ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଜଣେ ଜଣାଶୁଣା ସାପ ଧରାଳିଙ୍କର ପରଲୋକ ଘଟିଛି । ଘର ମାନଙ୍କରେ ସାପ ପଶିଗଲେ ସାଧାରଣ ଭାବେ ସାପ ଧରାଳିଙ୍କୁ ଲୋକମାନେ ଖୋଜିଥାନ୍ତି । ଏପରି ଜଣେ ସାପ ଧରାଳି ବ୍ରେନ ଷ୍ଟ୍ରୋକ କାରଣରୁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । କଟକର ସିଡିଏ ଅଞ୍ଚଳରେ ସାପ ଧରାଳି ଭାବେ ପରିଚିତ ଥିବା ବିଭୁଦତ୍ତ ଜେନା ମାତ୍ର ୫୫ ବର୍ଷ ବୟସରେ ଆରପାରିକୁ ଚାଲିଯାଇଛନ୍ତି ।
ସୂଚନା ମୁତାବକ, ବିଭୁ ଜଣେ ପ୍ରସିଦ୍ଧ ସାପ ଧରାଳି ଭାବେ କଟକ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ । ଘରମାନଙ୍କରେ ସାପ ପଶିଗଲେ ଲୋକମାନେ ସଙ୍ଗେସଙ୍ଗେ ବିଭୁଙ୍କୁ ଫୋନ୍ କରି ଡକାଇଥାନ୍ତି । ମାତ୍ର ଅଚାନକ ବିଭୁଙ୍କର ମୃତ୍ୟୁକୁ କେହି ସହଜରେ ଗ୍ରହଣ କରି ପାରୁନାହାନ୍ତି । ବିପଦ ସମୟରେ ଏଣିକି ଲୋକମାନେ ବିଭୁଙ୍କୁ ନିଶ୍ଚିତ ମନେ ପକାଇବେ । ବିଭୁଙ୍କ ମୃତ୍ୟୁ ଖବର ପାଇ ତାଙ୍କର ସିଡିଏ ସ୍ଥିତ ବାସଭବନରେ ଲୋକଙ୍କର ଭିଡ଼ ଜମିଛି ।
ସାଧାରଣ ଭାବେ ବର୍ଷାଋତୁରେ ସାପମାନଙ୍କର ଅଧିକ ପ୍ରାଦୁର୍ଭାବ ଦେଖିବାକୁ ମିଳିଥାଏ । ସାପ ଗାତମାନଙ୍କରେ ବର୍ଷା ଜଳ ପଶିଯିବା ପରେ ସାପମାନେ ବାଧ୍ୟ ହୋଇ ବାହାରକୁ ବାହାରି ଆସନ୍ତି । ନିକଟରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାପ କାମୁଡ଼ା କାରଣରୁ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି । ବର୍ଷା ଋତୁରେ ଜୋତା, ଗାଡ଼ି ଡିକି, ଅଳିଆ, ଆବର୍ଜନା ପୂର୍ଣ୍ଣ ସ୍ଥାନ ମାନଙ୍କରେ ସାପ ଲୁଚି ରହିଥାନ୍ତି । ତେଣୁ ସାପ କବଳରୁ ରକ୍ଷା ପାଇବାକୁ ହେଲେ ରାତିରେ ମଶାରି ଟାଣି ଶୋଇବାକୁ ମଧ୍ୟ ପରାମର୍ଶ ଦିଆଯାଇଥାଏ ।