fbpx

ଆରମ୍ଭ ହୋଇଛି ପଞ୍ଚୁକ ବତ୍ର; ୫ ଦନରେ ଏହି ସବୁ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ତିନି ଠାକୁର

ପୁରୀ : ହିନ୍ଦୁ ଧର୍ମରେ ପ୍ରତ୍ୟେକ ପୂଜା ପର୍ବର ଏକ ସତନ୍ତ୍ର ଗୁରୁତ୍ୱ ଏବଂ ମହତ୍ତ୍ୱ ରହିଥାଏ । ଯାହାକି ସେହି ପୂଜା ପର୍ବକୁ ଅନ୍ୟ ପୂଜା ତୁଳନାରେ ଭିନ୍ନ କରିଥାଏ । ଶାସ୍ତ୍ର ଅନୁସାରେ କାର୍ତ୍ତିକ ମାସକୁ ଧର୍ମ ମାସ ବୋଲି ମଧ୍ୟ କୁହାଯାଇଥାଏ । ଏହି ମାସରେ ଦାନ ଧର୍ମ କରିବା ଦ୍ୱାରା ପୂଣ୍ଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ତେବେ କାର୍ତ୍ତିକ ମାସର ପଞ୍ଚୁକ ପାଞ୍ଚଦିନ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ । ଯାହାକି ଗତକାଲି ଠାରୁ ଆରମ୍ଭ ହୋଇଯାଇଛି । ଏହି ୫ ଦନ ପ୍ରଭୁ ଶ୍ରୀ ଜଗନ୍ନାଥ ମଧ୍ୟ ବିଭିନ୍ନ ବେଶ ଧାରଣ କରିଥାନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ପାଞ୍ଚଦିନ ପ୍ରଭୁ କେଉଁ କେଉଁ ବେଶ ଧାରଣ କରିଥାନ୍ତି ।

ତେବେ ବଡ ଏକାଦଶୀ ପରଠାରୁ ପୁଣ୍ଣିମା ପର୍ଯ୍ୟନ୍ତ  ଶ୍ରୀକ୍ଷେତ୍ରରେ ପଂଚୁକ ବ୍ରତ ବା ବକ ପଞ୍ଚକ ପାଳନ କରାଯାଇଥାଏ । ଯେଉଁମାନେ କାର୍ତ୍ତିକ ମାସରେ ବ୍ରତ ପାଳନ କରି ନଥାନ୍ତି, ସେମାନେ ଏହି ପାଞ୍ଚଦିନ ବ୍ରତ କରି ମହାପୁଣ୍ୟ ଅର୍ଜନ କରିଥାନ୍ତି ।

ଲକ୍ଷ୍ମୀ ନାରାୟଣ ବେଶ: ପଞ୍ଚୁକର ପ୍ରଥମ ଦିନରେ ଅର୍ଥାତ ହରିଉତ୍ଥାପନ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁ ଲକ୍ଷ୍ମୀନାରାୟଣ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ଶ୍ରୀବିଗ୍ରହମାନଙ୍କର ଅବକାଶ ନୀତି ଶେଷ ହେବା ପରେ ମହଣ ମହଣ ସ୍ୱର୍ଣ୍ଣ ଆଭୁଷଣରେ ବିଭୁଷିତ ହୋଇ ଲକ୍ଷ୍ମୀନାରାୟଣ ଅର୍ଥାତ ଠିଆକିଆ ବେଶ ଧାରଣ କରିଥାନ୍ତି ଶ୍ରୀଜୀଉ । ସ୍ୱର୍ଣ୍ଣ ଅଳଙ୍କାର, ପୁଷ୍ପମାଲ୍ୟ, ପାଟବସ୍ତ୍ର ଇତ୍ୟାଦିରେ ପୁଷ୍ପାଳକ ସେବକମାନେ ତିନି ଠାକୁରଙ୍କୁ ଲକ୍ଷ୍ମୀନାରାୟଣ ବେଶରେ ଭୂଷିତ କରିଥାନ୍ତି । କାର୍ତ୍ତିକ ମାସରେ ମହାପ୍ରଭୁ ରାଧାଦାମୋଦର ବେଶରେ ଶ୍ରୀହସ୍ତରେ ନଳୀଭୁଜ ଧାରଣ କରୁଥିବା ବେଳେ ଲକ୍ଷ୍ମୀନାରାୟଣ ବେଶରେ ଶ୍ରୀଭୁଜ, ଶଙ୍ଖ, ଚକ୍ର, ହଳ, ମୁଷଳ ଓ ଅଧିକ ସ୍ୱର୍ଣ୍ଣ ଅଳଙ୍କାର ଧାରଣ କରିଥାନ୍ତି । କିନ୍ତୁ ମା ସୁଭଦ୍ରାଙ୍କ ବେଶରେ କିଛି ପରିବର୍ତ୍ତନ ହୋଇନଥାଏ ।

