ପଦ୍ମପୁର ପାଇଁ ଦାୟିତ୍ୱ ବାଣ୍ଟିଲା ବିଜେଡି,ଧାମନଗର ତ୍ରୁଟି ସୁଧାରିବା ପାଇଁ ଏହି ମନ୍ତ୍ରୀଙ୍କ ଉପରେ ଭରସା କରିଲେ ସୁପ୍ରିମୋ!
ଭୁବନେଶ୍ୱର:ଧାମନଗର ନିର୍ବାଚନ ହାରିବା ପରେ ଏବେ ସଜାଗ ହୋଇ ପଡିଛି ବିଜେଡି । ପରାଜୟ ଛିଟାକୁ ହାଲୁକା କରିବା ପାଇଁ ଏବେ ପଦ୍ମପୁରରେ ବଡ ଗେମ ପ୍ଲାନ କରୁଛି ବିଜେଡି । ଆଗକୁ ଅଛି ପଦ୍ମପୁର ଉପ ନିର୍ବାଚନ ଆଉ ଧାମନଗରେ ଯେଉଁ ଭୁଲ ପାଇଁ ଶାସନ ଦଳକୁ ପରାଜୟ ସହିବାକୁ ପଡିଥିଲା ସେହି ଭୁଲ କୁ ଆଉ ନ ଦୋହରାଇବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେଡି । ପଦ୍ମପୁର ଯୁଦ୍ଧ ଭୂମି ପାଇଁ ସେନାପତିଙ୍କୁ ଦାୟିତ୍ୱ ବାଣ୍ଟିଛି ବିଜେଡି । ବିଜେଡି ଯୁବ ବ୍ରିଗେଡଙ୍କୁ ଏଥର ଦାୟିତ୍ୱ ନଦେଇ ମନ୍ତ୍ରୀ ଟୁକୁନି ସାହୁ,ରୀତା ସାହୁ, ରୋହିତ ପୂଜାରୀଙ୍କ ଉପରେ ଆସ୍ଥା ପ୍ରକଟ କରିଛି । ଏହା ସହିତ ସମ୍ପୂର୍ଣ୍ଣ ପ୍ରଚାରର ମଙ୍ଗ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦିଆଯାଇଛି ।
ପୁରୁଖା ନେତା ମାନଙ୍କ ହାତରେ ଏଥର ସବୁ ଦାୟିତ୍ୱ ଦିଆଯାଇଛି । ନିର୍ବାଚନ ମଣ୍ଡଳୀ ପରିଚାଳନା ଦାୟିତ୍ୱ ସୁଶାନ୍ତ ସିଂହଙ୍କୁ ଦିଆଯାଇଛି । ସେହିଭଳି ୩ଟି ବ୍ଲକ ଦାୟିତ୍ୱ ୩ମନ୍ତ୍ରୀଙ୍କୁ ଦିଆଯାଇଛି ।ପଦ୍ମପୁର ବ୍ଲକ ଦାୟିତ୍ୱ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଦିଆଯାଇଥିବା ବେଳେ ପାଇକମାଳ ଦାୟିତ୍ୱ ମନ୍ତ୍ରୀ ନବ ଦାସ ଏବଂ ଝାରବନ୍ଧ ଦାୟିତ୍ୱ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ଦିଆଯାଇଛି । ସେହିଭଳି ଜୋନ ସମ୍ଭାଳିବେ ପଶ୍ଚିମ ଓଡିଶା ନେତା । ତେବେ ଧାମନଗର ଉପ ନିର୍ବାଚନ ସମୟରେ ଦଳ ଯେଉଁ ଭୁଲ କରିଥିଲା ତାହାକୁ ପୁନଃଶ୍ଚ ନ ଦୋହରେଇବା ପାଇଁ ଦଳ ଏଥର କିଛି ଭିନ୍ନ ଅଙ୍କ କଷିଛି ।
