ଝାରସୁଗୁଡ଼ାରେ ପହଞ୍ଚିଲେ ଜେପି ନଡ୍ଡା, ସ୍ୱାଗତ କଲେ ଦଳର ବରିଷ୍ଠ ନେତୃବୃନ୍ଦ

ଝାରସୁଗୁଡ଼ା: ଓଡ଼ିଶାରେ ବର୍ତ୍ତମାନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଝାରସୁଗୁଡାରେ ପହଁଚିଛନ୍ତି । ସେଠାରେ ତାଙ୍କୁ ଦଳର ବରିଷ୍ଠ ନେତୃବୃନ୍ଦ ସ୍ୱାଗତ କରିଛନ୍ତି । ଝାରସୁଗୁଡ଼ା ବିମାନ ବନ୍ଦରରୁ ଦଳର ନେତାବୃନ୍ଦ ତାଙ୍କ ଆସିବା ନେଇ ଉତ୍ସାହିତ ଅଛନ୍ତି ।

ସୂଚନା ଅନୁଯାୟୀ, ବରଗଡ଼ ସଂସଦୀୟ କ୍ଷେତ୍ରର କାର୍ଯ୍ୟକର୍ତ୍ତାଙ୍କ ବୈଠକରେ ସେ ଯୋଗ ଦେବେ । ବରଗଡ଼ ଲୋକସଭା କ୍ଷେତ୍ରର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କ ସହ ନଡ୍ଡା ଆଲୋଚନା କରିବେ । ପରେ ବୁର୍ଲା ସ୍ଥିତ ଏମସିଏଲ ଗେଷ୍ଟ ହାଉସରେ ରାତ୍ରିଯାପନ କରିବାର ବ୍ୟବସ୍ଥା ରହିଛି।

ଆସନ୍ତା କାଲି ୨୩ ତାରିଖରେ କଳାହାଣ୍ଡି ଜିଲ୍ଲାକୁ ଗସ୍ତ କରିବେ ଜେ.ପି ନଡ୍ଡା । ହେଲିକପ୍ଟର ଯୋଗେ ସେ ସେଠାକୁ ଯିବେ । ଭବାନୀପାଟଣାରେ ଦିନ ୧୧ଟାରେ ସେ ପହଞ୍ଚି ପ୍ରଥମେ ମା’ ମାଣିକେଶ୍ୱରୀଙ୍କୁ ଦର୍ଶନ କରିବେ । ପରେ ସେ ଲାଲବାହାଦୂର ଷ୍ଟାଡିୟମରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ ।

ଏହାପରେ ସର୍କିଟ ହାଉସରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷ ଓ ବୁଦ୍ଧିଜୀବୀଙ୍କୁ ଭେଟିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଶେଷରେ ଭବାନୀପାଟଣା ଟାଉନ ହଲରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିବେ । ପରେ ଅପରାହ୍ନରେ ଶ୍ରୀ ନଡ୍ଡା ଝାରସୁଗୁଡା ଫେରି ଆସି ଦିଲ୍ଲୀ ପ୍ରତ୍ୟାବର୍ତନ କରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

ଆଗକୁ ୨୦୨୪ ନିର୍ବାଚନ ଥିବାରୁ ଏବେ କେନ୍ଦ୍ର ସରକାରଙ୍କ ଫୋକସରେ ଓଡ଼ିଶା । ସରକାର ଗଠନ ଲକ୍ଷ୍ୟରେ ସମସ୍ତ ରାଜନୈତିକ ଦଳ ନିଜ ନିଜର ଯୋଜନା ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି । ସେଥିପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓଡ଼ିଶା ଆସିଛନ୍ତି ବୋଲି କୁହାଯାଉଛି ।