BJPକୁ ବଡ଼ ଝଟକା: ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡିରେ ମିଶିଲେ ତ୍ରିନାଥ

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁପରେ ଝାରସୁଗୁଡ଼ା ବିଧାନସଭା ଆସନ ଖାଲି ପଡିଛି। ଝାରସୁଗୁଡା ଉପ ନିର୍ବାଚନ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ମଇ ୧୦ରେ ଭୋଟିଂ ହେବ, ମଇ ୧୩ ରେ ଫଳାଫଳ ପ୍ରକାଶ ପାଇବ। ଅନ୍ୟପଟେ ଝାରସୁଗୁଡା ଉପନିର୍ବାଚନ ପୂର୍ବରୁ ବିଜେଡିର ବଢୁଛି ବଳ । ଅନ୍ୟ ଦଳ ଛାଡି ଶଙ୍ଖମୁହାଁ ହେଉଛନ୍ତି ନେତା ଓ କର୍ମୀ । ଝାରସୁଗୁଡାର ଅନେକ ଅନ୍ୟ ଦଳର କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଶଙ୍ଖ ଭବନରେ ଆଜି ବିଜେପିର ସକ୍ରିୟ ନେତା ତ୍ରିନାଥ ଗୁଆଲ ବିଜେଡିରେ ସାମିଲ ହୋଇଛନ୍ତି ।

ଟଙ୍କଧର ତ୍ରିପାଠୀଙ୍କୁ ଟିକେଟ ମିଳିବା ପରେ ଅସନ୍ତୁଷ୍ଟ ଥିଲେ ତ୍ରିନାଥ । ଝାରସୁଗୁଡ଼ା ପୌର ପରିଷଦ ନିର୍ବାଚନରେ ବିଜେପିର ଅଧ୍ୟକ୍ଷ ପ୍ରାର୍ଥୀ ଥିଲେ ତ୍ରିନାଥ । ଏବେ ଝାରସୁଗୁଡ଼ା ବାର କାଉନ୍ସିଲ ସଭାପତି ଅଛନ୍ତି ତ୍ରିନାଥ । ଶଙ୍ଖ ଭବନ ଲୋକାର୍ପିତ ହେବା ପରେ ଏହା ପ୍ରଥମ ମିଶ୍ରଣ ପର୍ବ । ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି ।

ଏହି ମିଶ୍ରଣ ପର୍ବରେ ବିଜେଡିର ରାଜ୍ୟ ଉପସଭାପତି ଦେବୀପ୍ରସାଦ ମିଶ୍ର, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି, ଝାରସୁଗୁଡ଼ା ଉପରନିର୍ବାଚନ ପାଇଁ ବିଜେଡିର ପର୍ଯ୍ୟବେକ୍ଷକ ସାରଦା ନାୟକ ଉପସ୍ଥିତ ଥିଲେ । ବିଜେଡିରେ ସାମିଲ ହେବା ପରେ ତ୍ରିନାଥ କହିଛନ୍ତି ବିଜେଡିର ନୀତି ଓ ଆଦର୍ଶ ମୋତେ ଆକୃଷ୍ଟ କରିଛି । ଆଜି ମୋ ପାଇଁ ସୌଭାଗ୍ୟର ଦିନ । ଦଳ ପ୍ରତି ସମର୍ପିତ ହୋଇ କାର୍ଯ୍ୟ କରିବି । ଦଳ ଯେଉଁ ଦାୟିତ୍ୱ ଦେବ ତାକୁ ଗ୍ରହଣ କରିବି ବୋଲି ତ୍ରିନାଥ କହିଛନ୍ତି ।