ଆସନ୍ତାକାଲି ଜାତୀୟ ସିକଲ୍ ସେଲ୍ ରୋଗ ଉନ୍ମୁଳନ ମିଶନ୍ର ଶୁଭାରମ୍ଭ କରିବେ ମୋଦୀ: ଓଡ଼ିଶାର ଏହି ଜିଲ୍ଲାଗୁଡିକରେ ହେବ କାର୍ଯ୍ୟକାରୀ
ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ମଧ୍ୟପ୍ରଦେଶରେ ଜାତୀୟ ‘ସିକଲ୍ ସେଲ୍ ରୋଗ ଉନ୍ମୁଳନ ମିଶନ’ର ଶୁଭାରମ୍ଭ କରିବେ । ୨୦୪୭ ମସିହା ସୁଦ୍ଧା ଦେଶରୁ ସିକଲ୍ ସେଲ୍ ରୋଗର ମୂଳୋତ୍ପାଟନ କରିବା ହେଉଛି ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ । ଓଡ଼ିଶା ସମେତ ଦେଶର ୧୭ଟି ରାଜ୍ୟରେ ଏହି ଅଭିଯାନ କାର୍ଯ୍ୟକାରୀ କରାଯିବ । ଓଡ଼ିଶାର ୨୦ଟି ଜିଲ୍ଲା ସମେତ ଦେଶବ୍ୟାପୀ ୨୭୮ଟି ଜିଲ୍ଲା ବିଶେଷକରି ଜନଜାତି ବହୁଳ ଜିଲ୍ଲାରେ ଏହି ଅଭିଯାନକୁ ବ୍ୟାପକ ଭାବେ କାର୍ଯ୍ୟକାରୀ କରିବା ଲାଗି ଲକ୍ଷ୍ୟ ରଖାଯାଇଛି ।
ଓଡ଼ିଶାର ଯେଉଁସବୁ ଜିଲ୍ଲାଗୁଡ଼ିକରେ ଏହି ମିଶନ କାର୍ଯ୍ୟକାରୀ କରାଯିବ, ସେଗୁଡ଼ିକ ହେଲା, ଅନୁଗୁଳ, ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଦେବଗଡ଼, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼ । ଏହି ଅଭିଯାନ ଅଧିନରେ ଜନ୍ମରୁ ୪୦ ବର୍ଷ ବୟସ୍କ ଲୋକଙ୍କର ରକ୍ତ ପରୀକ୍ଷା କରାଯାଇ ସେମାନଙ୍କ ନିକଟରେ ସିକଲ୍ସେଲ୍ ରୋଗର ଲକ୍ଷଣ ଦେଖାଦେଲେ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା କରାଯିବ ।