ଡ୍ରାଇଭର ସଂଘର ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ ପରେ ଟ୍ୱିଟ୍ ବ୍ୟାକ କରିଲେ ସସ୍ମିତ, କହିଲେ ବିଜେଡି କରିଲେ ବିଜେପି ଅନୁସରଣ କରିବ କି?
ଭୁବନେଶ୍ୱର: ରାଜ୍ୟରେ ଡ୍ରାଇଭର ମାନଙ୍କ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଛି । ଏହି ଆନ୍ଦୋଳନ ପାଇଁ ସାଧାରଣ ଲୋକମାନେ ହଇରାଣ ହେଉଛନ୍ତି । ଏପରିକି ଡ୍ରାଇଭର ଆଉ ପୋଲିସ କର୍ମୀ ମାନେ ମଧ୍ୟ ମୁହାଁ ମୁହିଁ ହେଇଛନ୍ତି । ଠିକ ଏତିକି ବେଳେ ବିଜେପି ଆଉ ବିଜେଡି ମଧ୍ୟରେ ଟ୍ୱିଟ ବାଣ ମରା ମରି ହେଉଥିବା ଦେଖିବାକୁ ମିଳିଛି । କେନ୍ଦ୍ରମନ୍ତ୍ରୀ ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନନିଜ ଟ୍ୱିଟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଡ୍ରାଇଭର ମାନଙ୍କର ଦାବିକୁ ଗୁରୁତ୍ୱର ସହ ନେଇ ସମାଧାନର ରାସ୍ତା ବାହାର କରିବାକୁ ଅନୁରୋଧ କରିଛନ୍ତି ।
ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ଓଡ଼ିଶାରେ ଦୁଇ ଦିନ ହେଲା ଡ୍ରାଇଭର ବନ୍ଧୁ ମାନଙ୍କର ଗୋଟିଏ ଆନ୍ଦୋଳନ ଆରମ୍ଭ ହୋଇଛି । ଯାହା ଦ୍ୱାରା ସାଧାରଣ ଲୋକଙ୍କ ଯାତାୟତ କିଛି ମାତ୍ରାରେ ବାଧା ପ୍ରାପ୍ତ ହୋଇଥିବା ଦେଖିବାକୁ ମିଳୁଛି । ମାତ୍ର ଏ ଆନ୍ଦୋଳନ ଆଜିର ନୁହେଁ ପାଖାପାଖି ବର୍ଷକ ପୂର୍ବରୁ ଆରମ୍ଭ ହୋଇଥିଲା । ସେତେବେଳେ ଡ୍ରାଇଭର ମହାସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇ ଏହି ଆନ୍ଦୋଳନ ସ୍ଥଗିତ ରହିଲା ବୋଲି ଗଣମାଧ୍ୟମରୁ ଜାଣିବାକୁ ପାଇଥିଲି । କିଛି ଦିନ ପୂର୍ବରୁ ସମାନ ଦାବିକୁ ଦୋହରାଇ ଡ୍ରାଇଭର ବନ୍ଧୁ ମାନେ ଦଣ୍ଡବତ ଯାତ୍ରା କରିଥିଲେ।
ଡ୍ରାଇଭର ବନ୍ଧୁ ମାନଙ୍କର ସମାଜରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ ରହିବ ମଧ୍ୟ । ଏମାନେ ସମାଜରେ ଅସ୍ପୁର୍ଶ୍ୟ ନୁହଁନ୍ତି । ସେମାନେ ଆମ ମାନଙ୍କ ମଧ୍ୟରୁ ଜଣେ । ତାଙ୍କ ସହ ଭଲ ଭାବେ ରାଜ୍ୟ ସରକାର ଆଲୋଚନା ନ କରି ରାସ୍ତା ବାହାର ନ କରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି, ଡ୍ରାଇଭର ବନ୍ଧୁ ମାନଙ୍କର ଦାବିକୁ ଗୁରୁତ୍ୱର ସହ ନେଇ ଆପଣଙ୍କ ଉପସ୍ଥିତିରେ ସମସ୍ତ ଡ୍ରାଇଭର ସଂଘ ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।
ତେବେ କେନ୍ଦ୍ର ମନ୍ତ୍ରୀଙ୍କ ଟ୍ୱିଟ ପରେ ଚୁପ ବସି ନାହାନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ସେ କେନ୍ଦ୍ରମନ୍ତ୍ରୀଙ୍କ ସହ ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଆପଣ ଯେଉଁ ନିୟମ ଲାଗୁ କରିବା କଥା କହୁଛନ୍ତି ପ୍ରଥମେ କୁହନ୍ତୁ ବିଜେପି ଶାସିତ କେଉଁ ରାଜ୍ୟରେ ଏହି ଭଳି ନିୟମ କାର୍ଯ୍ୟକାରୀ ହେଉଛି । ଆପଣ ମାନେ ମଧ୍ୟ କେନ୍ଦ୍ରରୁ ଏହି ମାନଙ୍କ ପାଇଁ କିଛି କରିବା ଆବଶ୍ୟକ । ଆଉ ଯଦି ବିଜେଡି ସରକାର ଏହି ଭଳି କିଛି ନିୟମ ଲାଗୁ ବା କାର୍ଯ୍ୟକାରୀ କରାଇଲେ ତେବେ ଆପଣ ଏହାକୁ ବିଜେପି ଶାସିତ ରାଜ୍ୟରେ କାର୍ଯ୍ୟକାରୀ କରାଇବେ କି? ମଧ୍ୟପ୍ରଦେଶ ଭଳି ସ୍ଥାନ ଯେଉଁଠାରୁ ଆପଣ ରାଜ୍ୟସଭା ଆସନ ଜିତିଛନ୍ତି ସେଠାରେ ଏହା କାର୍ଯ୍ୟକାରୀ କରାଇବେ କି?
ସେପଟେ ଡ୍ରାଇଭର ମାନଙ୍କ ବିବାଦ ଘନେବାରେ ଲାଗିଥିବା ବେଳେ ଏପଟେ ବିଜେପି ବିଜେଡି ମଧ୍ୟ ପରସ୍ପର ସହିତ ଟ୍ୱିଟ ଯୁଦ୍ଧ ଲଗାଇ ଚାଲିଛନ୍ତି ।