ତିନିଗୁଣା ବୃଦ୍ଧି ପାଇବ ବିଶ୍ୱର ତାପମାତ୍ରା: ରିପୋର୍ଟରୁ ଆସିଲା ସାଙ୍ଘାତିକ ତଥ୍ୟ

ନୂଆଦିଲ୍ଲୀ: ଆଗାମୀ କିଛି ଦଶନ୍ଧି ମଧ୍ୟରେ ବିଶ୍ୱର ଅଧିକାଂଶ ଭାଗରେ ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ତିନିଗୁଣ ବୃଦ୍ଧିପାଇବ । ଫଳରେ ଜଳବାୟୁ ପରିବର୍ତ୍ତନ ଜନିତ ପରିସ୍ଥିତି ଅଧିକ ଖରାପ ହୋଇପଡ଼ିବ ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରେ କୁହାଯାଇଛି । ଏହି ଅଧ୍ୟୟନମୂଳକ ଗବେଷଣା ରିପୋର୍ଟରେ କୁହାଯାଇଛି ଯେ ସମ୍ପ୍ରତି ପୃଥିବୀର ଥଣ୍ଡା ଅଞ୍ଚଳରେ ଗ୍ରୀଷ୍ମ ଋତୁରେ ତାପମାତ୍ରା ହାରାହାରି ୩୯.୪ ଡିଗ୍ରୀ ସେଲ୍ସିୟସ ପାଖାପାଖି ପହଞ୍ଚୁଥିବାବେଳେ ଚଳିତ ଶତାବ୍ଦୀ ମଧ୍ୟଭାଗ ସୁଦ୍ଧା ତାହା ବର୍ଷରେ ୨୦ରୁ ୫୦ ଗୁଣ ଅଧିକ ଥର ଅନୁଭୂତ ହେବ ।

୨୧୦୦ ସୁଦ୍ଧା ଆମେରିକା, ଦକ୍ଷିଣ ପୂର୍ବାଞ୍ଚଳର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମଋତୁ ଦୀର୍ଘକାଳ ଅନୁଭୂତ ହେବ ବୋଲି କମ୍ୟୁନିକେସନ ଆର୍ଥ ଆଣ୍ଡ ଏନଭେରିମେଣ୍ଟ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି । ଏଥିରେ କୁହାଯାଇଛି ଯେ ତାପମାତ୍ରା ୫୧ ଡିଗ୍ରୀ ସେଲ୍ସିୟସ ପର୍ଯ୍ୟନ୍ତ ପହଞ୍ଚିବା ଆଶଙ୍କା ମଧ୍ୟ ରହିଛି, ଯାହା ସାମ୍ପ୍ରତିକ ପରିସ୍ଥିତିରେ ବିରଳ ପରିଲକ୍ଷିତ ହେଉଛି । ଭାରତ ସମେତ ବିଷୁବ ମଣ୍ଡଳରେ ଥିବା ରାଷ୍ଟ୍ରଗୁଡିକରେ ଏହି ପରିମାଣର ତାପମାତ୍ରା ବର୍ଷକରେ ସପ୍ତାହେରୁ ଚାରି ସପ୍ତାହ ପର୍ଯ୍ୟନ୍ତ ଲାଗି ରହିପାରେ । ଏହା ଜଳବାୟୁ ସନ୍ତୁଳନକୁ ବିଗାଡ଼ିବ ବୋଲି ଅନ୍ୟତମ ଗବେଷଣାକାରୀ ଲୁକାସ୍ ଜେପେଟେଲୋ କହିଛନ୍ତି ।

ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ଜଳବାୟୁ ବୈଜ୍ଞାନିକ ଥିବା ଲୁକାସ୍ କହିଛନ୍ତି, ପ୍ରତିବର୍ଷ ଏହିଭଳି ଘଟଣାର ପୁନରାବୃତ୍ତି ଘଟିବ, ଯାହା ପୂର୍ବରୁ କେବେ ପରିଲକ୍ଷିତ ହୋଇନାହିଁ । ଲୁକାସ୍ ଏବଂ ତାଙ୍କ ସହଯୋଗୀମାନେ ୧ହଜାର କମ୍ପ୍ୟୁଟର ସିମୁଲେସନକୁ ବ୍ୟବହାର କରି ତାପମାତ୍ରା ବୃଦ୍ଧି ସମ୍ପର୍କରେ ଗବେଷଣା କରିବା ପରେ ସେହି ରିପୋର୍ଟକୁ ସାର୍ବଜନୀନ କରିଛନ୍ତି । ତାପମାତ୍ରା ବୃଦ୍ଧି ଯୋଗୁ ସମୁଦ୍ରର ଜଳପତନ ବୃଦ୍ଧି ସହିତ ମଧୁର ଜଳର ଘୋର ଅଭାବ ଏବଂ ସମୁଦାୟ ପରିବେଶ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଘଟିବ ।

ସୂଚନାଯୋଗ୍ୟ ଯେ ଜଳବାୟୁ ପରିବର୍ତ୍ତନ ଫଳରେ ସମ୍ପ୍ରତି ୟୁରୋପ, ଚୀନ, ଉତ୍ତରପଶ୍ଚିମ ଉତ୍ତର ଆମେରିକା, ଭାରତ, ଦକ୍ଷିଣ-କେନ୍ଦ୍ରୀୟ ଆମେରିକା, ବ୍ରିଟେନ, କେନ୍ଦ୍ର ସାଇବେରିଆ ଏବଂ ନିୟୁ ଇଂଲଣ୍ଡ ଆଦିରେ ଭୀଷଣ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି, ଯାହା ପୂର୍ବରୁ କେବେ ଲକ୍ଷ୍ୟ କରାଯାଇନଥିଲା । ମାତ୍ରାଧିକ ତାପ ବୃଦ୍ଧି ଯୋଗୁ ତଦ୍ଜନିତ ଅସୁସ୍ଥତା ମଧ୍ୟ ବୃଦ୍ଧିପାଇବ ବୋଲି ରିପୋର୍ଟରେ ସତର୍କ କରିଦିଆଯାଇଛି ।