fbpx

ଧନେଶ୍ୱରଙ୍କୁ ପିଟିପିଟି ମାରିଦେବା ଘଟଣା: ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା

କଟକ(ଓଡ଼ିଶା ଭାସ୍କର) : କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ହେପାଜତରେ ଜଣେ ଅଭିଯୁକ୍ତର ମୃତ୍ୟୁ ହୋଇଥିବାବେଳେ ଯଦି ଏହା ଅତ୍ୟଧିକ ଶାରୀରିକ ନିର୍ଯାତନା ଯୋଗୁଁ ହୋଇଥାଏ, ତେବେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ମୁଖ୍ୟ ବନ ସଂରକ୍ଷକ କହିଛନ୍ତି । ଏହାସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରାଯାଇଛି । ସୂଚନା ଅନୁସାରେ ବଡ଼ମ୍ବା ଥାନା ଅନ୍ତର୍ଗତ ସାତଗୋଛିଆ ଗ୍ରାମର ୫୯ ବର୍ଷିୟ ଧନେଶ୍ୱର ବେହେରାଙ୍କ ହେପାଜତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ଘଟଣାରେ ଆଠଗଡ଼ ପୋଲିସ ଆଠଗଡ଼ ବନଖଣ୍ଡର ଦୁଇ ଏ.ସି.ଏଫ୍‍., ବଡ଼ମ୍ବା ରେଞ୍ଜରଙ୍କ ସମେତ ୭ ବନ କର୍ମଚାରୀଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି । ହାତୀ ଶିକାର କରିବା ଓ ଦାନ୍ତ କାଟିବା ଅଭିଯୋଗରେ ଗତକାଲି ବଡ଼ମ୍ବା ରେଞ୍ଜର ବନକର୍ମଚାରୀମାନେ ଧନେଶ୍ୱରଙ୍କୁ ହେପାଜତକୁ ନେଇଥିଲେ । ରେଞ୍ଜର ସୁବ୍ରତ ବେହେରାଙ୍କ ହେପାଜତରେ ରଖି ଧନେଶ୍ୱରଙ୍କୁ ପଚରାଉଚରା କରାଯାଉଥିଲା । ତେବେ ଆଜି ଭୋର୍‍ରୁ ସନ୍ଦେହଜନକ ଭାବେ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।

ଏହି ମାମଲାରେ ଧନେଶ୍ୱରଙ୍କୁ ବନ କର୍ମଚାରୀମାନେ ପିଟି ପିଟି ମାରି ଦେଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାର ପ୍ରତିବାଦରେ ଗାଁ ଲୋକେ ୬୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । ତେବେ ପି.ସି.ସି.ଏଫ୍‍.ଙ୍କ ପ୍ରତିଶ୍ରୁତି ପରେ ସେମାନେ ଧାରଣା ପ୍ରତ୍ୟାହୃତ କରିଥିଲେ । ତେବେ ଏହି ଘଟଣାର ତଦନ୍ତ ପାଇଁ ଜଣେ ଅଧିକାରୀଙ୍କୁ ଆଠଗଡ଼ ପଠାଯାଇଥିବା ସୂଚନା ମିଳିଛି । ସେ ଆଜି ସନ୍ଧ୍ୟାସୁଦ୍ଧା ରିପୋର୍ଟ ଦେବେ । ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ବନବିଭାଗ କଟକ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏ ସମ୍ପର୍କରେ ଜଣାପଡ଼ିବ ବୋଲି ପି.ସି.ସି.ଏଫ୍‍. କହିଛନ୍ତି ।

Get real time updates directly on you device, subscribe now.