fbpx

(Video) ଏବେ ବି ପାଣିରୁ ବାହାରୁଛି ସୁନା: ବିଲ ତଳେ କ’ଣ ସୁନା ଖଣି ରହିଛି, ଗବେଷଣା କରିବ ଭୂତତ୍ତ୍ୱ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମର ଆଖପାଖରେ ଅନେକ ସମୟରେ ଏପରି କିଛି ଅବିଶ୍ୱସନୀୟ ତଥା ବିରଳ ଘଟଣା ଦେଖିବାକୁ ମିଳିଥାଏ । ଏପରି ଘଟଣାକୁ ନିଜ ଆଖିରେ ନ ଦେଖିବା ପର୍ଯ୍ୟନ୍ତ କେହି ବିଶ୍ୱାସ କରନ୍ତି ନାହିଁ । ଗତ ସପ୍ତାହରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ରାଜ୍ୟର ବଲାଙ୍ଗିର ଜିଲ୍ଲାରେ । ନଳକୂପ ଖୋଳୁଖୋଳୁ ଏକ ସୁନା ଖଣିର ସନ୍ଧାନ ମିଳିଥିଲା । ଏହି ସୁନା ଖଣି ଖବର ଚାରିଆଡ଼େ ପ୍ରଘଟ ହେବା ପରେ ଉକ୍ତ ଅଞ୍ଚଳରେ ପୋଲିସ ଓ ସରକାରୀ ବାବୁଙ୍କ ଭିଡ଼ ଜମିବାରେ ଲାଗିଥିଲା ।

ସୂଚନା ମୁତାବକ, ଜିଲ୍ଲାର ଖପରାଖୋଲ ଥାନା ଅନ୍ତର୍ଗତ ଛାଞ୍ଚାଣବାହାଲି ଗ୍ରାମରେ ପାଇପ୍ ପାଣିରୁ ସୁନା ବାହାରୁଥିବା ନେଇ ଖବର ମିଳିଥିଲା । ଲୋକମାନେ ପାଇପ ପାଣିରେ ଗାମୁଛା ଦେଖାଇ ସେହି ପାଣିରୁ ସୁନା ଛାଣି ନେଉଥିଲେ । ବାଲିରେ ସୁନାର ଗୁଣ୍ଡ ସବୁ ମିଶି କରି ରହିଥିବା କୁହାଯାଉଥିଲା । ଗ୍ରାମର ମହମ୍ମଦ ଜାବେଦ ନାମକ ଜଣେ ବ୍ୟକ୍ତି ତାଙ୍କ ବିଲରେ ଚାଷ କରିବା ପାଇଁ ଏକ ନଳକୂପ ଖୋଳିଥିବା ବେଳେ ୨୦୦-୩୦୦ ଫୁଟ ପର୍ଯ୍ୟନ୍ତ ନଳକୂପ ଖୋଳାଯିବା ପରେ ମାଟି ମିଶା ପାଣିରୁ ସୁନା ବାହାରିଥିଲା ।

ତେବେ ବଲାଙ୍ଗିରରେ ଦେଖିବାକୁ ମିଳିଥିବା ଏହି ବିରଳ ଘଟଣା ଆଜି ବି ଜାରି ରହିଛି । ଆଜି ବି ଲୋକମାନେ ଧଳା କପଡ଼ା ମାଧ୍ୟମରେ ପାଇପ ପାଣିରୁ ସୁନା ଗୁଣ୍ଡ ସଂଗ୍ରହ କରୁଛନ୍ତି । ତେବେ ଏହି ବାଲି ମିଶା ସୁନା ଗୁଣ୍ଡ ଆସୁଛି କେଉଁଠୁ? ବିଲ ତଳେ ସତରେ କ’ଣ ସୁନା ଖଣି ରହିଛି । ପୂର୍ବରୁ ନମୂନା ସଂଗ୍ରହ କରାଯାଇ ଭୂତତ୍ତ୍ୱ ବିଭାଗକୁ ପଠାଯାଇଥିବା ବେଳେ ଏବେ ଘଟଣାସ୍ଥଳରେ ଭୂତତ୍ତ୍ୱ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ପହଞ୍ଚିଛନ୍ତି । ଏହି ବାଲି ଗୁଣ୍ଡରେ ସୁନା କି ଅନ୍ୟ ଧାତୁ ରହିଛି ତାହା ପରୀକ୍ଷା ପରେ ଜଣାପଡ଼ିବ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ଆଗକୁ ବିଲରେ ଚାଷକାର୍ଯ୍ୟ କରିପାରିବେ କି ନା ସେନେଇ ଆଶଙ୍କା ମଧ୍ୟରେ ରହିଛନ୍ତି ଜମିର ମାଲିକ ତଥା ଚାଷୀ ଜାବେଦ ।

Get real time updates directly on you device, subscribe now.