fbpx

ସଶସ୍ତ୍ର ବାହିନୀରେ ଭବିଷ୍ୟତର ରଣନୀତିକୁ ମଜଭୁତ କରିବା ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ ଅଗ୍ନିପଥ ଯୋଜନା : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବୈଷୟିକ ଜ୍ଞାନ କୌଶଳ ସମୃଦ୍ଧ ସୈନିକ ସମ୍ପର୍କ ରହିତ ଯୁଦ୍ଧ ତଥା ସାଇବର ଯୁଦ୍ଧର ଆହ୍ୱାନକୁ ଦୃଷ୍ଟିରେ ରଖି ଭାରତୀୟ ସଶସ୍ତ୍ରବାହିନୀରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଆଜି ନୂତନ ଭାବେ ଚୟନ ହୋଇଥିବା ଅଗ୍ନିବୀରମାନଙ୍କ ସହ ଆଲୋଚନାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି । ସେ କହିଛନ୍ତି, ବର୍ତ୍ତମାନର ଯୁବପିଢ଼ିଙ୍କ ମଧ୍ୟରେ ବିଶେଷ ଭାବରେ ବୈଷୟିକ ଜ୍ଞାନ କୌଶଳର ଦକ୍ଷତା ରହିଛି । ସେଥିପାଇଁ ଆଗାମୀ ସମୟରେ ସଶସ୍ତ୍ର ବାହିନୀର ଅଗ୍ନିବୀରମାନେ ଯୁଦ୍ଧକ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ ।

ଭିଡିଓ କନଫରେନ୍ସିଂ ମାଧ୍ୟମରେ ତିନି ବାହିନୀର ଅଗ୍ନିବୀରମାନଙ୍କ ପ୍ରଥମ ବ୍ୟାଚ୍‍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନୂଆ ଭାରତ, ନୂଆ ଉତ୍ସାହରେ ଭରପୁର । ସଶସ୍ତ୍ର ବାହିନୀର ଆଧୁନିକୀକରଣ ହେବା ସହ ଆତ୍ମନିର୍ଭର କରିବାକୁ ପ୍ରୟାସ କରାଯାଉଛି । ସେ କହିଛନ୍ତି, ଅଗ୍ନିପଥ ଯୋଜନା ଯୁଦ୍ଧକ୍ଷେତ୍ରରେ ଭବିଷ୍ୟତର ରଣନୀତିକୁ ମଜଭୁତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ସୈନିକମାନେ ସବୁବେଳେ ଭାରତର ଜାତୀୟ ପତାକାର ସମ୍ମାନ ରକ୍ଷା କରିଛନ୍ତି ।

ମହିଳା ସୈନିକମାନଙ୍କ ସାହସିକତା ବିଷୟରେ ସେ କହିଛନ୍ତି, ଅଗ୍ନିବୀର ମହିଳମାନେ ନୌବାହିନୀରେ ସମସ୍ତଙ୍କୁ ଗୌରବାନ୍ୱିତ କରୁଛନ୍ତି । ସେ କହିଛନ୍ତି, ତିନି ବାହିନୀରେ ମହିଳା ଅଗ୍ନିବୀରଙ୍କୁ ଦେଖିବା ପାଇଁ ସେ ଉତ୍ସାହିତ ଅଛନ୍ତି । ଆଜି ମହିଳା ସୈନିକମାନେ ସିଆଚୀନରେ ମୁତୟନ ରହିବା ସହ ଫାଇଟର ଜେଟ୍‍ ମଧ୍ୟ ଚଳାଉଛନ୍ତି । ସେ କହିଛନ୍ତି, ଅଗ୍ନିବୀରମାନେ ହିଁ ଏକବିଂଶ ଶତାବ୍ଦୀର ନେତୃତ୍ୱ ନେବେ । ସୂଚନା ଅନୁସାରେ ଦେଶର ବିଭିନ୍ନ ଭାଗରୁ ଅଗ୍ନିବୀରମାନେ ସେନାବାହିନୀରେ ଯୋଗ ଦେଇଛନ୍ତି ।

Get real time updates directly on you device, subscribe now.