ସକାଳୁ ସକାଳୁ ପ୍ରଧାନମନ୍ତ୍ରୀଙ୍କ ଆବାସ ଉପରେ ଉଡିଲା ଡ୍ରୋନ୍, ଦିଲ୍ଲୀରେ ଖେଳିଗଲା ଚହଳ, ନୋ ଫ୍ଲାଇଂ ଜୋନ୍ କୁ କିପରି ଆସିଲା ଡ୍ରୋନ୍
ନୂଆଦିଲ୍ଲୀ:ଆଜି ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘର ଉପରେ ଏକ ଡ୍ରୋନ୍ ଉଡୁଥିବାର ଦେଖାଯାଇଥିଲା । ଏହି ସୂଚନା ମିଳିବା ପରେ ଚାରିଆଡେ ଚହଳ ଖେଳିଯାଇଛି । ତୁରନ୍ତ ପୋଲିସର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଓ ଡ୍ରୋନ୍ କୁ ସନ୍ଧାନ କରିବାରେ ଲାଗି ପଡିଛନ୍ତି । କିନ୍ତୁ ଖବର ଲେଖା ହେବା ବେଳକୁ ପୋଲିସ ହାତରେ କୌଣସି ବି ସୂଚନା ମିଳି ନ ଥିବା ଜଣାଯାଇଛି ।
ସକାଳ ପ୍ରାୟ ୫ଟା ସମୟରେ ଏସପିଜି (ସ୍ପେସିଆଲ୍ ପ୍ରୋଟେକ୍ସନ ଗ୍ରୁପ୍) ନୂଆଦିଲ୍ଲୀ ପୋଲିସକୁ ଏ ସମ୍ବନ୍ଧରେ ସୂଚନା ଦେବା ପରେ ନୂଆଦିଲ୍ଲୀ କ୍ଷେତ୍ରର ତମାମ ପୋଲିସ ଅଫିସର ଓ ସୁରକ୍ଷା ବଳ ଡ୍ରୋନ୍ ର ସନ୍ଧାନରେ ଲାଗି ପଡିଛନ୍ତି ।
ତେବେ ଏ ପର୍ଯ୍ୟନ୍ତ କୌଣସି ଡ୍ରୋନକୁ ଠାବ କରାଯାଇପାରି ନାହିଁ । ତେବେ ଏହି ଡ୍ରୋନ୍ କାହାର ଓ କିପରି ପ୍ରଧାନମନ୍ତ୍ରୀଙ୍କ ଘର ଉପରକୁ ଆସିଲା ସେ ସଂପର୍କରେ ପୋଲିସ ଯାଞ୍ଚ କରୁଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ପ୍ରଧାନମନ୍ତ୍ରୀଙ୍କ ଆବାସ ନୋ ଫ୍ଲାଇଂ ଜୋନରେ ଆସୁଛି ।
ଏଠାରେ ସୂଚାଇ ଦିଆଯାଇପାରେ ଯେ ପ୍ରଧାନମନ୍ତ୍ରୀଙ୍କ ଆବାସକୁ ପହଞ୍ଚିବା କ୍ଷେତ୍ରରେ ସୁରକ୍ଷା ଏତେ କଡା ହୋଇଥାଏ ଯେ, ତାଙ୍କର କୌଣସି ପରିବାର ସଦସ୍ୟ ଆସିଲେ ସେମାନଙ୍କୁ ବି ସଠିକ୍ ଭାବରେ ଯାଞ୍ଚ କରାଯାଇଥାଏ । କୌଣସି ବି ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କ ଆବାସରେ ପ୍ରବେଶ କରିବା ପୂର୍ବରୁ ସଚିବଙ୍କ ପକ୍ଷରୁ ଭେଟିବାକୁ ଥିବା ଲୋକମାନଙ୍କର ଏକ ଲିଷ୍ଟ ପ୍ରସ୍ତୁତ କରାଯାଏ । ଯେଉଁମାନଙ୍କର ନାମ ଲିଷ୍ଟରେ ରହିଥାଏ ସେହିମାନେ କେବଳ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପାରିଥାନ୍ତି । ଏହା ବ୍ୟତିତ ଯେଉଁ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଉଛନ୍ତି ତାଙ୍କ ପାଖରେ ଆବଶ୍ୟକୀୟ ପ୍ରମାଣପତ୍ର ଥିବା ଆବଶ୍ୟକ ।
ପ୍ରଧାନମନ୍ତ୍ରୀଙ୍କ ସରକାରୀ ଆବାସ ଦିଲ୍ଲୀର ଲୁଟିୟନ୍ସ ଜୋନ୍ ର ଲୋକ କଲ୍ୟାଣ ମାର୍ଗ ସ୍ଥିତ ୭ ନମ୍ବର ବଙ୍ଗଳାରେ ରହିଛି । ପ୍ରଧାନମନ୍ତ୍ରୀଙ୍କ ନରେନ୍ଦ୍ର ମୋଦୀ ୨୦୧୪ରୁ ଏଠାରେ ରହି ଆସୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସର ଅଧିକାରିକ ନାମ ‘ପଞ୍ଚବଟୀ’ । ୫ ଗୋଟି ବଙ୍ଗଳାକୁ ମିଶାଇ ଏହାକୁ ନିର୍ମାଣ କରାଯାଇଛି ।