fbpx

ମନମୋହନ ସାମଲ ରାଜ୍ୟ BJPର ନୂଆ ସଭାପତି: ଓଡ଼ିଶା ପାଇଁ ଭାଜପାର ବଡ଼ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ପ୍ରତ୍ୟେକ ରାଜନୈତିକ ଦଳଗୁଡ଼ିକ ନିଜ ନିଜର ସଂଗଠନକୁ ସଜାଡ଼ିବା ଆରମ୍ଭ କରିଥିବା ବେଳେ ବିଜେପି ମଧ୍ୟ ଏ କ୍ଷେତ୍ରରେ ପଛରେ ପଡ଼ିନାହିଁ । ଗତ ୨୦୧୯ ନିର୍ବାଚନ ସମୟରେ ଏକାଧିକ କେନ୍ଦ୍ରୀୟ ନେତା ଓଡ଼ିଶାରେ ପ୍ରଚାର କରିବା ସହ ରାଜ୍ୟ ପାଇଁ ଦଳ ନୂଆ ରଣନୀତି ଆପ୍ଲାଏ କରିଥିଲା । ତେଣୁ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଦଳ ପୂର୍ବାପେକ୍ଷା ଅଧିକ ସିଟ୍ ଅକ୍ତିଆର କରିଥିଲା ।

ତେବେ ଆସନ୍ତା ନିର୍ବାଚନରେ ମଧ୍ୟ ବିଜେଡିକୁ ଟକ୍କର ଦେବାକୁ ବିଜେପି ଗୋଟି ଚାଳନା କରିବା ଆରମ୍ଭ କରିଦେଇଛି । ତେବେ ଏହା ମଧ୍ୟରେ ରାଜ୍ୟ ବିଜେପିରୁ ଆସିଛି ଏକ ବଡ଼ ଖବର । ରାଜ୍ୟ ସରକାରଙ୍କ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ହେବେ ବିଜେପିର ପରବର୍ତ୍ତୀ ରାଜ୍ୟ ସଭାପତି । ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ସ୍ଥାନରେ ଏବେ ମନମୋହନ ଏହି ଦାୟିତ୍ୱ ସମ୍ଭାଳିବେ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଏନେଇ ଘୋଷଣା କରିଛନ୍ତି । ଏ ବାବଦରେ ଦଳ ପକ୍ଷରୁ ଅଫିସିଆଲ ଭାବେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଖୁବଶୀଘ୍ର ମନମୋହନ ନୂଆ ଦାୟିତ୍ୱ ସମ୍ଭାଳିବେ ବୋଲି ଜଣାପଡ଼ିଛି ।

ମନମୋହନଙ୍କ ନେତୃତ୍ୱରେ ରାଜ୍ୟ ବିଜେପି କିପରି ସଫଳତା ହାସଲ କରୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି । ରାଜ୍ୟରେ ଶକ୍ତିଶାଳୀ ଶାସକ ବିଜେଡିକୁ ପ୍ରତ୍ୟେକ କ୍ଷେତ୍ରରେ ମୁକାବିଲା କରିବା ମନମୋହନଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହେବ । ତେବେ ଦଳର ପ୍ରତ୍ୟେକ କର୍ମୀଙ୍କୁ ନେଇ ଆଗକୁ ବଢ଼ିବା, ସମସ୍ତଙ୍କର ସହଯୋଗ ଗାମନା କରିବା, ରାଜ୍ୟରେ ବିଜେଡିର ବିକଳ୍ପ ସୃଷ୍ଟି ନେଇ ପ୍ରୟାସ କରିବା ଦିଗରେ ସେ କାର୍ଯ୍ୟ କରିବେ ବୋଲି ମନମୋହନ ନିଜ ପ୍ରତିକ୍ରିୟାରେ କହିଛନ୍ତି । ପୂର୍ବରୁ ମନମୋହନ ରାଜ୍ୟ ବିଜେପି ଦାୟିତ୍ୱ ବହନ କରିଥିବାରୁ ଏହି ନୂଆ ନିଯୁକ୍ତି ଦଳକୁ ଫାଇଦା ଦେବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.