ବିଜ୍ଞାନର ନୂଆ ଟେକନିକ: ଏଣିକି ଲ୍ୟାବରେ ବିକଶିତ ହେବ ବେବି, ମଣିଷର ସ୍ପର୍ମ ଓ ମହିଳାଙ୍କ ଏଗ୍ ମଧ୍ୟ ପ୍ରସ୍ତୁତ କରାଯିବ

ନୂଆଦିଲ୍ଲୀ: ଦିନକୁ ଦିନ ମେଡିକାଲ ସାଇନ୍ସ ବିକାଶ ଆଡ଼କୁ ଅଗ୍ରସର ହେଉଛି । ଅନେକ ଭୟଙ୍କର ରୋଗର ଉପଚାର ପାଇଁ ବୈଜ୍ଞାନିକମାନେ ନୂଆ ନୂଆ ଟେକନିକ ବାହାର କରୁଛନ୍ତି । ତେବେ ଏହା ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବୈଜ୍ଞାନିକମାନେ ଇନ ଭିଟ୍ରୋ ଗେମେଟୋଜେନେସିସ (ଆଇଭିଜି) ମାଧ୍ୟମରେ ଲ୍ୟାବରେ ବେବି ପ୍ରସ୍ତୁତ କରିପାରିବେ । ଜାପାନର କ୍ୟୁସୁ ୟୁନିଭରସିଟିର ଜଣେ ପ୍ରଫେସର ଏ ବାବଦରେ ସୂଚନା ଦେଇଛନ୍ତି ।

ତେବେ ଏହି ନୂଆ ଟେକନିକକୁ ବ୍ୟବହାର କରି ମଣିଷର ସ୍ପର୍ମ ଓ ମହିଳାଙ୍କ ଅଣ୍ଡା ମଧ୍ୟ ପ୍ରସ୍ତୁତ କରାଯାଇ ପାରିବ । ଫଳରେ ଲ୍ୟାବରେ ଛୁଆକୁ ବିକଶିତ କରାଯାଇ ପାରିବ । ତେବେ ସବୁଠାରୁ ବଡ଼କଥା ହେଉଛି ଏଥିପାଇଁ ବୈଜ୍ଞାନିକମାନେ କୃତ୍ରିମ ସ୍ପର୍ମ, ଗର୍ଭ ଓ ଏଗର ଉପଯୋଗ କରିବେ । ପ୍ରାଥମିକ ପର୍ଯ୍ୟାୟରେ ବୈଜ୍ଞାନିକମାନେ ସଫଳତା ହାସଲ କରିଥିବା ବେଳେ ଏହି ଟେକନିକ ମାଧ୍ୟମରେ ଏବେ ଶିଶୁ ପ୍ରସ୍ତୁତ କରିବାକୁ ପ୍ରୟାସ କରାଯାଉଛି ।

ଆଇଭିଜି ଟେକନିକର ସହଯୋଗରେ ଲ୍ୟାବରେ ମଣିଷର ସ୍ପର୍ମ ଓ ଏଗ ପ୍ରସ୍ତୁତ କରାଯିବ । ଏଥିପାଇଁ ମଣିଷର ରକ୍ତ ଓ ଚର୍ମର କୋଷିକାକୁ ବ୍ୟବହାର କରାଯିବ । ଏହି କୋଷିକାର ରି-ପ୍ରୋଗ୍ରାମିଂ ପାଇଁ ଷ୍ଟେମ ସେଲ୍ସକୁ ବଦଳାଯିବ । ଏହା ସହାୟତାରେ ଏଗ ଓ ସ୍ପର୍ମ ସେଲସ ପ୍ରସ୍ତୁତ କରାଯିବ । ଏହାପରେ ଏହି ଦୁଇ ପ୍ରକାର କୋଷିକାର ସହାୟତାରେ ଲ୍ୟାବରେ ଭ୍ରୁଣ ବିକଶିତ କରାଯିବ, ଯାହାକୁ କି ମହିଳାଙ୍କ ଗର୍ଭରେ ପ୍ରତିରୋପଣ କରାଯିବ ।

ତେବେ ଯେଉଁ ଦମ୍ପତ୍ତିଙ୍କର ଛୁଆ ହେଉନଥିବେ ସେମାନେ ଏହି ଟେକନିକର ବେଶ୍ ଫାଇଦା ପାଇପାରିବେ । ପିତାମାତାଙ୍କର ବ୍ଲଡ ସେଲ୍ସକୁ ନେଇ ଲ୍ୟାବରେ ଭ୍ରୁଣ ବିକଶିତ କରାଯିବ । ଏକ ରିପୋର୍ଟ ମୁତାବକ, ଆମେରିକାରେ ପ୍ରତି ୧୦ ଜଣ ଦମ୍ପତ୍ତିଙ୍କ ମଧ୍ୟରୁ ଜଣେ ଶିଶୁଙ୍କୁ ଜନ୍ମ ଦେଇ ପାରିନଥାନ୍ତି । ସେହିପରି ସମଲିଙ୍ଗୀ ମାମଲାରେ ଶିଶୁ ଚାହୁଁଥିବା ଦମ୍ପତ୍ତିଙ୍କ ପାଇଁ ମଧ୍ୟ ଏହା ବେଶ୍ ସହାୟକ ହୋଇପାରିବ । ତେବେ ଏହି ଟେକନିକରେ ଶିଶୁକୁ ବଦଳା ଯାଇପାରିବ । ଅର୍ଥାତ ଲ୍ୟାବରେ ଡିଜାଇନର ବେବି ମଧ୍ୟ ପ୍ରସ୍ତୁତ କରାଯାଇ ପାରିବ । ତେବେ ସମଲିଙ୍ଗି ବିବାହ କରିଥିବା ଦୁଇଜଣ ପୁରୁଷଙ୍କୁ ମଧ୍ୟ ଏହି ଟେକନିକ ପିତା ହେବାର ସୌଭାଗ୍ୟ ପ୍ରଦାନ କରିବ ବୋଲି କୁହାଯାଇଛି ।