ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଂକ୍ରମଣ ଉପରମୁହାଁ ହେବାରେ ଲାଗିଛି । ବିଶ୍ୱର ୯୧ ରାଷ୍ଟ୍ର କରୋନାର ନୂଆ ଭାରିଆଣ୍ଟ ବିଏଫ.୭ କବଜାରେ ପଡ଼ି ଯାଇଛନ୍ତି । ବିଶେଷକରି ଚୀନ୍, ଜାପାନ ଓ ଦକ୍ଷିଣ କୋରିଆରେ ସଂକ୍ରମଣ ବେଲଗାମ ସ୍ଥିତିରେ ରହିଛି । ଜାପାନରେ ଦୈନିକ ସଂକ୍ରମଣ ୧ଲକ୍ଷ ୭୫ ହଜାର ଉପରେ ରହୁଥିବାବେଳେ ଦକ୍ଷିଣ କୋରିଆରେ ଏହି ସଂଖ୍ୟା ୯୮ ହଜାର ରହିଛି । ସେହିପରି ଫ୍ରାନ୍ସରେ ମଧ୍ୟ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪୩ ହଜାର ଉପରେ ରହୁଛି ।
ତେବେ ସବୁଠୁ ହାହାକାର ସ୍ଥିତି ଚୀନରେ ଦେଖା ଦେଇଛି । ବେଜିଂ, ସାଂଘାଇ ପରି ସହରଗୁଡ଼ିକରେ ଦୈନିକ ସଂକ୍ରମଣ ୫ଲକ୍ଷ ଉପରେ ରହୁଥିବାର ଚୀନର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସଂକ୍ରମିତଙ୍କ ସଂଖ୍ୟା ଏତେ ପରିମାଣର ବୃଦ୍ଧି ପାଉଛି ଯେ ହସ୍ପିଟାଲରେ ଯାଗା ତ ମିଳୁନାହିଁ, ଆକ୍ରାନ୍ତ ଚିକିତ୍ସା ସୁବିଧା ମଧ୍ୟ ପାଇପାରୁ ନାହାନ୍ତି । ରାସ୍ତାକଡ଼ରେ ଷ୍ଟୁଲ ପକାଯାଇ ରୋଗୀଙ୍କୁ ବସାଇ ସାଲାଇନ ଲଗାଯାଉଛି । ଆକ୍ରାନ୍ତମାନେ ଖୋଲା ଆକାଶତଳେ ଚିକିତ୍ସିତ ହେଉଛନ୍ତି । ବଜାର ମଝିରେ ଥିବା ଖୋଲାସ୍ଥାନରେ ମଧ୍ୟ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି ।
ଚଳିତ ସପ୍ତାହରେ ଚୀନରେ ୩ କୋଟି ୭୦ଲକ୍ଷ ଲୋକ ସଂକ୍ରମିତ ହୋଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ବିଏଫ୍.୭ ପୁରା ଚୀନକୁ କବଳିତ କରିପକାଇଛି । ଆସନ୍ତା ୩ ମାସ ମଧ୍ୟରେ ଚୀନରେ ୬୦ ପ୍ରତିଶତ ଲୋକ ସଂକ୍ରମିତ ହେବେ ବୋଲି ରିପୋର୍ଟ ପ୍ରକାଶ ପାଇଛି । ଗତ ୨୦ ଦିନ ମଧ୍ୟରେ ୨୫ କୋଟି ଲୋକ ସଂକ୍ରମିତ ହୋଇଥିବାବେଳେ ଜଣକ ପରେ ଜଣକ ଜୀବନ ଚାଲିଯାଉଛି । ଶବଗୃହରେ ମୃତଦେହ ରଖିବାକୁ ଯାଗା ନାହିଁ । କୋଭିଡ କଟକଣା ଢିଲା ହେବାପରେ ଚୀନରେ ଭୟଙ୍କର ସ୍ଥିତି ସୃଷ୍ଟି ହୋଇଛି ।
ଚୀନର ମୋଟ ଜନସଂଖ୍ୟାର ୧୭ ପ୍ରତିଶତ ଲୋକ ବର୍ତ୍ତମାନ ସୁଦ୍ଧା ସଂକ୍ରମିତ ହୋଇ ସାରିଛନ୍ତି । ଅନ୍ୟପକ୍ଷରେ ଭାରତରେ ହାର୍ଡ ଇମ୍ୟୁନିଟି ବିକଶିତ କରାଯାଇଥିବା ନେଇ ସିସିଏମବିର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ କରୋନା ଭାଇରସର ବିଏଫ.୭ ଭାରିଆଣ୍ଟ ଭାରତରେ ଚୀନ୍ ଭଳି ଗମ୍ଭୀର ସମସ୍ୟା ସୃଷ୍ଟି କରିବ ନାହିଁ । କାରଣ ଭାରତୀୟମାନେ ଉଚ୍ଚକ୍ଷମତା ସମ୍ପନ୍ନ ପ୍ରତିରୋଧକ ଶକ୍ତି ହାସଲ କରିଛନ୍ତି ।
ତେବେ କୋଭିଡ ନିୟମ ଅନୁସରଣ କରିବାର ଆବଶ୍ୟକତା ଉପରେ ଜୋର ଦେଇ ସିସିଏମବିର ନିର୍ଦ୍ଦେଶକ ବିନୟ କେ ନନ୍ଦିପୁରୀ କହିଛନ୍ତି ଯେ ପ୍ରତିରୋଧକ ଶକ୍ତିଠାରୁ ବଞ୍ଚିବାର କ୍ଷମତା ଏହି ନୂଆ ଭାରିଆଣ୍ଟରେ ରହିଛି । ଏହା ସେହି ଲୋକମାନଙ୍କୁ ସଂକ୍ରମିତ କରିପାରେ, ଯେଉଁମାନେ ଟିକା ନେଇ ସାରିଛନ୍ତି । ଏପରିକି ଯେଉଁମାନେ ଓମିକ୍ରୋନରେ ମଧ୍ୟ ସଂକ୍ରମିତ ହୋଇଛନ୍ତି ସେମାନେ ମଧ୍ୟ ଏହି ନୂତନ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ରହିଛି । ତେବେ ବର୍ତ୍ତମାନ ଭାରିଆଣ୍ଟର ସଂକ୍ରମଣ ସେତେ ଗମ୍ଭୀର ନୁହେଁ, ଯେପରି ଡେଲଟା ଭାରିଆଣ୍ଟରେ ରହିଥିଲା ।