ବାଙ୍କଚୁଡ ବେଶ: ପଞ୍ଚୁକର ଦ୍ୱିତୀୟ ଦିନ ଅର୍ଥାତ୍ ଦ୍ଵାଦଶୀରେ ପ୍ରଭୁ ଶ୍ରୀ ଜଗନ୍ନାଥ ବାଙ୍କଚୁଡ ବେଶ ଧାରଣ କରିଥାନ୍ତି । ଏହି ଦିନ ତିନି ଠାକୁର ବିବିଧ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବା ସହ ଚୁଡ଼ା ମଧ୍ୟ ଧାରଣ କରିଥାନ୍ତି । ମସ୍ତକରେ ଏହି ଚୁଡା ବା ଚୁଳ ଦକ୍ଷିଣ ଦିଗକୁ ଢଳି ରହିଥାଏ। ଏଣୁ ମହାପ୍ରଭୁଙ୍କ ଏହି ବେଶକୁ ବାଙ୍କ ଚୁଡ଼ ବେଶ କୁହାଯାଏ ।

ତ୍ରିବିକ୍ରମ ବେଶ: ପଞ୍ଚୁକର ତୃତୀୟ ଦିନ ଅର୍ଥାତ ତ୍ରୟୋଦଶୀ ତିଥିରେ ମହାପ୍ରଭୁ ତ୍ରିବିକ୍ରମ ବେଶ ଧାରଣ କରିଥାନ୍ତି ଏହାକୁ ଆଡକିଆ ବେଶ ମଧ୍ୟ କୁହାଯାଇଥାଏ । ଏହି ଦିନ ପ୍ରାତଃ ସମୟରେ ଶ୍ରୀଜୀଉମାନଙ୍କର ଅବକାଶ ନିତି ଶେଷ ହେବା ପରେ ଏହି ବେଶ ଆରମ୍ଭ ହୋଇଥାଏ । ପୁଷ୍ପାଳକ ସେବକମାନେ ଏହି ବେଶ ସମ୍ପାଦନ କରିଥାନ୍ତି । ତ୍ରିବିକ୍ରମ ବେଶରେ ଜଗନ୍ନାଥ ଓ ବଳଭଦ୍ରଙ୍କ ମସ୍ତକରେ ଚୂଳ ଲଗାଯାଏ । ଚୂଳ ଦୁଇଟି ସୋଲ, କନା, ବେତ, ଜମ୍ବୁରା, କଇଁଥ ଅଠା ଇତ୍ୟାଦିରେ ନିର୍ମିତ ହୋଇଥାଏ । ଏହି ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଥାଏ । ସୁଭଦ୍ରା ଓ ଅନ୍ୟ ଦୁଇ ଠାକୁରଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଥାଏ ।

ଲକ୍ଷ୍ମୀନୃସିଂହ ବେଶ: ପଞ୍ଚୁକର ଚତୁର୍ଥ ଦିନ ଅର୍ଥାତ କାର୍ତ୍ତିକମାସ ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥିରେ ଶ୍ରୀବିଗ୍ରହମାନେ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ସଜ୍ଜିତ ହୋଇଥାନ୍ତି । ଏହି ଦିନ ଶ୍ରୀକ୍ଷେତ୍ରସ୍ଥ ଚକ୍ରନୃସିଂହଙ୍କ ନିକଟରୁ ଶ୍ରୀଜିଉଙ୍କ ପାଖକୁ ଆଜ୍ଞାମାଳ ଆସିଥାଏ । ସେବାୟତମାନେ ରତ୍ନଭଣ୍ଡାରରୁ ଆଣିଥିବା ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ତିନି ଠାକୁରଙ୍କୁ ସଜାଇଥାନ୍ତି ।ସୋଲ ଓ ଜରିରେ ଡାଳି କରାଯାଇ ସେଥିରେ ପର୍ଯ୍ୟାପ୍ତ ସଂଖ୍ୟକ ରଙ୍ଗବେରଙ୍ଗର ଫୁଲକୁ ଶ୍ରୀମସ୍ତକରେ ଲଗାଯାଏ । ଏହି ଡାଳ ମଝି ମଝିରେ ଠିଆପାଖୁଡ଼ା ଆକୃତିର ସ୍ୱର୍ଣ୍ଣକିଆ ଖଞ୍ଜାଯାଇଥାଏ । ତେବେ ଗୋପାଳ ବଲ୍ଲଭ, ବାଳଭୋଗ ଓ ସକାଳଧୁପ ଶେଷହେବା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ବେଶ ରହିଥାଏ ।

ରାଜ ରାଜେଶ୍ୱର ବେଶ: ପଞ୍ଚୁକର ଶେଷ ଦିନ ଅର୍ଥାତ କାର୍ତ୍ତିକ ପୂର୍ଣ୍ଣିମା ଦିନ କାଳିଆ ସାଆଁନ୍ତଙ୍କର ରାଜ ରାଜେଶ୍ୱର ବେଶ ବା ସୁନାବେଶ ଅନୁଷ୍ଠିତ ହୋଇଥାଏ । ଏହି ଦିନ ମହାପ୍ରଭୁ ମହଣ ମହଣ ସୁନାରେ ବିଭୂଷିତ ହୋଇଥାନ୍ତି ।

Get real time updates directly on you device, subscribe now.