ ପାଇଁ ରିଆନ୍ ବୁର୍ଲି ୫ ୱିକେଟ୍ ନେଇଥିଲେ।

୧୪୨ ରନ୍‌ର ଟାର୍ଗେଟକୁ ପିଛା କରି ଜିମ୍ବାୱେ ଦଳ ପ୍ରଥମ ୱିକେଟ୍‌ରେ ୩୮ ରନ୍ ଯୋଡିଥିଲେ। ଓପନର ଟକୁଡଜୱାନେସ୍ କୌଟାନୋ (୧୯) ଏବଂ ତାଡିୱାନେସ୍ ମାରୁମାନି (୩୫) ଙ୍କ ଭଲ ଆରମ୍ଭ କରିଥିଲେ। ଏହି ଦୁଇ ବ୍ୟାଟ୍ସମ୍ୟଅନ୍ ଆଉଟ୍ ହେବା ପରେ ଜିମ୍ବାୱେର ଇନିଂସ ଟିକେ ଖସି ଯାଇଥିଲା କାରଣ ସିନ ୱିଲିୟମ୍ସ ଏବଂ ସିକନ୍ଦର ରଜାଙ୍କ ଭଳି ଖେଳାଳି ଖୁବ୍‌ଶିଘ୍ର ପ୍ୟାଭିଲିୟନକୁ ଫେରିଥିଲେ। କିନ୍ତୁ ଶେଷରେ ଚକବାବା ଦଳକୁ ବିଜୟ ଦେବା ପାଇଁ ୭୨ ବଲରେ ୩୭ ରନର ଅପରାଜିତ ଅଧିନାୟକ ଇନିଂସ ଖେଳିଥିଲେ। ଜୋଶ ହାଜଲେଉଡ୍ ଅଷ୍ଟ୍ରେଲିଆ ପାଇଁ ତିନୋଟି ୱିକେଟ୍ ନେଇଥିଲେ।

Get real time updates directly on you device, subscribe now.