fbpx

ବରିଷ୍ଠ କଂଗ୍ରେସ ନେତା ବେଦ ପ୍ରକାଶଙ୍କ ପରଲୋକ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ଦୁଃଖଦ ଖବର । କଂଗ୍ରେସର ଜଣେ ବରିଷ୍ଠ ନେତାଙ୍କ ପରଲୋକ ଘଟିଛି । କଂଗ୍ରେସ ନେତା ତଥା ଅବସରପ୍ରାପ୍ତ ମେଜର ବେଦ ପ୍ରକାଶ ଆଉ ନାହାନ୍ତି । ୮୪ ବର୍ଷ ବୟସରେ ବେଦ ଆରପାରିକୁ ଚାଲିଯାଇଛନ୍ତି । ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ଅଫିସରେ ଥିବା ସମୟରେ ଅଚାନକ ବେଦଙ୍କର ମୁଣ୍ଡ ଭୀଷଣ ଯନ୍ତ୍ରଣା ହୋଇଥିଲା । ଏହାପରେ ତାଙ୍କର ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଅବସରପ୍ରାପ୍ତ ମେଜର କଂଗ୍ରେସର ଏକ୍ସ-ସର୍ଭିସମ୍ୟାନ ୱିଙ୍ଗର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ପୁଅ ବିପୁଲ ପ୍ରକାଶ ବେଦଙ୍କ ମୃତ୍ୟୁ ସମ୍ପର୍କିତ ସୂଚନା ଦେଇଥିଲେ । ବେଦ କଂଗ୍ରେସ କାର୍ଯ୍ୟାଳୟରେ ଗତକାଲି ଥିବା ସମୟରେ ଅଚାନକ ସେ ତଳେ ପଡ଼ିଯାଇଥିଲେ । ଫଳରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିବା ସହିତ ଭୀଷଣ ଯନ୍ତ୍ରଣା ହୋଇଥିଲା । ଏହାପରେ ତାଙ୍କୁ ସଙ୍ଗେସଙ୍ଗେ ହସ୍ପିଟାଲ ନିଆଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଗତ ୨ ତାରିଖରେ ବେଦ ନିଜର ଜନ୍ମଦିନ ପାଳନ କରିଥିବା ବେଳେ ଗୋଟିଏ ଦିନ ପରେ ଆରପାରିକୁ ଚାଲିଯାଇଛନ୍ତି । ଦଳର ଜଣେ ବିଶ୍ୱସ୍ତ କର୍ମୀ ଭାବେ ବେଦ ସର୍ବଦା ସଂଗଠନକୁ ଗୁରୁତ୍ୱ ଦେଇ ଆସୁଥିଲେ । ଦଳୀୟ କାର୍ଯ୍ୟରେ ସେ ସର୍ବଦା କଂଗ୍ରେସ ମୁଖ୍ୟାଳୟକୁ ଯାଉଥିଲେ । ଏଭଳି ଜଣେ ସେନାଙ୍କୁ ହରାଇ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି, ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧି, ସଂଗଠନ ମହାସଚିବ କେ.ସି ବେଣୁଗୋପାଳଙ୍କ ସହିତ ଅନ୍ୟ ନେତାମାନେ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.