fbpx

ଆପଣଙ୍କ ପିଲା ଚଗଲା ହେଉଛି କି ? ପାଠ ପଢ଼ୁନଥିଲେ ଆପଣାନ୍ତୁ ଏହି ଟିପ୍ସ

ସମସ୍ତ ଅଭିଭାବକ ମାନଙ୍କର ସ୍ବପ୍ନ ଥାଏ ଯେ ସେମାନଙ୍କର ପିଲା ପାଠ ପଢ଼ି ଭଲ ମଣିଷ ହେବ। ହେଲେ ଆଜିକାଲି ଅଧିକରୁ ଅଧିକ ପିଲା ପାଠପଢ଼ାରେ କମ ଡିଜିଟାଲ ଦୁନିଆରେ ଅଧିକ ମନ ଲଗାଉଛନ୍ତି। ତେଣୁ ଅଭିଭାବକ ମାନଙ୍କର ଚିନ୍ତା ବଢିଯାଉଛି।କିଛି ପିଲାଙ୍କ ମନରେ ପାଠ ପଢିବାକୁ ନେଇ ଡର ବା ଫୋବିଆ ଥାଏ। ତାକୁ ରିଡିଂ ଫୋବିଆ ବୋଲି କୁହାଯାଏ।ସାଇକୋଲୋଜିଷ୍ଟମାନଙ୍କ ମତରେ ଏହାର କାରଣ ହେଲା ପିଲା ଯେକୌଣସି ବିଷୟରେ ଦୁର୍ବଳ ରହିବା। ଅଭିଭାବକ ଭାବେ ଆପଣଙ୍କୁ ସେ ବିଷୟ କ’ଣ ତାହା ଚିହ୍ନଟ କରିବାକୁ ପଡ଼ିବ। ସେ ବିଷୟ ପ୍ରତି ଅଧିକ ଗୁରୁତ୍ୱ ମଧ୍ୟ ଦେବାକୁ ପଡ଼ିବ। ଆବଶ୍ୟକ ହେଲେ ଆପଣ ତାର ଶିକ୍ଷକ ବା ଶିକ୍ଷୟତ୍ରୀଙ୍କ ସହାୟତା ନେଇପାରିବେ। ଏହା ଜାଣିବା ପରେ ତାକୁ ଖେଳ ମାଧ୍ୟମରେ ସେହି ପାଠ ପଢ଼ିବାକୁ ପ୍ରୋତ୍ସାହିତ କରିପାରିବେ।

-ଚାପ ପକାନ୍ତୁ ନାହିଁ: ପିଲା ଉପରେ କେବେହେଲେ ପାଠ ପଢ଼ିବାକୁ ଚାପ ପକାନ୍ତୁନାହିଁ। ବରଂ ସମୟ ସୁବିଧା ଦେଖି ପାଠ ପଢ଼ିବାର ମହତ୍ତ୍ୱ କଥା ବୁଝାନ୍ତୁ। ତାକୁ ପଢ଼ିବାକୁ ପ୍ରେରିତ କରନ୍ତୁ, ଯେପରିକି ସେ ନିଜେ ବହି ପାଖରେ ବସିବ। ଏଥିପାଇଁ ଆପଣ ଗପବହି, କାର୍ଟୁନ ସିରିଜ୍‌ର ବି ସାହାଯ୍ୟ ନେଇପାରିବେ।

– ପିଲାର ମାନସିକତାକୁ ବୁଝନ୍ତୁ: ପିଲାର ମାନସିକତା ବୁଝିଲେ ଯାଇ ଆପଣ ଏ କ୍ଷେତ୍ରରେ କିଛିଟା ସୁଫଳ ପାଇପାରିବେ। ଯେପରିକି ପିଲାଟି କ’ଣ ପାଇଁ ପଢ଼ିବାକୁ ଚାହୁଁନାହିଁ, ଦିନର କେଉଁ ସମୟରେ ସେ ପଢ଼ିବାକୁ ଆଗ୍ରହ ଦେଖାଉଛି ଇତ୍ୟାଦି। ସେ ହିସାବରେ ତାକୁ ପଢ଼ିବା ପାଇଁ ସହଯୋଗ କରନ୍ତୁ।

