କାହିଁକି ଜଳୁଛି ମଣିପୁର ? ଜାଣନ୍ତୁ କେମିତି ମୁହାଁମୁହିଁ ହେଲେ ପାହାଡ ଏବଂ ଉପତ୍ୟକାର ଲୋକେ

ନୂଆଦିଲ୍ଲୀ: ଜଳୁଛି ମଣିପୁର। ଆଦାବାସୀ ଏକତା ପଦଯାତ୍ରା ସମୟରେ ବୁଧବାର ହୋଇଥିବା ହିଂସା ଏବେ ୮ ଜିଲ୍ଲାକୁ ବ୍ୟାପି ସାରିଛି। ପରିସ୍ଥିତିକୁ ନଜରରେ ରଖି ଗତକାଲିଠାରୁ ୧୪୪ ଧାରା ଲାଗୁ କରାଯାଇଥିବା ବେଳେ ରାଜ୍ୟରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଛି। ହିଂସାକୁ ପ୍ରସମିତ କରିବା ପାଇଁ ଘଟଣାସ୍ଥଳରେ ଆସାମ ରାଇଫଲ୍ସର ୩୪ ଟି ଏବଂ ସେନାର ୯ ଟି କମ୍ପାନୀ ନିୟୋଜିତ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ଗୃହ ମନ୍ତ୍ରଣାଳୟ ମଧ୍ୟ ମଣିପୁରକୁ ରାପିଡ୍ ଆକ୍ସନ୍ ଫୋର୍ସର ପାଞ୍ଚଟି କମ୍ପାନୀ ପଠାଇଛି। ତେବେ ଏହା ସତ୍ୱେ ମଣିପୁରରେ ହୋଇଥିବା ଉତ୍ତେଜନା ଥମିବାର ନାମ ନେଉନାହିଁ। ଏଭଳି ସ୍ଥିତିରେ ଶାନ୍ତି ଫେରାଇ ଆଣୀବା ପାଇଁ ହିଂସା ପ୍ରଭାବିତ ଅଞ୍ଚଳରେ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ଚଳାଇବା ପାଇଁ ମଣିପୁରର ରାଜ୍ୟପାଳ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅନୁମୋଦନ କରିଛନ୍ତି।

ବିବାଦ ଆରମ୍ଭ ହେଲା କିପରି ଏବଂ ଏହାର କାରଣ କ’ଣ?

ଭୌଗଳିକ ଦୃଷ୍ଟିରୁ ସମଗ୍ର ମଣିପୁର ୨୨,୩୨୭ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଛି। ଏହାର ୨,୨୩୮ ବର୍ଗ କିମି ଅର୍ଥାତ୍ ୧୦.୦୨% କ୍ଷେତ୍ର ହେଉଛି ଉପତ୍ୟକା। ଯେତେବେଳେ କି ୨୦,୦୮୯ ବର୍ଗ କି.ମି. ଅର୍ଥାତ୍ ୮୯% ରୁ ଅଧିକ ଅଞ୍ଚଳ ପାହାଡ଼ିଆ। ଏଠାରେ ମୁଖ୍ୟତଃ ତିନୋଟି ସମ୍ପ୍ରଦାୟର ଲୋକେ ବାସ କରନ୍ତି। ପ୍ରଥମ – ମୈତାଇ, ଦ୍ୱିତୀୟ – ନାଗା ଏବଂ ତୃତୀୟ – କୁକି। ସେମାନଙ୍କ ମଧ୍ୟରେ ନାଗା ଏବଂ କୁକି ଆଦିବାସୀ ସମ୍ପ୍ରଦାୟ ହୋଇଥିବା ବେଳେ ମୈତାଇ ଅଣ-ଆଦିବାସୀ(ଏସ୍ ସି) ଅଟନ୍ତି। ମୈତାଇ ହିନ୍ଦୁ ଧର୍ମର ହୋଇଥିବା ବେଳେ ଅଧିକାଂଶ ନାଗା ଓ କୁକି ଖ୍ରୀଷ୍ଟିଆନ ଧର୍ମର ଅଟନ୍ତି। ଏହି ତିନୋଟି ସମ୍ପ୍ରଦାୟ ବ୍ୟତୀତ ଏଠାରେ କିଛି ମୁସଲମାନ ମଧ୍ୟ ଅଛନ୍ତି। ଏଠାରେ ନାଗା ଏବଂ କୁକି ରାଜ୍ୟରେ ଅନୁସୂଚିତ ଜନଜାତି(ଏସ୍ ଟି)ର ମାନ୍ୟତା ପାଇଛନ୍ତି।

