fbpx

ଶୀଘ୍ର ମୁକୁଳିବେ ସିଦ୍ଧୁ ? ଜାନୁଆରୀରେ ଜେଲରୁ ବାହାରି ପାରନ୍ତି

ନୂଆଦିଲ୍ଲୀ: ପାର୍କିଂକୁ ନେଇ ବିବାଦରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ମାମଲାରେ ଏକ ବର୍ଷର ଜେଲ୍ ଦଣ୍ଡ ଭୋଗୁଥିବା ନବଜୋତ ସିଂହ ସିଦ୍ଧୁ ଶୀଘ୍ର ମୁକୁଳି ପାରନ୍ତି। କୁହାଯାଉଛି ଛଅ ମାସର ଦଣ୍ଡ ଭୋଗି ସାରିଥିବା ସିଦ୍ଧୁ ଜାନୁଆରୀରେ ଜେଲରୁ ବାହାରି ପାରନ୍ତି। ପୂର୍ବତନ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ସିଦ୍ଧୁ ଜେଲରେ କ୍ଲର୍କ କାମ କରୁଛନ୍ତି। ଉଚ୍ଚତମ ନ୍ୟାୟାଳୟ ୧୯୮୮ରେ ଘଟିଥିବା ମାମଲାରେ ସିଦ୍ଧୁଙ୍କୁ ଏକ ବର୍ଷର ଜେଲ୍ ଦଣ୍ଡ ଶୁଣାଇଥିଲେ। ସେ ଚଳିତ ମେ ୨୦ରେ କୋର୍ଟରେ ଆତ୍ମ ସମର୍ପଣ କରିଥିଲେ।

ଜେଲ୍ ସୂତ୍ର ଅନୁଯାୟୀ, ଅଧିକାରୀ ସିଦ୍ଧୁଙ୍କ ବ୍ୟବହାରକୁ ନେଇ ସକରାତ୍ମକ ମତ ଦେଇଛନ୍ତି। ତେଣୁ ଅନୁମାନ କରାଯାଉଛି ଯେ, ଆସନ୍ତା ଜାନୁଆରୀରେ ସିଦ୍ଧୁ ଜେଲରୁ ମୁକ୍ତ ହୋଇ ପାରନ୍ତି। ସାଧାରଣତଃ ସରକାର ସେହି କଏଦୀଙ୍କ ଦଣ୍ଡରେ କୋହଳ କରିଥାନ୍ତି ଯେଉଁମାନେ ଜେଲରେ ଭଲ ବ୍ୟବହାର କରିଥାନ୍ତି।

ପୂର୍ବତନ କ୍ରିକେଟରଙ୍କ ମିଡିଆ ପରାମର୍ଶଦାତା ସୁରିନ୍ଦର ସିଂହ କହିଥିଲେ, ସିଦ୍ଧୁ ଜେଲରୁ ବାହାରିବା ମାତ୍ରେ ମିଶନ ୨୦୨୪ର ପ୍ରସ୍ତୁତି ଆରମ୍ଭ ହୋଇଯିବ। ପଞ୍ଜାବକୁ ବଞ୍ଚାଇବାର ଲଢେଇ ଜାରି ରହିବ। ପଞ୍ଜାବ ଏବେ ବି ଡିପ୍ରେସନରେ ରହିଛି। ରାଜ୍ୟକୁ ଏଥିରୁ ବାହାର କରିବାର ମଡେଲ୍ ଦେଇଥିଲେ ସିଦ୍ଧୁ।

ଜଣେ ଅଧିକାରୀଙ୍କ ଅନୁଯାୟୀ, ଜେଲରେ ସିଦ୍ଧୁ କୌଣସି ଆପତ୍ତିଜନକ ବ୍ୟବହାର କରିଥିବାର କୌଣସି ମାମଲା ନାହିଁ। ସେ ବହୁତ ସମୟ ଧ୍ୟାନରେ ସମୟ କଟାଉଛନ୍ତି। ଜେଲ୍ ନିୟମ ଅନୁଯାୟୀ, ଜଣେ କଏଦୀଙ୍କୁ ଜେଲରେ ଗୋଟିଏ ମାସ ବିତାଇବା ପରେ ୪ ଦିନର କୋହଳ ମିଳିଥାଏ। ଆସନ୍ତା ବର୍ଷ ଜାନୁଆରୀ ସୁଦ୍ଧା ସିଦ୍ଧୁଙ୍କୁ ଜେଲରେ ଆଠ ମାସ ୩୨ ଦିନ ହୋଇଯିବ।

ନୂତନ ପ୍ରାବଧାନ ଅନୁଯାୟୀ, ଏସପି ୩୦ ଦିନର କୋହଳ ଦେଇ ପାରିବେ। ସେହି ପରି ଡିଜିପି(ଜେଲ) ଏବଂ ଏଡିଜିପି(ଜେଲ୍) ୬୦ ଦିନର କୋହଳ ଦେଇ ପାରିବେ। କିନ୍ତୁ ଏଥିପାଇଁ ରାଜନୈତିକ ସହମତି ଆବଶ୍ୟକ। ପ୍ରଥମେ କ୍ୟାବିନେଟ୍ ଏହି କୋହଳ ଉପରେ ମୋହର ମାରିବେ। ଏହା ପରେ ଫାଇଲ୍ ରାଜ୍ୟପାଳଙ୍କ ନିକଟକୁ ଯିବ। ଯଦି ସିଦ୍ଧୁଙ୍କୁ ରିହାତି ମିଳିଯାଏ, ତେବେ ସେ ଚାରି ମାସ ପୂର୍ବରୁ ଜେଲରୁ ମୁକୁଳି ପାରିବେ।

Get real time updates directly on you device, subscribe now.