ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ମାର୍ଚ୍ଚ ମାସ ୧୮ ତାରିଖରେ ରାଜଧାନୀ ଭୁବନେଶ୍ୱରର ବହୁଚର୍ଚ୍ଚିତ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ଅକାଳ ବିୟୋଗ ଘଟିଥିଲା । ଡିଜେ ଆଜେକ୍ସଙ୍କ ମୃତଦେହ ରାଜଧାନୀରେ ଥିବା ତାଙ୍କ ବାସଭବନରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ତେବେ ଡିଜେ ରାଜଧାନୀର ଖାଳବେଳ ନଗରରେ ରହୁଥିବା ବେଳେ ପ୍ରେମ ଜନିତ କାରଣରୁ ସେ ଆତ୍ମହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ସେହି ସମୟରେ ରାଜଧାନୀରେ ବେଶ୍ ଚର୍ଚ୍ଚା ହୋଇଥିଲା ।
ପରବର୍ତ୍ତୀ ସମୟରେ ଡିଜେ ଆଜେକ୍ସଙ୍କ ଆତ୍ମହତ୍ୟାକୁ ନେଇ ତ୍ରିକୋଣୀୟ ପ୍ରେମ କାହାଣୀ ସାମ୍ନାକୁ ଆସିଥିଲା । ତିନିଜଣ ଯୁବତୀ ଡିଜେଙ୍କୁ ଏକ୍ସପୋଜ କରିବାକୁ ହ୍ୱାଟସଆପ ଗ୍ରୁପରେ ଚାଟ୍ କରୁଥିବା ପୋଲିସ ତଥ୍ୟ ପାଇଥିଲା । ଆତ୍ମହତ୍ୟା କରିବା ପୂର୍ବରୁ ଡିଜେ ତାଙ୍କର ପ୍ରେମିକା ଜିଜ୍ଞାସାଙ୍କ ସହ ୯୭ ସେକେଣ୍ଡ କଥା ହୋଇଥିଲେ । ଜିଜ୍ଞାସା ରଶ୍ମୀ ନାମକ ଅନ୍ୟ ଜଣେ ଯୁବକଙ୍କ ସହ କଥା ହେଉଥିବାରୁ ଏହାକୁ ସହ୍ୟ କରିପାରି ନଥିଲେ ଆଜେକ୍ସ । ଏନେଇ ଜିଜ୍ଞାସା-ଆଜେକ୍ସଙ୍କର ଏକ ଅଡିଓ ରେକର୍ଡ ମଧ୍ୟ ଭାଇରାଲ ହୋଇଥିଲା ।
ତେବେ ଏହା ମଧ୍ୟରେ ଡିଜେଙ୍କ ମାଆ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ମୋ ପୁଅ ବହୁତ ଅର୍ଥ ରୋଜଗାର କରୁଥିଲା । ମୋ ପୁଅ ମୋଠାରୁ ବହୁତ ପଇସା ନେଇ ସେ ଝିଅକୁ ଦେଇଥିଲା । ମୋ ପୁଅଠୁ ଅର୍ଥ ନେଇ ରଶ୍ମୀ ସହିତ ରହିବା ସେ ଝିଅର ପ୍ଲାନ ଥିଲା । ସେ ଝିଅ ପାଇଁ ଆଜି ମୋ ପାଖରେ ମୋ ପୁଅ ନାହିଁ । ଜିଜ୍ଞାସାଙ୍କୁ ଆଜେକ୍ସ ୪୦, ୫୦ ହଜାର ଠାରୁ ଆରମ୍ଭ କରି ୧ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଅନେକ ଥର ଦେଇଥିଲା । ପୋଲିସ ଏହି ମାମଲାରେ କିଛି ବି ତଦନ୍ତ କରୁନାହିଁ । ଯଦି ଗୋଟିଏ ଝିଅର ମୃତ୍ୟୁ ଘଟିଥାନ୍ତା ତେବେ ପୁଅର ସାରା ପରିବାରଙ୍କୁ କୋର୍ଟରେ ହାଜର ହେବାକୁ ପଡ଼ିଥାନ୍ତା । ପାଞ୍ଚ ଭଉଣୀରେ ସେ ଗୋଟିଏ ବୋଲି ଭାଇ ଥିଲା । ସେ ଝିଅ ସାରା ଜୀବନ କେବେ ବି ଶାନ୍ତିରେ ରହି ପାରିବ ନାହିଁ । ମୁଁ ଠାକୁରଙ୍କୁ ଡାକୁଛି ମୋ ପୁଅର ଜୀବନ ଯିଏ ନେଇଛି ସେ କଠୋର ଦଣ୍ଡ ପାଉ ।