fbpx

ବାହାନଗା ରେଳ ଦୁର୍ଘଟଣା, ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା: ପ୍ରଧାନମନ୍ତ୍ରୀ

ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୦୭ରେ ପହଞ୍ଚିଛି । ଏହା ପରେ ବି ଉଦ୍ଧାର କାର୍ଯ୍ୟ ଜାରି ରହିବା ସହ ବୃଦ୍ଧି ପାଉଛି ମୃତକଙ୍କ ସଂଖ୍ୟା । ସେହିପରି ଆହତ ଯାତ୍ରୀଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ଏହାମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି । ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ କାର୍ଯ୍ୟାଳୟ ପକ୍ଷରୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦିଆଯାଇଛି । ଏହାବ୍ୟତୀତ ଆହତ ଯାତ୍ରୀମାନଙ୍କ ପରିବାରକୁ ମଧ୍ୟ ୫୦ ହଜାର ଟଙ୍କା ଅନୁକମ୍ପା ରାଶି ଦିଆଯିବ ।

ତେବେ ପ୍ରଧାନମନ୍ତ୍ରୀଙ୍କ ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ ମୃତକଙ୍କ ପରିବାର ସଦସ୍ୟଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଥିଲେ । ମୃତାହତଙ୍କ ପରିବାରକୁ ସହାୟତା ରାଶି ମଧ୍ୟ ଘୋଷଣା କରିଛନ୍ତି । ଭୟଙ୍କର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହାସହିତ ଦୁର୍ଘଟଣାରେ ଗୁରୁତର ହୋଇଥିବା ଯାତ୍ରୀମାନଙ୍କୁ ୨ ଲକ୍ଷ ଟଙ୍କା ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି । ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।

Get real time updates directly on you device, subscribe now.