– ରୁଟିନ କରନ୍ତୁ: ସବୁବେଳେ ପିଲାକୁ ପାଠପଢ଼ ବୋଲି କୁହନ୍ତୁ ନାହିଁ। ତା’ ବଦଳରେ କିଛି ନିର୍ଦ୍ଧିଷ୍ଟ ସମୟରେ ପଢ଼ିବା ଉପରେ ଗୁରୁତ୍ୱ ଦିଅନ୍ତୁ। ଦିନରେ ୩-୪ ଘଣ୍ଟା ଜବରଦସ୍ତ ବହି ପାଖରେ ବସିବା ବଦଳରେ ଅଧ ଘଣ୍ଟା ବି ମନଦେଇ ପଢ଼ିଲେ ବି ସେ ସବୁକିଛି ମନେ ରଖିପାରିବ। ଅଭିଭାବକ ହିସାବରେ ପ୍ରତିଦିନ କାର୍ଟୁନ ଦେଖିବା, ବାହାର ଯାଇ ଖେଳିବା ଭଳି ପାଠପଢ଼ିବା ବି ଜରୁରୀ ବୋଲି ବୁଝାନ୍ତୁ। ଆବଶ୍ୟକସ୍ଥଳେ ତାର ରୁଟିନ କରି ଦିଅନ୍ତୁ। ଏପରିସ୍ଥଳେ ସେ ଆଉ ପଢ଼ିବାକୁ ବିରକ୍ତ ହେବନାହିଁ।

– ପାଠ ପଢ଼ିବାର ବାତାବରଣ ବି ଜରୁରୀ:ପିଲାକୁ ଖାଲି ପାଠ ପଢ଼ିବାକୁ କହିଦେଲେ ହେବନାହିଁ। ତାର ପଢ଼ିବା ପାଇଁ ଉପଯୁକ୍ତ ବାତାବରଣ ବି ଜରୁରୀ। ଏପରି ବହୁତ ଅଭିଭାବକ ଥାଆନ୍ତି ଯେଉଁମାନେ ପିଲାକୁ ପାଠ ପଢ଼ିବାକୁ କହି ନିଜେ ଘରେ ବସି ଟିଭି ଦେଖୁଥାନ୍ତି ଏବଂ ବଡ଼ ପାଟିରେ କଥା କୁହନ୍ତି। ଏହି ଅଭ୍ୟାସ ପିଲାକୁ ନକରାତ୍ମକ ବାତାବରଣ ଦିଏ। ତା’ ବଦଳରେ ଘରର ସବୁଠାରୁ ଶାନ୍ତିପୂର୍ଣ୍ଣ କୋଠରୀରେ ପିଲାର ପଢ଼ିବା ପାଇଁ ବ୍ୟବସ୍ଥା କରନ୍ତୁ। ପାଠ ପଢ଼ିବା ସମୟରେ ପିଲାର ଏକାଗ୍ରତା ଯେପରି ଭଙ୍ଗ ନ ହେବ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ। ଅନ୍ୟ କୌଣସି ପିଲା ସହ ପିଲାକୁ ତୁଳନା କରିବା ଅନୁଚିତ।

– ଲେଖିବା ଅଭ୍ୟାସ କରାନ୍ତୁ: ପାଠ ପଢି ମନେ ରଖିବାକୁ କଷ୍ଟ ହେଉଥିଲେ ପିଲାକୁ ବାରମ୍ବାର ଲେଖାଇ ତାକୁ ମନେ ରଖିବାକୁ ଅଭ୍ୟାସ କରାନ୍ତୁ। କାରଣ ୧୦ ଥର ପଢ଼ିବା ଅପେକ୍ଷା ଥରେ ଲେଖିଲେ ଅଧିକ ସୁଫଳ ମିଳେ।

Get real time updates directly on you device, subscribe now.