CHARIDHAM

କଟକରୁ ମହିଳା କ୍ରିକେଟର ନିଖୋଜ; ପୋଲିସରେ ଏତେଲା ଦେଲେ କୋଚ୍,କହିଲେ…

କଟକ: କଟକରୁ ଜଣେ ମହିଳା କ୍ରିକେଟର ନିଖୋଜ ହୋଇଥିବା ଖବର ସାମ୍ନାକୁ ଆସିଛି । ତେବେ ଏହି ମହିଳା କ୍ରିକେଟର ଜଣକ ଓଡ଼ିଶା ଦଳରେ ସ୍ଥାନ ପାଇ ନଥିବାରୁ ଜାନୁଆରି ୧୧ ତାରିଖ ସକାଳେ ଘରକୁ ଯାଉଛନ୍ତି କହି ଫେରିନଥିବା ଜଣାପଡ଼ିଛି। ବର୍ତ୍ତମାନ ତାଙ୍କ ମୋବାଇଲ୍ ସୁଇଚ ଅଫ୍ ଆସୁଥିବା ବେଳେ ପରିବାର ଲୋକଙ୍କ ନିକଟରେ ଏ ସମ୍ପର୍କରେ କୌଣସି ସୂଚନା ନଥିବା ଜମାପଡିଛି । ଅନ୍ୟପକ୍ଷେ ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ କ୍ରିକେଟ ଦଳର କୋଚ କଟକ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଏହି ଭଭିଯୋଗକୁ ଆଧାର କରି ମଙ୍ଗଳାବାଗ ପୁଲିସ ମହିଳା କ୍ରିକେଟରଙ୍କ ମୋବାଇଲ୍‌ର ଶେଷ ଲୋକେସନକୁ ଠାବ କରିବାକୁ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି।

ମିଳିଥିବା ତଥ୍ୟ ଅନୁଯାୟୀ, ନିଖୋଜ ହୋଇଥିବା ମହିଳା କ୍ରିକେଟରଙ୍କ ନାମ ରାଜଶ୍ରୀ ସ୍ୱାଇ ହୋଇଥିବା ବେଳେ ତାଙ୍କ ଘର ପୁରୀ ଜିଲ୍ଲା ରାମଚଣ୍ଡୀ ଥାନା ଅଞ୍ଚଳର ବୋଲି ଜଣାପଡିଛି । ତେବେ ପୁଡୁଚେରୀରେ ଆରମ୍ଭ ହେବାକୁ ଯାଉଥିବା ବରିଷ୍ଠ ମହିଳା ଦିନିକିଆ କ୍ରିକେଟ୍‌ର ପ୍ରଥମ ତିନି ମ୍ୟାଚ୍ ପାଇଁ ବଜ୍ରକବାଟୀ ରୋଡ୍‌ ମହାବୀର ଗାଲାକ୍ସିରେ ୨୫ ଜଣ ମହିଳା ଖେଳାଳି କ୍ୟାମ୍ପ ପକାଇଥିଲେ। ଏହାପରେ ଏହି ୨୫ ଜଣିଆ ଟିମ୍ ଆସନ୍ତା ୧୫ ତାରିଖରେ ପୁଡୁଚେରୀ ଯିବାର ଯୋଜନା ମଧ୍ୟ ଥିଲା। ଏଥିପାଇଁ ଜାନୁଆରି ୧୦ ତାରିଖ, ମଙ୍ଗଳବାର ଦିନ ଓଡ଼ିଶା ଦଳର ତାଲିକା ବି ଘୋଷଣା ହୋଇଥିଲା। କିନ୍ତୁ ଏହି ତାଲିକାରୁ ରାଜଶ୍ରୀ ବାଦ୍‌ ପଡ଼ିଥିଲେ । ଯାହାଫଳରେ ସେ ଚିନ୍ତାରେ ଥିବା ବେଳେ ୧୧ ତାରିଖ ଦିନ ବାପାଙ୍କୁ ଭେଟିବାକୁ ଯାଉଥିବା କୋଚ୍‌ଙ୍କୁ କହି କେଉଁଆଡେ ଚାଲି ଯାଇଛନ୍ତି ରାଜଶ୍ରୀ ।

କିନ୍ତୁ ବର୍ତ୍ତମାନ ରାଜଶ୍ରୀଙ୍କ ଫୋନ୍ ସୁଇଚ୍ ଅଫ୍ ଥିବାବେଳେ ସେ ରହୁଥିବା ସିଡିଏ ଘରେ କିମ୍ବା ନିଜ ଘରକୁ ବି ଯାଇନଥିବା ଜଣାପଡ଼ିଛି। ତେବେ ଏହି ଘଟଣାକୁ ନେଇ ଓଡିଶା କୋଚ୍‌ ପୁଷ୍ପାଞ୍ଚଳି ସରକାର ମଙ୍ଗଳାବାଗ ଥାନାରେ ଏତଲା ଦେଇଛନ୍ତି। ଫଳରେ ପୁଲିସ ସେହି ଅଭିଯୋଗ ଆଧାରରେ ରାଜଶ୍ରୀଙ୍କୁ ଖୋଜାଖୋଜି କରୁଥିବା ମଙ୍ଗଳାବାଗ ଥାନା ଆଇଆଇସି ସୁଧାଂଶୁ ଭୂଷଣ ଜେନା ସୂଚନା ଦେଇଛନ୍ତି।