ବାଙ୍ଗାଲୋର: ଆଜି ସନ୍ଧ୍ୟାରେ ଆଇପିଏଲର ଏକ ହାଇ ଭୋଲ୍ଟେଜ ମ୍ୟାଚ ଦେଖିବାକୁ ମିଳିବ । ଏହି ମ୍ୟାଚରେ ମୁହାଁମୁହିଁ ହେବେ ଲିଗର ସର୍ବଶ୍ରେଷ୍ଠ ଦଳ ଚେନ୍ନାଇ ସୁପର କିଙ୍ଗସ ଏବଂ ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର । ଟିମ ଇଣ୍ଡିଆର ଦୁଇ ପୂର୍ବତନ ଅଧିନାୟକଙ୍କ ଆଜି ହେବ ଘମାଘୋଟ ଲଢେଇ । ତେବେ ଆଜିର ମ୍ୟାଚରେ ଚେନ୍ନାଇ ପାଇଁ ଡେବ୍ୟୁ କରିପାରନ୍ତି ଓଡିଆ ଖେଳାଳି ଶୁଭ୍ରାଂଶୁ ସେନାପତି ବ୍ୟାଟିଂ ବିଭାଗକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ଏହି ନିଷ୍ପତ୍ତି ନେଇ ପାରନ୍ତି କ୍ୟାପଟେନ କୁଲ ମାହି ।
ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆଜି ବାଙ୍ଗାଲୋର-ଚେନ୍ନାଇ ମଧ୍ୟରେ ଦମଦାର ମୁକାବିଲା ଆରମ୍ଭ ହେବାକୁ ଯାଉଛି । ତେବେ ଏହି ମ୍ୟାଚରେ ଧୋନୀ ଓଡିଆ ଖେଳାଳି ଶୁଭ୍ରାଂଶୁଙ୍କୁ ଦଳରେ ସୁଯୋଗ ଦେଇପାରନ୍ତି । ଏମ. ଚିଦାମ୍ବରମ୍ ଷ୍ଟାଡିୟମ ବ୍ୟାଟିଂ ପାଇଁ ଅନୁକୂଳ ହୋଇଥିବାରୁ ମାହି ନିଜ ବ୍ୟାଟିଂ ବିଭାଗକୁ ଖୁବ ଗୁରୁତ୍ୱ ଦେବେ ବୋଲି ଅନୁମାନ କରାଯାଉଛି । ତେଣୁ ସେ ଶୁଭ୍ରାଂଶୁଙ୍କୁ ଦଳରେ ସାମିଲ କରିପାରନ୍ତି । ତେବେ ସେ କାହାକୁ ରିପ୍ଲେସ କରିବେ, ତାହା ଏକ ବଡ ପ୍ରଶ୍ନ । ଚେନ୍ନାଇ ସୁପର କିଙ୍ଗସର ଷ୍ଟାର ବ୍ୟାଟର ଅମ୍ବାତି ରାୟୁଡୁ ଇମ୍ପାକ୍ଟ ପ୍ଲେୟରର ଭୂମିକାରେ ଥିବା ବେଳେ ତାଙ୍କ ବ୍ୟାଟ ଆଜି ପର୍ଯ୍ୟନ୍ତ ଶାନ୍ତ ରହିଛି । ଦଳର ଆବଶ୍ୟକତା ଅନୁସାରେ ପ୍ରଦର୍ଶନ କରିପାରି ନାହାନ୍ତି ରାୟୁଡୁ । ତେଣୁ ଆଜି ଧୋନୀଙ୍କୁ ବାଦ୍ ଦେଇପାରନ୍ତି । ଏହାବ୍ୟତୀତ ଅଲରାଉଣ୍ଡର ଶିବମ ଦୁବେ ମଧ୍ୟ ବାରମ୍ବାର ନିରାଶଜନକ ପ୍ରଦର୍ଶନ କରୁଛନ୍ତି । ଯାହା ଫଳରେ ଚେନ୍ନାଇର ମଧ୍ୟକ୍ରମ ବିଫଳ ହେଉଛି । ତେଣୁ ଏହି ସମସ୍ୟାର ସମାଧାନ ନିମନ୍ତେ କ୍ୟାପଟେନ କୁଲ ଆଜି ଶୁଭ୍ରାଂଶୁଙ୍କୁ ଡେବ୍ୟୁ କରିବାର ସୁଯୋଗ ଦେବେ ବୋଲି ଆଶା କରାଯାଉଛି ।
ତେବେ ଶୁଭ୍ରାଂଶୁ ପ୍ରାୟତଃ ଜଣେ ଇମ୍ପାକ୍ଟ ପ୍ଲେୟରର ଭୂମିକାରେ ଦଳକୁ ଆସିପାରନ୍ତି । କାରଣ ଚେନ୍ନାଇ ବୋଲିଂ ବିଭାଗରେ ମଧ୍ୟ ସଂଘର୍ଷ ଜାରି ରଖିଛି । ବେନ୍ ଷ୍ଟୋକ୍ସ, ଦୀପକ ଚହର,ସିସାନ୍ଦା ମଗାଲା ଏବଂ ସିମରଜୀତ ସିଂହ ଭଳି ବୋଲର ଆହତ ହୋଇଥିବାରୁ ଏହି ବିଭାଗରେ ଦୁର୍ବଳ ରହିଛି ସିଏସକେ । ତେବେ ଗତ ମ୍ୟାଚରେ ନିଜେ ଧୋନୀ ମଧ୍ୟ ଆହତ ହୋଇଥିଲେ । ତେଣୁ ବାଙ୍ଗାଲୋର ବିପକ୍ଷରେ ଧୋନୀ କେଉଁ ପ୍ଲାନ ଚଳାଇବେ ତାହା ଉପରେ ସମସ୍ତଙ୍କ ନଜର ।
ସମ୍ଭାବ୍ୟ ଦଳ
ରୋୟଲ ଚାଲେଞ୍ଜର୍ସ ବାଙ୍ଗାଲୋର: ଫାଫ୍ ଡୁପ୍ଲେସି(ଅଧିନାୟକ), ବିରାଟ କୋହଲି, ମହିପାଲ ଲାମରୋର, ଗ୍ଲେନ ମାକ୍ସୱେଲ, ଶହବାଜ ଅହମଦ, ଦିନେଶ କାର୍ତ୍ତିକ, ହର୍ଷଲ ପଟେଲ, ୱାନିନ୍ଦୁ ହସରଙ୍ଗା, ୱେନ ପାର୍ଣ୍ଣେଲ, ମହମ୍ମଦ ସିରାଜ, ବିଜୟ କୁମାର ବୈଶାଖ/ଅନୁଜ ରାୱତ(ଇମ୍ପାକ୍ଟ ପ୍ଲେୟର)
ଚେନ୍ନାଇ ସୁପର କିଙ୍ଗସ: ଏମ.ଏସ ଧୋନୀ(ଅଧିନାୟକ), ଋତୁରାଜ ଗାଏକ୍ୱାଡ, ଡେଭନ କନୱେ, ଅଜିଙ୍କ୍ୟା ରାହାଣେ, ମୋଇନ ଅଲୀ, ଶୁଭ୍ରାଂଶୁ ସେନାପତି, ଶିବମ ଦୁବେ, ରବିନ୍ଦ୍ର ଜାଡେଜା, ମିଚେଲ ସାଣ୍ଟନର/ମହୀଷ ତୀକ୍ଷଣା, ତୁଷାର ଦେଶପାଣ୍ଡେ, ମଥୀଷା ପଥୀରାନା