ପ୍ରକୃତିର ଭୀଷଣ ତାଣ୍ଡବ, ଭୂସ୍ଖଳନ ଓ ବନ୍ୟା ଯୋଗୁ ୩୦୦ରୁ ଅଧିକ ରାସ୍ତା ବନ୍ଦ, ୩ ଦିନ ଧରି ଫସି ରହିଛନ୍ତି ଶହ ଶହ ଯାତ୍ରୀ
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ଏବେ ପ୍ରକୃତିର ତାଣ୍ଡବ ଜାରି ରହିଛି । ଭୀଷଣ ବର୍ଷା କାରଣରୁ ଭୂସ୍ଖଳନ ଓ ବନ୍ୟା ପରି ପରିସ୍ଥିତି ଜନଜୀବନକୁ ବିପର୍ଯ୍ୟସ୍ତ କରି ଦେଇଛି । ଏବେ ହିମାଚଳ ପ୍ରଦେଶରେ ବହୁ ରାସ୍ତା ବନ୍ଦ ହୋଇ ଯାଇଛି ।
ମୌସୁମୀ ଆସିବା ପରଠାରୁ ଦେଶର ବିଭିନ୍ନ ରାଜ୍ୟରେ ଭୀଷଣ ବର୍ଷା ଲାଗି ରହିଛି । ତେବେ ପାହାଡ ଅଞ୍ଚଳରେ ଏହି ବର୍ଷା ନିଜ ସହ ବହୁ ବିପଦ ଆଣିକରି ଆସିଛି । ହିମାଚଳ ପ୍ରଦେଶରେ ସୋମବାର ଭୀଷଣ ବନ୍ୟା ସହ ଭୂସ୍ଖଳନ କାରଣରୁ ଚଣ୍ଡିଗଡ-ମନାଲି ଜାତୀୟ ରାଜପଥ ବନ୍ଦ ହୋଇଯାଇଛି । ଏହାଦ୍ୱାରା ଶହ ଶହ ଯାତ୍ରୀ ମଣ୍ଡୀରେ ଫସି ରହିଛନ୍ତି । ଭୂସ୍ଖଳନ ଓ ବନ୍ୟା କାରଣରୁ ୭୦ କିଲୋମିଟର ଦୀର୍ଘ ମଣ୍ଡି-ପଣ୍ଡୋହ-କୁଲ୍ଲୁ ସଡକ ସଂପୂର୍ଣ୍ଣ ଭାବରେ ପ୍ରଭାବିତ ହୋଇଛି ।
ହିମାଚଳ ପ୍ରଦେଶରେ ଭୀଷଣ ବର୍ଷା ଓ ବନ୍ୟା କାରଣରୁ ୩୦୧ ସଡକ ବନ୍ଦ କରି ଦିଆଯାଇଛି । ସେହିପରି ଉତ୍ତରାଖଣ୍ଡରେ ୪୩ ସଡକ ବନ୍ଦ କରି ଦିଆଯାଇଛି । ପରିସ୍ଥିତିକୁ ଲକ୍ଷ୍ୟ କରି ମୁଖ୍ୟମନ୍ତ୍ରୀ ଧାମି ଯାତ୍ରା ବନ୍ଦ କରି ଦେବାକୁ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି । ବହୁ ଯାତ୍ରୀ ଏଠାରେ ରବିବାର ସନ୍ଧ୍ୟାରୁ ଫସି ରହିଛନ୍ତି । ଭୂସ୍ଖଳନ କାରଣଣୁ ମଣ୍ଡି–କୁଲୁ ସଡକରେ ୨୦ ଘଣ୍ଟା ଧରି ଯାତାୟତ ବନ୍ଦ କରି ଦିଆଯାଇଥିଲା ।
ମଣ୍ଡିକୁ ଆସିଥିବା ବହୁ ଯାତ୍ରୀ ଏଠାରେ ଫସି ରହିଛନ୍ତି ଏଠାରେ ଅଧିକ ହୋଟେଲ କିମ୍ବା ରହିବାକୁ ସେପରି କିଛି ଜାଗା ନ ଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷ ସୂତ୍ରରୁ ଜଣାଯାଇଛି ଯେ, ୩୦ ଜୁନ୍ ପୂର୍ବରୁ ଏଠାରେ ବିଭିନ୍ନ ସଡକରେ ଯାତାୟତ ସ୍ୱଭାବିକ ହୋଇପାରିବ ନାହିଁ । ପରିସ୍ଥିତି ଏପରି ହୋଇଛି ଯେ, ଏହିସବୁ ସଡକକୁ ପରିଷ୍କାର କରିବା ଲାଗି ୩୯୦ ଜେସିବି, ଡୋଜର, ଟିପର ନିୟୋଜିତ କରାଯାଇଛି ।
ଅନ୍ୟପକ୍ଷରେ ପାଣିପାଗ ବିଭାଗର ତଥ୍ୟ ଅନୁଯାୟୀ ଆସନ୍ତା ୨୮ ଓ ୨୯ରେ ଏଠାରେ ପୁନର୍ବାର ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି । ରବିବାର ସୋଲେନ ଓ ହମୀରପୁରରେ ବାଦଲ ଫଟା ବର୍ଷା ହେବାରୁ ଅଚାନକ ବନ୍ୟା ଆସି ଯାଇଥିଲା । ମଣ୍ଡି ଓ କୁଲୁରେ ୨ ଲୋକଙ୍କ ମୃତ୍ୟୁ ହେବା ସହ ବହୁ ଘର ଭାଙ୍ଗି ନଷ୍ଟ ହୋଇଯାଇଛି ।