fbpx

ଐତିହାସିକ ସ୍ଥାନ ଓ ସହରର ନାମ ପରିବର୍ତ୍ତନ ଆବେଦନକୁ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ : ଦେଶର ଧାର୍ମିକ ସ୍ଥାନ, ପ୍ରତ୍ନତାତ୍ତ୍ୱିକ ସ୍ଥାନ ଏବଂ ଗୁରୁତ୍ୱପୂର୍ଣ୍ଣ ସ୍ମାରକୀଗୁଡ଼ିକର ନାମ ବଦଳାଇବା ଦାବିକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ନାମ ପରିବର୍ତ୍ତନ ଦାବି କରି କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା ଯାହାକୁ ପ୍ରତ୍ୟାଖ୍ୟାନ କରାଯାଇଛି । ସୋମବାର ଦିନ ସୁପ୍ରିମକୋର୍ଟ ବିଜେପି ନେତା ତଥା ପରାମର୍ଶଦାତା ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କ ଦ୍ୱାରା ଆଣିଥିବା ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ) ମାମଲାକୁ ପ୍ରତ୍ୟାଖ୍ୟାନ କରି ଐତିହାସିକ ସ୍ଥାନ ତଥା ସହରର ନାମ ପରିବର୍ତ୍ତନ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି ।

ଜଷ୍ଟିସ୍ କେ.ଏମ ଜୋସେଫ ଏବଂ ବି.ଭି ନାଗରଥନାଙ୍କ ଦ୍ୱାରା ଗଠିତ ଏକ ବେଞ୍ଚ ଆବେଦନକାରୀଙ୍କୁ ନିନ୍ଦା କରିବା ସହ ସମ୍ବିଧାନର ଧର୍ମନିରପେକ୍ଷ ମୂଳଦୁଆକୁ ଉଲ୍ଲଂଘନ କରଯାଇଛି ବୋଲି କୁହାଯାଇଛି । ଓକିଲ ଅଶ୍ୱିନୀ ଉପାଧ୍ୟାୟଙ୍କ ଆବେଦନ ଉପରେ ଜଷ୍ଟିସ କେ.ଏମ ଜୋସେଫ ଏବଂ ବି.ଭି ନାଗରାଥନା କହିଛନ୍ତି ଯେ ଏହା ଦେଶରେ ଅଶାନ୍ତି ସୃଷ୍ଟି କରିବ ଏବଂ ବିବାଦୀୟ ପ୍ରସଙ୍ଗ ସବୁଦିନ ପାଇଁ ଜୀବନ୍ତ ରହିବ। ବେଞ୍ଚ କହିଛନ୍ତି ଯେ, ଏହା ସତ୍ୟ ଯେ ଆମ ଦେଶ ଉପରେ ଆକ୍ରମଣ ହୋଇଥିଲା ଏବଂ ବିଦେଶୀ ବାହିନୀ ହାତରେ ଶକ୍ତି ରହିଥିଲା। କିନ୍ତୁ ଆମେ ଇତିହାସର କେବଳ ଗୋଟିଏ ଅଂଶ ପଢିପାରିବା ନାହିଁ, ଏହାକୁ ସମସ୍ତ ଦୃଷ୍ଟି କୋଣରୁ ପଢିବାକୁ ହେବ । ଏହା ସହିତ ବେଞ୍ଚ କହିଛନ୍ତି ଯେ ଆମ ଦେଶ ଧର୍ମନିରପେକ୍ଷ ଏବଂ ହିନ୍ଦୁ ଧର୍ମ ଏକ ଜୀବନଶୈଳୀ, ଯେଉଁଥିରେ ସମସ୍ତେ ନିଜେ ଅନ୍ତର୍ଭୁକ୍ତ। ବିଚାରପତିମାନେ ଆହୁରି କହିଛନ୍ତି ଯେ ଦେଶର ଇତିହାସ ଏପରି ଭାବରେ ଦେଖାଯିବା ଉଚିତ ନୁହେଁ ଯେ ଏହା ବର୍ତ୍ତମାନ ଏବଂ ଭବିଷ୍ୟତ ପିଢୀକୁ ଭୟଭୀତ କରିବ ।

ସୂଚନାଯୋଗ୍ୟ, ଏହି ମାସ ଆରମ୍ଭରେ ଉପାଧ୍ୟାୟ ଏକ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ଏଥିରେ ସେ ‘ନାମ ପରିବର୍ତ୍ତନ ଆୟୋଗ’ ଗଠନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବା ଉଚିତ ବୋଲି ଦାବି କରିଥିଲେ । ଉପାଧ୍ୟାୟ କହିଛନ୍ତି ଯେ ଏହି ସ୍ଥାନ, ସ୍ମାରକୀ ଏବଂ ସହରଗୁଡିକର ନାମ ଏହି ଆୟୋଗ ମାଧ୍ୟମରେ ପରିବର୍ତ୍ତନ କରାଯିବା ଉଚିତ, ଯାହା ଦେଶ ଉପରେ ଆକ୍ରମଣ କରିଥିବା ବିଦେଶୀମାନେ ବଦଳାଇ ଥିଲେ। ପିଆଇଏଲ୍ରେ କୁହାଯାଇଥିଲା ଯେ, ନିକଟରେ ସରକାର ମୋଗଲ ଗାର୍ଡେନର ନାମ ଅମୃତ ଉଦୟାନରେ ପରିବର୍ତ୍ତନ କରିଛନ୍ତି। କିନ୍ତୁ ଏହା ପରେ ମଧ୍ୟ ଅନେକ ରାସ୍ତାର ନାମ ପରିବର୍ତ୍ତନ କରାଯାଇ ନାହିଁ, ଯାହା ଆକ୍ରମଣକାରୀଙ୍କ ନାମରେ ରହିଛି ।

କେବଳ ଏତିକି ନୁହେଁ, ଉପାଧ୍ୟାୟ କହିଛନ୍ତି ଯେ ଏହିପରି ଭାବରେ ସ୍ମାରକୀ ଏବଂ ସ୍ଥାନଗୁଡିକର ନାମ ଆକ୍ରମଣକାରୀଙ୍କ ନାମରେ ନାମିତ ହୋଇଛି। ଯାହା ନାଗରିକ ଭାବରେ ଆମର ସାର୍ବଭୌମତ୍ୱ ଏବଂ ନାଗରିକ ଅଧିକାର ବିରୁଦ୍ଧ ଅଟେ । କେବଳ ଏତିକି ନୁହେଁ, ପିଆଇଏଲରେ କୁହାଯାଇଥିଲା ଯେ ଗବେଷଣା କରି ସମସ୍ତ ସ୍ମାରକୀ ଏବଂ ସହରର ପୁରୁଣା ନାମ ବିଷୟରେ ସୂଚନା ପ୍ରଦାନ କରିବା ପାଇଁ କୋର୍ଟ ଏଏସଆଇକୁ ନିର୍ଦ୍ଦେଶ ଦେଉ । ଏହା ପରେ କେବଳ ସେହି ନାମଗୁଡିକ ଆଧାରରେ ନୂତନ ନାମକରଣ କରାଯିବା ଉଚିତ । ଆଜି ଦେଶ ସ୍ୱାଧୀନତାର ୭୫ ତମ ବାର୍ଷିକୀ ପାଳନ କରୁଛି, ହେଲେ ଅନେକ ସ୍ଥାନ ଆକ୍ରମଣକାରୀଙ୍କ ନାମରେ ନାମିତ ରହିଛି ।

Get real time updates directly on you device, subscribe now.