fbpx

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷାଙ୍କ ପରଲୋକ: ମାତ୍ର ୨୭ ବର୍ଷ ବୟସରେ ଆକସ୍ମିକ ବିୟୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜନୈତିକ ଜଗତରୁ ଆସିଛି ଏକ ଦୁଃଖ ଖବର । ଖୁବ୍ କମ୍ ବୟସରେ ଜଣେ ରାଜନେତ୍ରୀ ଆରପାରିକୁ ଚାଲିଯାଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ଆସିଛି ଏଭଳି ଏକ ଖବର । ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ଆଉ ନାହାନ୍ତି । ମାତ୍ର ୨୭ ବର୍ଷ ବୟସରେ ବ୍ଲକ ଅଧ୍ୟକ୍ଷାଙ୍କ ମୃତ୍ୟୁ ଖବର ଜିଲ୍ଲାବାସୀଙ୍କୁ ଶୋକ ସାଗରରେ ବୁଡ଼ାଇ ଦେଇଛି ।

ସୂଚନା ମୁତାବକ, ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ସୁନୀତା ସେଠୀଙ୍କର ଆଜି ପରଲୋକ ଘଟିଛି । ମୃତ୍ୟୁ ବେଳକୁ ସୁନୀତାଙ୍କୁ ମାତ୍ର ୨୭ ବର୍ଷ ବୟସ ହୋଇଥିଲା । ସୁନୀତା ବିଜେଡି ସମର୍ଥନରେ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ବେଳେ ସେ ଗୋକର୍ଣ୍ଣପୁର ପଞ୍ଚାୟତର ସମିତି ସଭ୍ୟା ଭାବେ ନିର୍ବାଚନରେ ଜିତିଥିଲେ । ରାଜ୍ୟ ଜଣେ ଉଚ୍ଚ ଶିକ୍ଷିତା ରାଜନେତ୍ରୀଙ୍କୁ ଖୁବ୍ କମ ବୟସରେ ହରାଇଛି ।

ଗତ କିଛିଦିନ ଧରି ସୁନୀତା କୌଣସି ଏକ ରୋଗରେ ପୀଡ଼ିତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ନିକଟରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ମାତ୍ର ଆଜି ଅଚାନକ ସେ ପୁଣି ଥରେ ଅସୁସ୍ଥ ହୋଇ ପଡ଼ିବା ସହ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ତେଣୁ ତାଙ୍କୁ ସଙ୍ଗେସଙ୍ଗେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୁନୀତାଙ୍କ ଭଳି ଜଣେ ଯୁବ ନେତ୍ରୀଙ୍କ ଅଚାନକ ବିୟୋଗରେ ବିଜୁ ଜନତା ଦଳର ଶତାଧିକ କର୍ମୀ ଗଭୀର ସମବେଦନା ଜ୍ଞାପନ କରିଛନ୍ତି । ଜଣେ ମିଷ୍ଟଭାଷୀ ନେତ୍ରୀ ଭାବେ ସୁନୀତା ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ଥିଲେ ।

Get real time updates directly on you device, subscribe now.