fbpx

IPLର ଦ୍ୱିତୀୟ ସର୍ବାଧିକ ସ୍କୋର କଲା ସୁପର ଜିଆଣ୍ଟସ: ଧୂଆଁଦାର ବ୍ୟାଟିଂ କଲା ରାହୁଲ ସେନା

ନୂଆଦିଲ୍ଲୀ: ମୋହାଲୀ ଷ୍ଟାଡିୟମରେ ଏକ ସୁପରହିଟ ଇନିଂସ ଖେଳିଛନ୍ତି ଲକ୍ଷ୍ନୌ ସୁପର ଜିଆଣ୍ଟସର ସୁପରଷ୍ଟାର ବ୍ୟାଟ୍ସମ୍ୟାନ । ପଞ୍ଜାବ କିଙ୍ଗସ ବିପକ୍ଷରେ ଗୋଟିଏ ପରେ ଗୋଟିଏ ବିସ୍ଫୋରକ ପାଳି ଖେଳିଛନ୍ତି ରାହୁଲ ସେନାର ସମସ୍ତ ଖେଳାଳି । ମାର୍କସ ଷ୍ଟୋଇନିସ, କାଏଲ ମାୟର୍ସଙ୍କ ଅର୍ଦ୍ଧଶତକ ସହିତ ଆୟୁସ ବଦୋନୀ ଏବଂ ନିକୋଲାସ ପୁରନଙ୍କ କାମିଓ ଇନିଂସ ସୁପର ଜିଆଣ୍ଟସ ଏକ ବିଶାଳକାୟ ସ୍କୋର ଠିଆ କରିଛି । ବର୍ତ୍ତମାନ ଏହି ମ୍ୟାଚରେ ବିଜୟ ହାସଲ କରିବା ପାଇଁ ପଞ୍ଜାବକୁ ୨୦ ଓଭରରେ ୨୫୮ ରନର ଏକ ବିଶାଳକାୟ ଲକ୍ଷ୍ୟ ଦେଇଛି ରାହୁଲ ସେନା ।

ଆଜିର ମ୍ୟାଚରେ ପ୍ରଥମେ ଟସ୍ ଜିତି ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ ପଞ୍ଜାବ ଅଧିନାୟକ ଶିଖର ଧୱନ । ଯାହା ତାଙ୍କୁ ଏବଂ ତାଙ୍କ ଦଳକୁ ଖୁବ ମହଙ୍ଗା ପଡିଛି । ପ୍ରଥମରୁ ହିଁ ଅଧିନାୟକ ରାହୁଲ ଏବଂ କାଏଲ ମାୟର୍ସ ଦମଦାର ଆରମ୍ଭ କରିଥିଲେ । କିନ୍ତୁ ଗୋଟିଏ ଚୌକା ଗୋଟିଏ ଛକା ମାରିବା ପରେ ୧୨ ରନ କରି ଆଉଟ ହୋଇଯାଇଥିଲେ ରାହୁଲ । ଏହାପରେ ମାୟର୍ସ ଏବଂ ଆୟୁସ ବଦୋନୀଙ୍କ ମଧ୍ୟରେ ଏକ ବିରାଟ ପାର୍ଟନରସିପ ଦେଖିବାକୁ ମିଳିଛି । ମାୟର୍ସ ୨୪ ବଲରେ ୭ଟି ଚୌକା ଏବଂ ୪ଟି ଛକା ସହ ୫୪ ରନର ବିସ୍ପୋରକ ଇନିଂସ ଖେଳିଥିବା ବେଳେ ବଦୋନୀ ମଧ୍ୟ ୨୪ ବଲରୁ ୩ଟି ଲେଖାଏଁ ଛକା ଏବଂ ଚୌକା ସହ ୪୩ ରନ ସଂଗ୍ରହ କରିଛନ୍ତି । ତେବେ ୧୪ ଓଭର ସରିବା ପୂର୍ବରୁ ଦଳ ୧୬୦ ରନ ଅତିକ୍ରମ କରି ସାରିଥିଲା ।

ଏହାପରେ ମାର୍କସ ଷ୍ଟୋଇନିସ ନାମକ ଏକ ଝଡର ସାମନା କରିଥିଲା ପଞ୍ଜାବ କିଙ୍ଗସ । ମାତ୍ର ୪୦ ବଲରୁ ୬ଟି ଚୌକା ଏବଂ ୫ଟି ଛକା ମାରି ୭୨ ରନର ଏକ ବିସ୍ଫୋରକ ପାଳି ଖେଳି ସୁପର ଜିଆଣ୍ଟସକୁ ୨୫୦ ରନ୍ ପାଖରେ ପହଞ୍ଚାଇ ଦେଇଥିଲେ । ପଞ୍ଜାବର ସମସ୍ତ ବୋଲରଙ୍କୁ ରିମାଣ୍ଡରେ ନେଇ ସେ ଖେଳିଥିଲେ ଦମଦାର ପାଳି । ମାର୍କସ ଷ୍ଟୋଇନିସଙ୍କ ସହ ୱିକେଟ କିପର ନିକୋଲସ ପୁରନ ମଧ୍ୟ ଏକ ଦମଦାର ପାଳି ଖେଳିଛନ୍ତି । ମାତ୍ର ୧୯ଟି ବଲରୁ ସେ ୭ଟି ଚୌକା ଏବଂ ଗୋଟିଏ ଛକା ସହିତ ୪୫ ରନର ଏକ କାମିଓ ଇନିଂସ ଖେଳିଛନ୍ତି । ତେବେ ଏହି ୪ଟି ଧୂଆଁଦାର ପାଳି ଫଳରେ ସୁପର ଜିଆଣ୍ଟସ ୨୦ ଓଭରରେ ୫ ୱିକେଟ ହରାଇ ୨୫୭ ରନ ସଂଗ୍ରହ କରିଛନ୍ତି ।

ଅନ୍ୟ ପକ୍ଷରେ ପଞ୍ଜାବର ସମସ୍ତ ବୋଲର ଆଜି ନରସ୍ତ୍ର ହୋଇ ପଡିଛନ୍ତି । ରାହୁଲ ସେନା ବିପକ୍ଷରେ ଦଳର କୌଣସି ବୋଲର କାମ ଦେଇ ନଥିଲେ । ଅର୍ଶଦୀପ ମଧ୍ୟ ଏହି ମ୍ୟାଚରେ ୧୩.୫୦ ହାରରେ ରନ୍ ବ୍ୟୟ କରିଛନ୍ତି । ତେବେ କାଗିସୋ ରାବାଡା ଦଳର ସବୁଠୁ ସଫଳତମ ବୋଲର ଭାବରେ ୨ଟି ୱିକେଟ ଅକ୍ତିଆର କରିଥିବା ବେଳେ ଅର୍ଶଦୀପ, ସାମ କରନ ଏବଂ କ୍ରୁନାଲ ପାଣ୍ଡ୍ୟା ଗୋଟିଏ ଲେଖାଏଁ ସଫଳତା ପାଇଛନ୍ତି । ବର୍ତ୍ତମାନ ପଞ୍ଜାବକୁ ବିଜୟ ପାଇଁ ନିର୍ଦ୍ଧାରିତ ଓଭରରେ ୨୫୮ ରନ ସଂଗ୍ରହ କରିବାକୁ ପଡିବ ।

Get real time updates directly on you device, subscribe now.