fbpx

କଂଗ୍ରେସର ମଶାଲ ଶୋଭାଯାତ୍ରାକୁ ବାଧା ଦେଲା ପୋଲିସ: ଅନେକ ସାଂସଦ ଓ ବରିଷ୍ଠ ନେତା ଅଟକ

ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ବିକ୍ଷୋଭ କରୁଥିବା କଂଗ୍ରେସ କର୍ମୀ ଓ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ୍ । ରାହୁଲ ଗାନ୍ଧିଙ୍କ ସଦସ୍ୟତା ପଦ ରଦ୍ଦ ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ମଙ୍ଗଳବାର ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ମଶାଲ ଶୋଭାଯାତ୍ରା କରିବା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ଦିଲ୍ଲୀ ପୋଲିସ୍ ବିକ୍ଷୋଭକାରୀଙ୍କୁ ସେଠାରୁ ହଟାଇବା ସହ ଅନେକ ସାଂସଦ ଓ ବରିଷ୍ଠ ନେତାଙ୍କୁ ଉଠାଇ ନେଇ ଅଟକ ରଖିଛି । ଏମାନଙ୍କ ମଧ୍ୟରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ମଧ୍ୟ ରହିଛନ୍ତି ।

ସାମ୍ନାକୁ ଆସିଥିବା ଭିଡିଓରେ କଂଗ୍ରେସ କର୍ମୀମାନେ ବିଭିନ୍ନ ପ୍ରକାରର ସରକାରୀ ବିରୋଧୀ ନାରା ଦେଉଥିବା ବେଳେ ପୁଲିସ୍ ସେମାନଙ୍କୁ ଭ୍ୟାନ ମଧ୍ୟକୁ ଭିଡି ନେଉଥିବା ଦେଖିବାକୁ ମିଳିଛି । ପୋଲିସ୍ ଲାଲକିଲ୍ଲା ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ କଂଗ୍ରେସ ନେତାମାନଙ୍କୁ ଅନୁମତି ଦେଇନଥିଲା । ଏହା ସତ୍ତେ୍ୱ ସମସ୍ତେ ଏକାଠି ହେବାରୁ ପୁଲିସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅପରାଧିକ ମାନହାନୀ ମାମଲାରେ ରାହୁଲ ଗାନ୍ଧି ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ଲୋକସଭା ସଦସ୍ୟତା ପଦ ରଦ୍ଦ କରି ଦିଆଯାଇଛି । ଏହା ବିରୋଧରେ କଂଗ୍ରେସ ଗୋଟିଏ ମାସ ଧରି ଆନ୍ଦୋଳନ କରିବ ବୋଲି ଘୋଷଣା କରିଛି ।

ଏହିକ୍ରମରେ ଲାଲକିଲ୍ଲାରେ ମଧ୍ୟ ବିକ୍ଷୋଭ କରିବାକୁ ଦଳୀୟ କର୍ମୀ ଓ ନେତା ଏକାଠି ହୋଇଥିଲେ । କିନ୍ତୁ ପୋଲିସ୍ ସେମାନଙ୍କୁ ବଳପୂର୍ବକ ଉଠାଇ ନେଇଛି । କଂଗ୍ରେସର ଦିଲ୍ଲୀ ରାଜ୍ୟ ସଭାପତି ଅନିଲ ଚୌଧୁରୀ କହିଛନ୍ତି ଯେ ଏହା ଏକଛତ୍ରବାଦୀ ଶାସନର ଦୃଶ୍ୟ । ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଲୋକମାନେ ସ୍ୱର ଉତ୍ତୋଳନ କରିପାରିବେ ନାହିଁ, ଶାନ୍ତି ପଦଯାତ୍ରା କରିପାରିବେ ନାହିଁ । ସେମାନଙ୍କୁ ରାଜଘାଟକୁ ଯିବାକୁ ଅନୁମତି ନାହିଁ, ସେମାନଙ୍କୁ ସଂସଦରେ କହିବାକୁ ଅନୁମତି ନାହିଁ । ବିରୋଧୀ କୁଆଡେ ଯିବେ?

Get real time updates directly on you device, subscribe now.