ଧାମନଗର ଉପନିର୍ବାଚନ କାହିିଁକ ହାରିଲା ବିଜେଡି: ଧାମନଗର ଉପନିର୍ବାଚନରେ ଶାସକ ଦଳ ଯେଉଁଭଳି ପରାଜୟ ଦେଖିଲା ତାହା ବାସ୍ତବରେ ସାରା ଓଡିଶାକୁ ଚକିତ କରିଛି । ୩୦ ହଜାର ଭୋଟ ବ୍ୟବଧାନରେ ଜିତିବୁ ବୋଲି ବିଜେଡିକର୍ମୀ ମାନେ ଯେଉଁ ଦୃଢ଼ ଉକ୍ତି ବାନ୍ଧୁଥିଲେ ଶେଷରେ ପରାଜୟ ବରଣ କରିବାକୁ ପଡିଛି । ତେବେ ଏହା ପଛରେ ବିଜେଡିର ଗୋଷ୍ଠୀ କନ୍ଦଳ ଅଛି ବୋଲି କଥା ଏବେ ହାଟରେ ପଡି ବାଟରେ ଗଡୁଛି । ତେବେ ଯୁବ ନେତାମାନଙ୍କ ଓଭର କନଫିଡେନ୍ସ ମଧ୍ୟ ପରାଜୟର ଏକ ମୁଖ୍ୟକାରଣ । ତେବେ ଏହି ପରାଜୟରୁ ବିଜେଡି ଏହା ନିହାତି ଭାବରେ ଶିକ୍ଷା ଲାଭ କରିଛି ଯେ ଓଡିଶାର ଭୋଟର ବୋକା ନୁହନ୍ତି । ଆଉ ଚିହ୍ନ ଦେଖି ଲୋକେ ନିଜର ମତ ଦିଅନ୍ତି ନାହିଁ ବରଂ ନେତା ଆଉ ତାଙ୍କର ଅବଦାନ ମଧ୍ୟ ବହୁତ ଆବଶ୍ୟକ । ଧାମନଗର ଉପନିର୍ବାଚନ ବେଳେ ଯେଉଁ ଭୁଲ ଶାସକ ଦଳ କରିଥିଲା ବର୍ତ୍ତମାନ ତାହାକୁ ସୁଧାରିବା ପାଇଁ ଦଳ ଏବେ ପ୍ରୟାଶ ଏକଜୁଟ କରୁଛି । ଆଉ ଆଶା ମଧ୍ୟ ରଖିିଛି ପଦ୍ମପୁର ଆସନ ବିଜୟୀ ବିଜେଡି ହେବ ବୋଲି ।
ସୂଚନାମୁତାବକପଦ୍ମପୁରରେ ଡିସେମ୍ବର ୫ରେ ହେବ ଭୋଟିଂ ବା ମତଦାନ । ଉପନିର୍ବାଚନ ପାଇଁ ନଭେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ । ନଭେମ୍ବର ୧୭ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ । ୧୮ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୧ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି । ଏହା ପରେ ଡିସେମ୍ବର ୫ରେ ହେବ ଭୋଟିଂ ଓ ଡିସେମ୍ବର ୮ ତାରିଖରେ ଆସିବ ଫଳାଫଳ । ବର୍ତ୍ତମାନର ସ୍ଥିତିକୁ ଦେଖିଲେ ପଦ୍ମପୁର ଉପନିର୍ବାଚନରେ ବିଜେଡି-ବିଜେପି ମଧ୍ୟରେ ସିଧା ଟକ୍କର ହେବ।
ପଦ୍ମପୁର ମଧ୍ୟ ବିଜେପି ହରାଇବା ଶାସକ ଦଳ ପାଇଁ କଷ୍ଟକର ପାଠ । ଏଠାରେ ବିଜେପି ର ସଙ୍ଗଠନ ମଜବୁତ ରହିଛି । ଆଉ ଧାମନଗର ହାତେଇବା ପରେ ମଧ୍ୟ ଦଳ ଏବେ ପଦ୍ମପୁର ପାଇଁ ତାର ଡାକରା ଦେଇ ଦେଲାଣି । ଦେଖିବା ବାକି ରହିଲା ଏହି ଟକ୍କର କେତେ ଜୋରଦାର ହେବ । ଆଉ କେଉଁ ଦଳ ପଦ୍ମପୁରରେ ତାର ପତିଆରା ବିସ୍ତାର କରିବାରେ ସକ୍ଷମ ହେବ ।