fbpx

ଯଦି ଟୁଇଟରର ମାଲିକ ହୁଅନ୍ତି ଏଲନ ମସ୍କ, ଚାକିରିରୁ ବିଦା ହେବେ ୭୫ ପ୍ରତିଶତ କର୍ମଚାରୀ

ନୂଆଦିଲ୍ଲୀ: ଦୁନିଆର ଏକ ନମ୍ବର ଧନୀ ବ୍ୟକ୍ତି ଏଲନ ମସ୍କ ଯଦି ସାମାଜିକ ଗଣମାଧ୍ୟମ ଟୁଇଟର ମାଲିକ ହୁଅନ୍ତି ତେବେ କର୍ମଚାରୀଙ୍କ ଚିନ୍ତା ବଢିପାରେ। ଏମିତି ସ୍ଥିତିରେ ଟୁଇଟର ଅଧିକାଂଶ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯିବା ନେଇ ମସ୍କ ଯୋଜନା କରିଛନ୍ତି। ଦ ଓ୍ଵାଶିଂଟନ ପୋଷ୍ଟର ରିପୋର୍ଟରୁ ଏହା ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ମସ୍କ ନିଜର ନିବେଶକଙ୍କୁ ଜଣାଇ ଦେଇଛନ୍ତି ଯେ, ତାଙ୍କ ଯୋଜନା ଅନୁସାରେ ଟୁଇରର ୭୫୦୦ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୭୫ ପ୍ରତିଶତ କର୍ମଚାରୀଙ୍କ ଛଟେଇ କରାଯିବ।

ସାନ ଫ୍ରାନସିସ୍କୋ ସ୍ଥିତ ଟୁଇଟର ଏବଂ ମସ୍କ ଆଟର୍ଣ୍ଣି ଏଲେକ୍ସ ସ୍ପିରୋର ଅଧିକାରୀ ଏ ସଂପର୍କରେ ମୁହଁ ଖୋଲିବାକୁ ପ୍ରସ୍ତୁତ ନାହାନ୍ତି। ଅପରପକ୍ଷେ ନିଜ କର୍ମଚାରୀଙ୍କ କୌଣସି ଛଟେଇ ହେବ ନାହିଁ ବୋଲି ଟୁଇଟର ସ୍ପଷ୍ଟ କରି ସାରିଛି। ପୂର୍ବରୁ ବି ମସ୍କ ଟୁଇଟରରୁ କିଛି କର୍ମଚାରୀଙ୍କୁ ହଟାଇବା କଥା କହିଥିଲେ। ହେଲେ ଏହାର କୌଣସି ନିର୍ଦ୍ଦିଷ୍ଟ ସଂଖ୍ୟା ବିଷୟରେ କହିନଥିଲେ। ମସ୍କ କହିଛନ୍ତି, ସେ କମ୍ପାନିର ମାଲିକ ହେବା ପରେ ହିଁ କିଛି କହି ପାରିବେ। ଉଲ୍ଲେଖନୀୟ ଟୁଇଟରକୁ କିଣିବା ପାଇଁ ପ୍ରାରମ୍ଭିକ ୪୪ ବିଲିୟନ ଡଲାରର ନିଲାମ ଡାକରା ପରେ ମସ୍କ ପ୍ରକ୍ରିୟାରୁ ପଛକୁ ହଟି ଯାଇଥିଲେ।

ଚୁକ୍ତିନାମାରୁ ଓହରିବା ପଛରେ ତର୍କ ଦେଇ ମସ୍କ କହିଥିଲେ ଯେ, ଟୁଇଟର ନିଜର ପ୍ଲାଟଫର୍ମରେ ଫେକ୍ ଆକାଉଣ୍ଟକୁ ଦୁରୁପଯୋଗ ପାଇଁ ପ୍ରସ୍ତୁତ କରିଛି। ଏହା ପରେ ଟୁଇଟର ତାଙ୍କ ବିରୋଧରେ ମୋକଦ୍ଦମା ଦାୟର କରିଥିଲା। ମାମଲାର ସମାଧାନ ପାଇଁ କୋର୍ଟ ଉଭୟ ପକ୍ଷଙ୍କୁ ଅକ୍ଟୋବର ୨୮ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଯଦି ମାମଲାର ସମାଧାନ ରାସ୍ତା ନବାହାରେ ତେବେ ନଭେମ୍ବରକୁ ଶୁଣାଣି ଘୁଞ୍ଚାଯିବ ବୋଲି କୋର୍ଟ କହିଛନ୍ତି।

Get real time updates directly on you device, subscribe now.