ତେବେ ଏହି ସମସ୍ତ ଘଟଣାର ମୂଳ କାରଣକୁ ‘ଅଧିକାର ଯୁଦ୍ଧ’ ଭାବରେ ମଧ୍ୟ ବିବେଚନା କରାଯାଇପାରେ। ମୈତାଇ ସମ୍ପ୍ରଦାୟର ଜନସଂଖ୍ୟା ଏଠାରେ ୫୩ ପ୍ରତିଶତରୁ ଅଧିକ ହୋଇଥିଲେ ସୁଦ୍ଧା, ସେମାନେ କେବଳ ଉପତ୍ୟକାରେ ବସବାସ କରିପାରିବେ। ଅନ୍ୟପଟେ ନାଗା ଏବଂ କୁକି ସମ୍ପ୍ରଦାୟର ଜନସଂଖ୍ୟା ପ୍ରାୟ ୪୦ ପ୍ରତିଶତ ଏବଂ ସେମାନେ ପାହାଡ଼ିଆ ଅଞ୍ଚଳରେ ବସବାସ କରନ୍ତି, ଯାହା ରାଜ୍ୟର ୯୦ ପ୍ରତିଶତ ଅଟେ।

ମଣିପୁରରେ ଏକ ନିୟମ ଅଛି, ଯାହା ଅଧୀନରେ ଆଦିବାସୀମାନଙ୍କ ପାଇଁ କିଛି ବିଶେଷ ବ୍ୟବସ୍ଥା କରାଯାଇଛି। ଏହା ଅଧୀନରେ କେବଳ ଆଦିବାସୀମାନେ ପାହାଡ଼ିଆ ଅଞ୍ଚଳରେ ବସବାସ କରିପାରିବେ। ଯେହେତୁ ମୈତାଇ ସମ୍ପ୍ରଦାୟ ଅନୁସୂଚିତ ଜନଜାତିର ମାନ୍ୟତା ପାଇନାହାଁନ୍ତି, ତେଣୁ ସେମାନେ ପାହାଡ଼ିଆ ଅଞ୍ଚଳରେ ବସବାସ କରିପାରିବେ ନାହିଁ। ଯେତେବେଳେ କି, ନାଗା ଏବଂ କୁକି ପରି ଆଦିବାସୀ ସମ୍ପ୍ରଦାୟ ଚାହିଁଲେ ଉପତ୍ୟକା ଅଞ୍ଚଳରେ ରହିପାରିବେ। ମୈତାଇ ଏବଂ ନାଗା-କୁକି ମଧ୍ୟରେ ବିବାଦର ଏହା ହେଉଛି ପ୍ରକୃତ କାରଣ। ସେଥିପାଇଁ ମୈତାଇଙ୍କୁ ଅନୁସୂଚିତ ଜାତି ମାନ୍ୟତା ଦେବା ପାଇଁ ସେମାନେ ଅନେକ ବର୍ଷ ଧରି ଦାବି କରୁଛନ୍ତି।

ତେବେ ନିକଟରେ ମଣିପୁର ହାଇକୋର୍ଟ ରାଜ୍ୟ ସରକାରଙ୍କୁ ମୈତାଇଙ୍କୁ ଅନୁସୂଚିତ ଜନଜାତି ମାନ୍ୟତା ପ୍ରଦାନ ଦାବି ଉପରେ ବିଚାର କରିବାକୁ କହିଥିଲେ। ଏହି ଘଟଣା ବିଷୟରେ ମୈତାଇ ସମ୍ପ୍ରଦାୟକୁ ଏସଟି ମାନ୍ୟତା ଦାବି କରୁଥିବା ସଂଗଠନ କହିଛି ଯେ ଏହା କେବଳ ଚାକିରୀ ଏବଂ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ପ୍ରସଙ୍ଗ ନୁହେଁ, ଏହା ପୈତୃକ ଜମି, ସଂସ୍କୃତି ଏବଂ ପରିଚୟର ଏକ ପ୍ରସଙ୍ଗ। ମିଆଁମାର ଏବଂ ପଡୋଶୀ ରାଜ୍ୟରୁ ଆସୁଥିବା ବେଆଇନ ପ୍ରବାସୀ ଭାରତୀୟଙ୍କ ଦ୍ୱାରା ଅଂଚଳ ସଂକୁଚିତ ହେଉଛି। ତେଣୁ ମୈତାଇ ସମ୍ପ୍ରଦାୟର ଲୋକଙ୍କୁ ପାହାଡିଆ ଅଂଚଳରେ ରହିବାକୁ ଦିଆଯାଉ।