କଟକରେ ଘଟିଗଲା ବଡ଼ ଦୁର୍ଘଟଣା: ବସକୁ ଅପେକ୍ଷା କରିଥିଲେ ମାଆ-ଝିଅ, ଗାଡ଼ି ଚଢ଼ାଇଦେଲା ମଦ୍ୟପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ପରିସ୍ଥିତି ଏପରି କି ସାମାନ୍ୟ ଅସାବଧାନତା ପାଇଁ ବଡ଼ ବଡ଼ ଦୁର୍ଘଟଣା ଘଟିବା ସହିତ ଜୀବନ ମଧ୍ୟ ଚାଲିଯାଉଛି । ତେବେ ଏହା ଉପରେ ରୋକ ଲଗାଇବା ପାଇଁ ସରକାରଙ୍କ ପକ୍ଷରୁ ଅନେକ ନିୟମ କରାଯାଇଥିଲେ ହେଁ ଅଧିକାଂଶ ଲୋକ ଏହାକୁ ମାନି ନଥାନ୍ତି । ଫଳରେ ଦୋଷ ନକରି ବି ଅନେକ ଲୋକ ମୃତ୍ୟୁମୁଖରେ ପଡ଼ିଥାନ୍ତି ।

ସୂଚନା ମୁତାବକ, ଆଜି କଟକରେ ଏକ ବଡ଼ ଘଟଣା ଦେଖିବାକୁ ମିଳିଛି । ବସକୁ ଅପେକ୍ଷା କରି ଛିଡ଼ା ହୋଇଥିବା ମାଆ-ଝିଅଙ୍କ ଉପରେ ଅଚାନକ ଏକ କାର ମାଡ଼ି ଯାଇଥିଲା । ଏହି ଘଟଣାରେ ଉଭୟ ମାଆ-ଝିଅ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ଏକ ଘରୋଇ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । କଟକ ସତୀଚୌରା ଛକରେ ଏହି ଘଟଣା ଘଟିଯାଇଛି ।

ତେବେ କାର ଚାଳକ ଜଣଙ୍କ ମଦ୍ୟପାନ କରିଥିବା ଜଣାପଡ଼ିଛି । ଏହି ଦୁର୍ଘଟଣା ପରେ ସେଠାରେ ଉପସ୍ଥିତ ଜନସାଧାରଣ ମଦ୍ୟପକୁ ଧରି ନିର୍ଧୂମ ଛେଚିବା ସହିତ ପୋଲିସର ଜିମା ଦେଇଥିଲେ । ଗାଡ଼ିଟି ମା’ ଓ ଝିଅଙ୍କୁ ମଡ଼ାଇବା ପରେ ଏକ ଦୋକାନ ଭିତରକୁ ପଶି ଯାଇଥିଲା । ମଦ୍ୟପାନ କରି ଗାଡ଼ି ଚଳାଇବା ନେଇ ପରିବହନ ବିଭାଗ ପକ୍ଷରୁ ଦଣ୍ଡବିଧାନ ନିୟମ ରହିଥିଲେ ଏହାକୁ ଅଧିକାଂଶ ଗାଡ଼ି ଚାଳକ ହେୟଜ୍ଞାନ କରିଥାନ୍ତି । ଫଳରେ ଦୋଷ ନକରି ବି ଅନେକ ନିରୀହ ଜନତା ବଳି ପଡ଼ୁଛନ୍ତି ।