fbpx

ଓଡିଶାରେ ଆହୁରି ୪ ଦିନ ବର୍ଷିବ ନିଆଁ: ମଙ୍ଗଳବାର ୧୦ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ପ୍ରଚଣ୍ଡ ଖରା ଅସମ୍ଭାଳ ତାତିରେ ସିଝୁଛି ସାରା ଓଡିଶାର ବିଭିନ୍ନ ଜିଲ୍ଲା । ବର୍ତ୍ତମାନ ସୁଦ୍ଧା ବାରିପଦା ପ୍ରତିଦିନ ତାତିରେ ନୂଆ ରେକର୍ଡ ସୃଷ୍ଟି କରୁଛି । ଲଗାତାର ୫ ଦିନରୁ ୪୪ ଡିଗ୍ରୀ ଉପରେ ରହିଛି ବାରିପଦାର ତାପମାତ୍ରା । ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ୪ ଦିନ ପର୍ଯ୍ୟନ୍ତ ଏହି ତାପମାତ୍ରା ଆହୁରି ହନ୍ତସନ୍ତ କରିବ । ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ରାଜ୍ୟବାସୀଙ୍କ ପାଇଁ ଆହୁରି ୪ ଦିନ ଯାଏଁ କନ୍ଦାଇବ ବୋଲି ଅନୁମାନ କରାଯାଉଛି ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ । ତେବେ ଅପରାହ୍ନରେ କାଳବେଶାଖୀର ପ୍ରଭାବରେ କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । କିନ୍ତୁ ବର୍ଷାର ପରିମାଣ ସେତେଟା ଅଧିକ ରହିବ ନାହିଁ, ଯେଉଁଥିପାଇଁ ତାପମାତ୍ରାରେ ବଡ ପରିବର୍ତ୍ତନ ହୋଇନପାରେ । ତେବେ ୨୧ ତାରିଖ ପରେ ଏହି ତାପମାତ୍ରାରେ ଧିରେ ଧିରେ ହ୍ରାସ ପାଇବ ବୋଲି କୁହାଯାଇଛି । ଓଡିଶା ଉପକୂଳରେ ଏକ ଗୁରୁଚାପ ବଳୟ ରହିବ । ଏହାର ପ୍ରଭାବରେ ସାମୁଦ୍ରିକ ବାୟୁ ବା ଜଳୀୟବାଷ୍ପ ରାସା ରାଜ୍ୟକୁ ପ୍ରବେଶ କରିବ । ଏହା ଫଳରେ ବର୍ଷାର ପରିମାଣ ବଢିବା ସହ ତାପମାତ୍ରା କିଛି ମାତ୍ରାରେ ହ୍ରାସ ହୋଇପାରେ ।

ବର୍ତ୍ତମାନ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରୁ ପବନ ଓଡିଶାକୁ ପ୍ରବେଶ କରୁଥିବାରୁ ରାଜ୍ୟର ତାପମାତ୍ରାରେ ବୃଦ୍ଧି ଦେଖିବାକୁ ମିଳୁଛି । ଏହାସହିତ ଉପକୂଳରେ ଅର୍ଦ୍ରତାର ପରିମାଣ ୪୦% ରହିଛି । ଏହି କାରଣରୁ ଗରମ ସହ ଗୁଳୁଗୁଳି ରାଜ୍ୟବାସୀଙ୍କୁ ହନ୍ତସନ୍ତ କରିଛି । ତେବେ ଏହି ପରିସ୍ଥିତି ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାବ୍ୟତୀତ ମଙ୍ଗଳବାର ରାଜ୍ୟର ୧୦ଟି ଜିଲ୍ଲାରେ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

Get real time updates directly on you device, subscribe now.