ମହାତ୍ମା ଗାନ୍ଧୀ ବନାମ ନେତାଜୀ ସୁଭାସ: କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ସବୁଠୁ ଚର୍ଚ୍ଚିତ କାହାଣୀ…

କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ବିବାଦ ଆଜିର ନୂଆ କଥା ନୁହେଁ । ସବୁଠାରୁ ଚର୍ଚ୍ଚିତ ବିବାଦ ଥିଲା ୧୯୩୯ ମସିହାରେ । ଯେଉଁଥିରେ ମୁହାଁମୁହିଁ ହୋଇଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ନେତାଜୀ ସୁଭାସ ଚନ୍ଦ୍ର ବୋଷ୍ । ୧୯୩୮ ମସିହାରୁ ଏଥି ପାଇଁ ଭୂମି ପୂଜନ ସରିଥିଲା । ୧୯୩୮ ମସିହାରେ ନେତାଜୀ ସୁଭାସ ଚନ୍ଦ୍ର ବୋଷ କଂଗ୍ରେସର ଅଧ୍ୟକ୍ଷ ଭାବରେ ମନୋନିତ ହୋଇଥିଲେ । କିନ୍ତୁ ମହାତ୍ମା ଗାନ୍ଧୀଙ୍କଠାରୁ ଆରମ୍ଭ କରି ଅନ୍ୟ ବରିଷ୍ଠ ନେତାମାନଙ୍କର ସେ ପସନ୍ଦ ନଥିଲେ । ତେବେ ଭାରତର ଜନତା ନେତାଜୀଙ୍କ ବିଚାରକୁ ପସନ୍ଦ କରୁଥିଲେ । କାରଣ ସେ ଦେଶକୁ ସ୍ୱାଧୀନତା ଦେବାକୁ ଆପ୍ରାଣ ଚେଷ୍ଟା କରୁଥିଲେ ।

ଗାନ୍ଧିଙ୍କ ସହ ଅନ୍ୟ ନେତା ଅସନ୍ତୁଷ୍ଟ ଥିବାରୁ ୧୯୩୯ ମସିହାରେ ପୁଣିଥରେ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ସ୍ଥିର ହେଲା । ୱାକିଂ କମିଟିର ସବୁ ସଦସ୍ୟ ଚାହୁଁଥିଲେ ମୌଲାନା ଆଜାଦ କଂଗ୍ରେସର ଅଧ୍ୟକ୍ଷ ହୁଅନ୍ତୁ । କିନ୍ତୁ ମୌଲାନା ଆଜାଦ ଏମିତି ଚାହୁଁନଥିଲେ । ବାର୍ଦୋଲିରେ ୱାର୍କିଂ କମିଟିର ମିଟିଂରେ ଗାନ୍ଧୀ ମୌଲାନା ଆଜାଦଙ୍କୁ କହିଥିଲେ ଯେ, ସେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରନ୍ତୁ । କିନ୍ତୁ ଆଜାଦ ମାନି ନଥିଲେ ।

କିନ୍ତୁ କିଛି ସମୟ ପରେ ମୌଲାନା ଆଜାଦ କହିଥିଲେ ସେ ଗାନ୍ଧୀଙ୍କ ବିରୁଦ୍ଧରେ ଯାଇପାରିବେ ନାହିଁ । ସେଥିପାଇଁ ଅଧ୍ୟକ୍ଷ ହେବାକୁ ସେ ପ୍ରସ୍ତୁତ ଅଛନ୍ତି । ଏହା ସେହି ସମୟ ଥିଲା ଯେଉଁ ସମୟରେ ସିତାରମୟା ଏବଂ ସୁବାଷ ଚନ୍ଦ୍ର ବୋଷ ମଧ୍ୟ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । କିନ୍ତୁ ପଟେଲ ଚାହୁଁଥିଲେ କି ବୋଷ ଏବଂ ସିତାରମୟା ଆଜାଦଙ୍କ ନାମ ଶୁଣି ନିଜ ନାମକୁ ଅଧ୍ୟକ୍ଷ ପଦରୁ ପ୍ରତ୍ୟାହାର କରିଦେବା ପାଇଁ ।

କିନ୍ତୁ ଶେଷରେ ମୌଲାନା ଆଜାଦ ହିଁ ନିର୍ବାଚନ ଲଢ଼ିବାକୁ ମନା କରିଦେଇଥିଲେ । ଏହାପରେ ଗାନ୍ଧୀଙ୍କ ସହ ଅନ୍ୟ ନେତାଙ୍କ ପସନ୍ଦ ପଟ୍ଟାଭି ସିତାରମୟା ଅଧ୍ୟ ପଦ ପାଇଁ ନାମାଙ୍କନ ଭରିଥିଲେ । କଂଗ୍ରେସ କମିଟିର କିଛି ସଦସ୍ୟ ସୁବାସ ବୋଷଙ୍କୁ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବା ପାଇଁ କହିଥିଲେ । ଯାହାକୁ ନେଇ ସୁବାସ ବୋଷ ରାଗିଯାଇଥିଲେ । ଶେଷରେ ୧୯୩୯ ମସିହା ଜାନୁଆରୀ ୨୯ ତାରିଖରେ ଅଧ୍ୟକ୍ଷ ପଦ ପାଇଁ ଭୋଟିଂ ହୋଇଥିଲା । ଏଥିରେ ସୁବାଷ ଚନ୍ଦ୍ର ବୋଷଙ୍କୁ ୧୫୮୦ ଭୋଟ ମିଳିଥିବା ବେଳେ ସିତାରମୟାଙ୍କୁ ମିଳିଥିଲା ୧୩୭୭ ଭୋଟ । ତେଣୁ ଅଧ୍ୟକ୍ଷ ପଦରେ ଜିତାପଟ ସୁବାଷ ବୋଷଙ୍କର ହୋଇଥିଲା ।