ନୂଆଦିଲ୍ଲୀ: ଆଗାମୀ ଭବିଷ୍ୟତ ସମଗ୍ର ମାନବ ସଭ୍ୟତା ପାଇଁ ଅତ୍ୟନ୍ତ ଭୟଙ୍କର ସାବ୍ୟସ୍ତ ହୋଇପାରେ । ଦିନକୁ ଦିନ ବିଶ୍ୱର ପରିସ୍ଥିତି ଭୟଙ୍କର ଆଡ଼କୁ ମୁହାଁଉଥିବା ବେଳେ ପୁରୁଷଙ୍କ ୱାଇ କ୍ରୋମୋଜମର ସଂଖ୍ୟା ସମାପ୍ତ ହେବାରେ ଲାଗିଛି । ପୃଥିବୀ ପୃଷ୍ଠରେ ଅଧିକାଂଶ ପ୍ରଜନନ ପ୍ରକ୍ରିୟା ପୁରୁଷ-ମହିଳା ମିଳିତ ଭାବେ ସମ୍ପାଦନ କରିଥାନ୍ତି । ମାତ୍ର ମଣିଷର ୱାଇ କ୍ରୋମୋଜୋମ ସମାପ୍ତ ହୋଇଗଲେ ଆଗକୁ କେବଳ ଝିଅ ହିଁ ଜନ୍ମ ନେବେ, ପୁଅ ଜନ୍ମ ନେବେ ନାହିଁ ।
ତେଣୁ ଏଭଳି ସ୍ଥିତିରେ ମଣିଷ ସମାଜର ବଂଶବୃଦ୍ଧି ହେବ କିପରି । ଏହାକୁ ନେଇ ବୈଜ୍ଞାନିକମାନେ ଚିନ୍ତାବ୍ୟକ୍ତ କରିଛନ୍ତି । ଗତବର୍ଷ ଡିସେମ୍ବର ମାସରେ ବୈଜ୍ଞାନିକଙ୍କ ଏକ ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସିଥିଲା । ଗତ ୧୬.୬ କୋଟି ବର୍ଷ ମଧ୍ୟରେ ମଣିଷର ୱାଇ କ୍ରୋମୋଜୋମ ସଂଖ୍ୟା ହ୍ରାସ ଘଟି ୯ ଶହରୁ ୫୫କୁ ଖସି ଆସିଥିବା ବୈଜ୍ଞାନିକମାନେ ମତ ଦେଇଥିଲେ । ତେବେ ଏହା ମଧ୍ୟରେ ପୁଣି ଏକ ରିପୋର୍ଟ ସାମ୍ନାକୁ ଆସିଛି ।
ବୈଜ୍ଞାନିକଙ୍କ ଅନୁଯାୟୀ, ଆଜିଠାରୁ ୨-୪ ଶହ ବର୍ଷ ପୂର୍ବରୁ ଯେଉଁ ଜୀବ ପୃଥିବୀ ବକ୍ଷରେ ବାସ କରୁଥିଲେ, ସେମାନେ ଆଜି ଧ୍ୱଂସ ପାଇଯାଇଛନ୍ତି । ଏକଦା ଧରିତ୍ରୀ ବକ୍ଷରେ ବାସ କରୁଥିବା ଡାଇନୋସର ପରି ଏକ ବିଶାଳ ପ୍ରାଣୀ ମଧ୍ୟ ବିଲୁପ୍ତ ହୋଇ ସାରିଛି । ତେଣୁ ମଣିଷ ମଧ୍ୟ ଡାଇନୋସର ପରି ପୃଥିବୀ ପୃଷ୍ଠରୁ ବିଲୁପ୍ତ ହୋଇପାରେ ବୋଲି ବୈଜ୍ଞାନିକମାନେ ସତର୍କ କରାଇ ଦେଇଛନ୍ତି ।
ମଣିଷ ସହିତ ଅନ୍ୟ କିଛି ସ୍ତନ୍ୟପାୟୀ ପ୍ରାଣୀର ସ୍ତ୍ରୀଲିଙ୍ଗଠାରେ ଏକ୍ସ କ୍ରୋମୋଜୋମ ରହିଥାଏ । ଅନ୍ୟପକ୍ଷରେ ପୁରୁଷ ଲିଙ୍ଗ ପାଖରେ ଗୋଟିଏ ଏକ୍ସ ଓ ଅନ୍ୟ ଏକ ଛୋଟ ୱାଇ କ୍ରୋମୋଜୋମ ରହିଥାଏ । ଏକ୍ସ କ୍ରୋମୋଜୋମରେ ୯୦୦ଟି ଜିନ୍ସ ରହିଥାଏ ଓ ୱାଇ କ୍ରୋମୋଜୋମରେ ପାଖାପାଖି ୫୫ଟି ଜିନ୍ସ ରହିଥାଏ । ଏହାଛଡ଼ା ଅନେକ ନନ-କୋଡିଙ୍ଗ ଡିଏନଏ ମଧ୍ୟ ରହିଥାଏ । ୱାଇ କ୍ରୋମୋଜୋମ ଆକାର ଦୃଷ୍ଟିରୁ ଏକ୍ସ କ୍ରୋମୋଜୋମଠାରୁ କ୍ଷୁଦ୍ର ହୋଇଥିବା ବେଳେ ଏହାଦ୍ୱାରା ଭ୍ରୁଣରେ ବିକଶିତ ହେଉଥିବା ପୁଅ / ଝିଅ ସ୍ଥିରୀକୃତ ହୋଇଥାଏ ।