fbpx

୨୦ ଟଙ୍କା ପାଇଁ ମୁହାଁମୁହିଁ ଆପ୍-ବିଜେପି, ରାଜନୀତିର ପସାପାଲିରେ ପେଶି ହେଉଛି ଗୋଶାଳା

ନୂଆଦିଲ୍ଲୀ: ୨୦ ଟଙ୍କା ପାଇଁ ରାଜଧାନୀ ଦିଲ୍ଲୀରେ ହନ୍ତସନ୍ତ ଗୋଶାଳା। ଏହି ୨୦ ଟଙ୍କା କିଏ ଦେବ ତାକୁ ନେଇ ମୁହାଁମୁହିଁ ଆପ୍ ଏବଂ ବିଜେପି। ରାଜନୀତି ପସାପାଲିରେ ପେଶି ହେଉଛି ଗୋମାତା। ଗୁଜରାଟ ନିର୍ବାଚନକୁ ନେଇ ପାଗଭିଡା ଆରମ୍ଭ ହୋଇ ଯାଇଛି। ବିଜେପି ଗଢରେ ବର୍ତ୍ତମାନ ଚଳଚଞ୍ଚଳ ଆମ୍ ଆଦମୀ ପାର୍ଟି। ଦଳର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାନ ଘନ ଘନ ଗୁଜରାଟ ଗସ୍ତ କରୁଛନ୍ତି। ଏହି କ୍ରମରେ ନିକଟରେ ସେ କହିଥିଲେ, ଯଦି ତାଙ୍କ ପାର୍ଟି ଗୁଜରାଟରେ ସରକାର ଗଠନ କରେ ତେବେ, ରାଜ୍ୟର ପ୍ରତ୍ୟେକ ଗୋପାଳକଙ୍କୁ ପ୍ରତି ଗାଈ ପିଛା ୪୦ ଟଙ୍କାର ଭତ୍ତା ଦିଆଯିବ, ଯେମିତି ଦିଲ୍ଲୀରେ ଦିଆଯାଉଛି। ହେଲେ ଦେଶର ରାଜଧାନୀରେ ଆପ୍ ଏବଂ ବିଜେପି ମଧ୍ୟରେ ରାଜନୈତିକ ତିକ୍ତତାରେ ପେଶି ହୋଇ ଯାଉଛି ଗୋଶାଳା। ଦୁଇ ରାଜନୈତିକ ପାର୍ଟିର ରାଜନୈତିକ ଲଢେଇ ଏବେ ଦିଲ୍ଲୀ ଗୋରୁଗାଈଙ୍କ ପାଇଁ ବିପଦ ପାଲଟିଛି।

ଆପ୍ ନେତୃତ୍ଵଧାନୀ ଦିଲ୍ଲୀର ରାଜ୍ୟ ସରକାର ଏବଂ ବିଜେପି ଶାସିତ ନଗର ନିଗମ(ଏମସିଡି) ମଧ୍ୟରେ ବାଦବିବାଦ କାରଣରୁ ସରକାରୀ କାର୍ଯ୍ୟ ପ୍ରଭାବିତ ହୋଇଛି। ବକୈୟା ଅର୍ଥ ପୈଠ ହୋଇ ପାରୁନି। କାମ ପାଇଁ ଅର୍ଥର ଅଭାବ ଦେଖିବାକୁ ମିଳିଛି। ଫଳରେ ଗୋଶାଳାର ଉପଯୁକ୍ତ ରକ୍ଷଣାବେକ୍ଷଣ କରୁଥିବା ମାଲିକଙ୍କୁ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ନିଜ କ୍ଷମତାଠୁ ଅଧିକ ଗୋଶାଳା ଚଳାଇବା ସେମାନଙ୍କ ପକ୍ଷରେ କାଠିକର ପାଠ ହୋଇଯାଇଛି। ଏମିତି ଚିତ୍ର ଉତ୍ତର ପୂର୍ବ ଦିଲ୍ଲୀର ବଓ୍ଵାନା ଏବଂ ଦକ୍ଷିଣ ପଶ୍ଚିମ ଦିଲ୍ଲୀର ସୁରେଲାରେ ସ୍ଥିତ ଦରବାର ହରେ କୃଷ୍ଣ ଗୋଶାଳାରେ ଦେଖିବାକୁ ମିଳିଛି।

ସହରର ମୋଟ୍ ଚାରି ସରକାରୀ ପଚିଚାଳିତ ଆଶ୍ରମ ମଧ୍ୟରୁ ଏହା ହେଉଛି ଦୁଇଟି ଆଶ୍ରମ। ଅନ୍ୟ ଦୁଇଟି ଗୋଶାଳା ସହରର ଉତ୍ତର-ପଶ୍ଚିମର ହରେବାଲି ଏବଂ ଦକ୍ଷିଣ-ପଶ୍ଚିମ ଅଞ୍ଚଳର ରେଓ୍ଵଲା ଖାନପୁରରେ ରହିଛି। ଗୋଶାଳର ମାଲିକ ଦିଲ୍ଲୀ ସରକାରଙ୍କଠୁ ପ୍ରତିଦିନ ଗାଈ ପିଛା ୨୦ ଟଙ୍କା ପାଉଥିଲେ। ହେଲେ ୨୦୧୮ ପରଠୁ ସେମାନଙ୍କୁ ଏହି ଅର୍ଥ ରାଶି ମିଳିବା ବନ୍ଦ ହୋଇ ଯାଇଛି।

ଏମସିଡି ସହରରେ ସ୍ଥିତ ଆଶ୍ରମରେ ଆହତ, ପରିତ୍ୟକ୍ତ କିମ୍ବା ଜନ୍ମରୁ ବିକୃତ ଗାଈର ରକ୍ଷଣା ବେକ୍ଷଣ କରି ଆସୁଛି। ତେବେ ଆପ୍ ଏବଂ ବିଜେପି ମଧ୍ୟରେ ରାଜନୈତିକ ବିବାଦ କାରଣରୁ ଫଣ୍ଡ ଅଟକି ଯାଇଛି। ଆଉ ମାଲିକଙ୍କୁ ବର୍ତ୍ତମାନ ଗୋଶାଳା ଚଳାଇବା ପାଇଁ ଅର୍ଥର ଅଭାବ ଦେଖା ଦେଇଛି। ଶ୍ରୀକୃଷ୍ଣ ଗୋଶାଳାରେ ୭୬୦୦ ଗାଈଗୋରୁଙ୍କ ଚଳାଇବାର କ୍ଷମତା ଥିବା ବେଳେ ସେଠାରେ ଅଛନ୍ତି ପାଖାପାଖି ୮୫୦୦ ଗୋରୁଗାଈ। ଦିନକୁ ଗୋଟିଏ ଗାଈ ପିଛା ପ୍ରାୟ ୧୦୩ ଟଙ୍କା ଖର୍ଚ୍ଚ ହୋଇଥାଏ। ଏହି ପରି ସବୁ ଗାଈଙ୍କ ପାଇଁ ଖର୍ଚ୍ଚ ହୁଏ ୮ ଲକ୍ଷ ଟଙ୍କା। ପୁଣି କର୍ମଚାରୀ, ହସ୍ପିଟାଲର ବିଲ୍, ଔଷଧ ଏବଂ ବିଜୁଳି ପାଇଁ ଅତିରିକ୍ତ ଖର୍ଚ୍ଚ ରହିଛି। ପୁଣି ଦିନକୁ ଦିନ ଗାଈ ସଂଖ୍ୟା ବଢିବାରେ ବି ଲାଗିଛି। ସେମାନଙ୍କର ରକ୍ଷଣାବେକ୍ଷଣ ପାଇଁ ୩୦୦ ଜଣିଆ ଦଳ ଗଠନ କରାଯାଇଛି। ଗୋଶାଳା ପାଇଁ ଦିଲ୍ଲୀ ସରକାର ଆର୍ଥିକ ସହାୟତା ଦେଇଥାନ୍ତି। ହେଲେ ଗତ ତିନି ଚାରି ବର୍ଷରୁ ଏମସିଡିର ଫଣ୍ଡ ଆସୁନାହିଁ। ଆମର ସମସ୍ତ ନିର୍ଭରତା ଏବେ ଲୋକଙ୍କ ଦାନ ଉପରେ ରହିଥିବା ମହାପ୍ରବନ୍ଧକ ବିଜେୟେନ୍ଦ୍ର ଧ୍ୟାନୀ କହିଛନ୍ତି।

ବକୈୟା ଅର୍ଥ ବିଷୟରେ ପଚାରିବାରୁ ଏମସିଡିର ପ୍ରାଣୀ ଚିକିତ୍ସକ ବିଭାଗର ନିର୍ଦ୍ଦେଶକ ଡ. ଭିକେ ସିଂହ କହିଛନ୍ତି, ସେ ଗୋଶାଳା ବିଷୟରେ କିଛି କହି ପାରିବେ ନାହିଁ। କାରଣ ଏହା ପଶୁପାଳନ ବିଭାଗର କାମ ଏବଂ ଏହା ଦିଲ୍ଲୀ ସରକାରଙ୍କ ଅଧିନରେ ରହିଛି। ଗୋଶାଳା ଦିଲ୍ଲୀ ସରକାରଙ୍କ ପ୍ରତ୍ୟେକ୍ଷ ପ୍ରଶାସନିକ ନିୟନ୍ତ୍ରଣରେ ରହିଛି। ପ୍ରଶାସନ ବିରୋଧରେ ଗୋଶାଳାର ମାଲିକ ବକୈୟା ଅର୍ଥକୁ ନେଇ ମାମଲା ରୁଜୁ କରିଛନ୍ତି। ବର୍ତ୍ତମାନ ମାମଲା କୋର୍ଟରେ ବିଚାରଧୀନ ରହିଛି। ନିୟମ ଅନୁଯାୟୀ ଗୋଶାଳାର ସମସ୍ତ ଭରଣପୋଷଣ ଦିଲ୍ଲୀ ସରକାର ଦ୍ଵାରା କରାଯାଏ। ଆଉ ଏହା ଦିଲ୍ଲୀ ସରକାରଙ୍କ କର୍ତ୍ତବ୍ୟ ବୋଲି ଡ. ଭିକେ ସିଂହ କହିଛନ୍ତି।

ଏମିତି ଅଭିଯୋଗକୁ ଖଣ୍ଡନ କରି ଦିଲ୍ଲୀ ସରକାରଙ୍କ ପଶୁପାଳନ ନିର୍ଦ୍ଦେଶକ ଡ.ରାକେଶ ସିଂହ କହିଛନ୍ତି ଗୋଶାଳା ରାଜ୍ୟ ସରକାରଙ୍କ ହୋଇଥାଇପାରେ। ମାତ୍ର ଏହା ଏମସିଡି ଦ୍ଵାରା ପରିଚାଳିତ ହେଉଥିଲା। ତେଣୁ ରାଜ୍ୟ ସରକାର ଏବଂ ଏମସିଡି ଉଭୟଙ୍କୁ ଏହାର ଦାୟିତ୍ଵ ବୁଝିବା ଉଚିତ୍। ଆମେ ନିୟମିତ ଅର୍ଥ ପୈଠ କରୁଛୁ। ଆମେ ଗତ ଚାରି ପାଞ୍ଚ ବର୍ଷରେ ୮୦ କୋଟି ଟଙ୍କା ଖର୍ଚ୍ଚ କରିଛୁ। କିନ୍ତୁ ଏମସିଡି ଉପରେ ପାଖାପାଖି ୨୫ କୋଟି ଟଙ୍କା ବକୈୟା ରହିଛି।
ସେ କହିଛନ୍ତି, ଅର୍ଥ ପ୍ରଦାନ ନକରାଯିବାରୁ ଉତ୍ତର ଏସମିଡି ବିରୋଧରେ ଗୋଶାଳା ଦ୍ଵାରା କୋର୍ଟରେ କେସ୍ କରାଯାଇଛି। ମାତ୍ର ଆମକୁ କେମିତି ଏଥିରେ ପକ୍ଷଭୁକ୍ତ କରାଗଲା ବୁଝି ପାରୁନି। ମୋ ନିକଟରେ କହିବାକୁ କିଛି ନାହିଁ। ଅଭିଯୋଗ କରାଯାଉଛି ଗୋଶାଳାର ସଂପୂର୍ଣ୍ଣ ଦାୟିତ୍ଵ ଆମର। କିନ୍ତୁ ଏହା ସତ ନୁହେଁ। ଅଦାଲତର ପୂର୍ବ ଆଦେଶ ଅନୁସାରେ ଏମସିଡିକୁ ଅର୍ଥ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ମାତ୍ର ଏବେ ଏମସିଡି ନିଜ ଦାୟିତ୍ଵରୁ ପଛକୁ ହଟୁଛି।
କେମିତି ଚଳାଇବୁ ଗୋଶାଳା

ପୂର୍ବେ ଘାସ କ୍ଵିଣ୍ଟାଲ ପିଛା ୭୦ ରୁ ୧୦୦ ଟଙ୍କା ଥିଲା। ଏବେ ଏହାର ଦାମ ୧୬୦୦ରୁ ୧୮୦୦ ଟଙ୍କା ରହିଛି। ଯଦି ଆମ ପାଖରେ ପର‌୍ୟାପ୍ତ ଅର୍ଥ ନଥିବାରୁ ଆବଶ୍ୟକ ସାମଗ୍ରୀ ଉଧାରି କରିଛୁ। ଉଧାର ନେବାରୁ ସାମଗ୍ରୀର ମୂଲ୍ୟ ଅଧିକ ରହୁଥିବା କହିଛନ୍ତି ଅଧ୍ୟକ୍ଷ କୃଷ୍ଣ ଯାଦବ। ଏମିତି ସ୍ଥିତି ସୁରହେରାର ଦରବାର ହରେ କୃଷ୍ଣ ଗୋଶାଳାରେ ମଧ୍ୟ ସମାନ ସ୍ଥିତି। ଏଠାରେ ୪୦୦୦ ଗୋରୁଗାଈ ପାଳିବାର କ୍ଷମତା ଥିବା ବେଳେ ଅଛନ୍ତି ୫୦୦୦ ଗାଈ। ପ୍ରତି ଦିନ ପ୍ରତ୍ୟେକ ଗାଈ ପିଛା ୧୦୦ ଟଙ୍କା ଖର୍ଚ୍ଚ ହେଉଛି।
ସେ କହିଛନ୍ତି, ଆମେ ଆଉ କେତେ ଦିନ ଧାର କରଜରେ କାମ କରିବୁ। ତଥାପି ଅର୍ଥାଭାବ ଥିଲେ ବି କେବେ ବି ଗାଈଗୁଡିକୁ କଷ୍ଟ ଦେଇନୁ। ଆମର ଉଦ୍ଦେଶ୍ୟ ଯାହା ବି ହେଉ ପଛେ ଗାଈମାନଙ୍କୁ ସମସ୍ୟାରେ ପକାଇବୁ ନାହିଁ। ଆମେ ସେମାନଙ୍କୁ କେବେ ବି ସଡକରେ ବୁଲିବା ଏବଂ ପ୍ଲାଷ୍ଟିକ ଖାଇବା ପରି ସ୍ଥିତିରେ ଛାଡିବୁ ନାହିଁ। ଆମେ ସମାଜରୁ ଏବଂ ଲୋକଙ୍କଠୁ ଚାନ୍ଦା-ଦାନ ଆକାରରେ ଅର୍ଥ ଯୋଗାଡ ପାଇଁ ଚେଷ୍ଟା ଚଳାଇଛୁ। ଆଉ କେବେ କେବେ ନିଜ ବ୍ୟବସାୟରୁ ବି ଯୋଗଦାନ ଦେଉଛୁ।
କେମିତି ଚାଲିଛି ଗୋଶାଳା

ଚାରି ସରକାରୀ ସହାୟତା ପ୍ରାପ୍ତ ଆଶ୍ରମ ବ୍ୟତୀତ ସହରରେ ଅନେକ ଗୋଶାଳା ରହିଛି ଯାହା ସାର୍ବଜନୀନ ଧନରେ ଚାଲିଛି। ଏମିତି ଏକ ଆଶ୍ରମ ନଜଫଗଡରେ ରହିଛି, ୧୫୦ ବର୍ଷ ପୁରୁଣାର ଦିଲ୍ଲୀ ଗେଟ୍ ଗୋଶାଳା। ଏହା ସଂପୂର୍ଣ୍ଣ ରୂପେ ୧୩୦ ଗାଁ ଲୋକଙ୍କ ଦାନରେ ଚାଲୁଛି। ସରକାରୀ ଗୋଶାଳା ପରି ସେମାନେ ମଧ୍ୟ ସାର୍ବଜନୀନ ଗୋଶାଳାର ଧ୍ୟାନ ରଖିବାକୁ ଚାହାନ୍ତି। ଗୋଶାଳା ପରିଚାଳନା ପାଇଁ ଥିବା ୮୦ କର୍ମଚାରୀ, ସାମଗ୍ରୀ, ପାଣି, ବିଜୁଳି ଆଦି ପାଇଁ ଅର୍ଥାଭାବ ଥିଲେ ବି ସରକାରଙ୍କ କୌଣସି ସହାୟତାକୁ ଆଶା କରିନୁ ବୋଲି ପ୍ରବନ୍ଧକ କହିଛନ୍ତି।
ଦିଲ୍ଲୀ ଗେଟ୍ ଗୋଶାଳାରେ ମୋଟ୍ ୧୨ ହଜାରରୁ ୧୩ ହଜାର ଗାଈ ଅଛନ୍ତି। ଏଥିରୁ ୨୦୦ କ୍ଷୀର ଦେଉଥିବା ଗାଈ ଅଛନ୍ତି। ଶ୍ରୀକୃଷ୍ଣ ଗୋଶାଳାରେ ୮୦୦୦ରୁ ଅଧିକ ଗାଈ ଅଛନ୍ତି। ଏମିତିରେ ସାଧାରଣ ଲୋକ କେତେ ଦିନ ସହାୟତା କରି ଚାଲିଥିବେ ? ପୁଣି ସଡକରେ ଅବାଞ୍ଛିତ ଗୋରୁ ଗାଈଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯଦି ସରକାର ଏହାକୁ ଗମ୍ଭୀରତାର ସହ ନେବେ ନାହିଁ ଏମିତି ସ୍ଥିତିରେ କଣ କରାଯିବ ବୋଲି କୃଷ୍ଣ ଗୋଶାଳାର କୃଷ୍ଣ ଯାଦବ କହିଛନ୍ତି।

ଗୋଶାଳାକୁ ନେଇ ମୁହାଁମୁହିଁ ଆପ୍ ଏବଂ ବିଜେପି। ପରସ୍ପର ବିରୋଧରେ ଚାଲିଛି ଆରୋପ ପ୍ରତ୍ୟାରୋପ ଏବଂ ଦୋଷାରୋପ। କେହି ବି ନିଜ ଦାୟିତ୍ଵ ତୁଲାଇବାକୁ ପ୍ରସ୍ତୁତ ନଥିବା ଦେଖାଯାଉଛି। ରାଜଧାନୀ ଦିଲ୍ଲୀରେ ପ୍ରଶାସନିକ କ୍ଷମତା ହାତେଇବା ପାଇଁ ଆପ୍ ଏବଂ ବିଜେପି ମଧ୍ୟରେ ଜାରି ଲଢେଇରେ ଗୋଶାଳା ବଳି ପଡି ଯାଇଛି। ବିଶେଷ କରି ଏମସିଡିର ପୁନର୍ଗଠନ ପରେ ଏହି ସମସ୍ୟା ଅଧିକ ଘନୀଭୂତ ହୋଇଛି। କେନ୍ଦ୍ରର ବିଜେପି ଏବଂ ଦିଲ୍ଲୀର ଆପ୍ ସରକାର ନିଜ ମୁଣ୍ଡରୁ ଦୋଷ ଛଡାଇବାକୁ ବ୍ୟସ୍ତ ଥିବା ଅଧିକ ଦେଖିବାକୁ ମିଳିଛି। ଆଉ ଏହାର କଷ୍ଟ ଭୋଗିବାକୁ ପଡୁଛି ଗୋଶାଳାର ମାଲିକ ଏବଂ ଗୋରୁଗାଈଙ୍କୁ।

Get real time updates directly on you device, subscribe now.