ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୭୦ ହଜାର ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ମିଳିପାରେ ଗୁଡ୍ ନ୍ୟୁଜ୍ । ଗତକାଲି ଠିକା କର୍ମଚାରୀ ସଂଘ ଓ ସରକାରଙ୍କ ମଧ୍ୟରେ ଏ ବିଷୟରେ ଆଲୋଚନା ହୋଇଥିଲା । ତେବେ ରାଜ୍ୟ ସରକାର ଏନେଇ ୧୫ ଦିନ ସମୟ ମାଗିଥିବା ଜଣାପଡ଼ିଛି । ଏହି ସମୟ ମଧ୍ୟରେ ସରକାର ଦାବି ପୂରଣ ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଦଶହରା ପୂର୍ବରୁ ଚୁକ୍ତିଭିତ୍ତିକ ନିଯୁକ୍ତି ଇଚ୍ଛେଦ ହେବା ନେଇ କର୍ମଚାରୀମାନେ ଆଶାବାଦୀ ଥିବା ଜଣାପଡ଼ିଛି ।
ଗତ ରବିବାର ଦିନ ବିଧାନସଭା ସମ୍ମୁଖରେ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ସଂଘ ପକ୍ଷରୁ ବିଶାଳ ଶୋଭାଯାତ୍ରା କରାଯାଇଥିଲା । ପରେ ସରକାରଙ୍କ ପକ୍ଷରୁ ଆଲୋଚନା ପାଇଁ କୁହାଯାଇଥିଲା । ତେବେ ମହାସଂଘ ପକ୍ଷରୁ ୪୨ଟି ସରକାରୀ ବିଭାଗର ୫୦ ଜଣ କର୍ମକର୍ତ୍ତା ଆଲୋଚନାରେ ସାମିଲ ହୋଇଥିଲେ । ସରକାରୀ ସଚିବଙ୍କ ସହ କର୍ମକର୍ତ୍ତାମାନେ ପାଖାପାଖି ୧ ଘଣ୍ଟା ଧରି ଆଲୋଚନା କରିଥିଲେ ।
ତେବେ ଏନେଇ ମହାସଂଘ ସଭାପତି କହିଛନ୍ତି, ଚୁକ୍ତିଭିତ୍ତିକ ପ୍ରଥା ସମ୍ପୂର୍ଣ୍ଣ ବିଲୋପ ହିଁ ମୁଖ୍ୟ ଦାବି ଥିଲା । ଆସନ୍ତା ୨୪-୨୫ରେ ସରକାରୀ ସ୍ତରରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବ । ବୈଠକରେ ମୁଖ୍ୟ ଶାସନ ସଚିବ, ଅର୍ଥ ସଚିବ ପ୍ରମୁଖ ଉପସ୍ଥିତ ରହିବେ । ପାର୍ବଣ ପୂର୍ବରୁ କର୍ମଚାରୀଙ୍କ ଦାବି ପୂରଣ ହେବ, ନଚେତ ପୁଣି କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ।