fbpx

ଜୀବନ ନେଇଗଲା ଦୂଷିତ ଜଳ: ‘ବ୍ରେନ ଖାଉଥିବା ଆମିବା’ ସଂକ୍ରମଣରେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦିନକୁ ଜଳବାୟୁ ପରିବର୍ତ୍ତନ ହେବା ସହିତ ଧରିତ୍ରୀ ବକ୍ଷରେ ଭୟଙ୍କର ଭାଇରସ ଦେଖାଯାଉଛନ୍ତି । ଦୀର୍ଘ ତିନି ବର୍ଷ ଧରି କରୋନା ସାରା ବିଶ୍ୱବାସୀଙ୍କୁ କବଳିତ କରି ରଖିଥିବା ବେଳେ କରୋନା ଭାଇରସଠାରୁ ମଧ୍ୟ ଅନେକ ଘାତକ ଭାଇରସ ରହିଥିବା ବୈଜ୍ଞାନିକମାନେ ସୂଚନା ଦେଇଛନ୍ତି । ତେବେ ଏହା ମଧ୍ୟରେ ବ୍ରେନ ଇଟିଂ ଆମିବା ବା ମସ୍ତିଷ୍କ ଖାଉଥିବା ଆମିବାକୁ ନେଇ ଚିନ୍ତା ବଢ଼ିଯାଇଛି ।

ସୂଚନା ମୁତାବକ, ବ୍ରେନ ଇଟିଂ ଆମିବା ଦ୍ୱାରା ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ ଚାଲିଯାଇଛି । କେରଳର ଥିରୁବନନ୍ତପୁରମରୁ ଆସିଛି ଏଭଳି ଏକ ଚିନ୍ତାଜନକ ଖବର । ଅଳପୁଝାରେ ରହୁଥିବା ୧୫ ବର୍ଷୀୟ ବାଳକ ଗୁରୁଦତ୍ତ ଘର ନିକଟରେ ଥିବା ଏକ ନାଳରେ ଗାଧୋଇଥିଲେ । ଏହାପରେ ତାଙ୍କୁ ଗତ ୧ ତାରିଖରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେ ଉକ୍ତ ଆମିବା ସଂକ୍ରମଣର ଶିକାର ହୋଇଥିବା ଯାଞ୍ଚ ପରେ ସ୍ପଷ୍ଟ ହୋଇଥିଲା । ନିକଟରେ ବାଳକଟିର ମୃତ୍ୟୁ ଘଟିଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ସଂକ୍ରମଣ ହେଲେ ଜ୍ୱର, ମୁଣ୍ଡବନ୍ଧା, ବାନ୍ତି ଆଦି ଲକ୍ଷଣ ଦେଖାଦେଇଥାଏ ।

ସାଧାରଣ ଭାବେ ଏହି ମସ୍ତିଷ୍କ ଭକ୍ଷଣକାରୀ ଆମିବା ଦୂଷିତ ଜଳରେ ଗାଧୋଇବା ସମୟରେ ନାକ ମଧ୍ୟ ଦେଇ ଶରୀରରେ ପ୍ରବେଶ କରିଥାଏ । ପରବର୍ତ୍ତୀ ସମୟରେ ଏହା ବ୍ରେନରେ ପହଞ୍ଚି ଟିସୁ ଓ ଶିରାକୁ କ୍ଷତି ପହଞ୍ଚାଇବା ସହତ ରୋଗୀ ଶେଷରେ ମୃତ୍ୟୁବରଣ କରିଥାଏ । ଆମିବା ବ୍ରେନରେ ପହଞ୍ଚି ଯାଇ ବ୍ରେନ ସେଲସକୁ ନଷ୍ଟ କରିଦେଇଥାଏ । ତେଣୁ ଏହାର ଚିକିତ୍ସା ସମ୍ଭବପର ହୋଇନଥାଏ । ନଦୀ, ଓଦା ମାଟି, ପାଣିରେ ଅତି କ୍ଷୁଦ୍ର ଆମିବା ରହିଥାନ୍ତି, ତାହାକୁ ମାଇକ୍ରୋସ୍କୋପ ମାଧ୍ୟମରେ ଦେଖିହୁଏ । ଏହି କେସ ବହୁତ କମ୍ ଘଟୁଥିବା ବେଳେ ସଂକ୍ରମିତ ହେବା ପରେ ଏହାର ମୃତ୍ୟୁହାର ଯଥେଷ୍ଟ ଅଧିକ ହୋଇଥାଏ । ସଂକ୍ରମିତ ହେବାର ୧୦ ଦିନ ମଧ୍ୟରେ ବ୍ୟକ୍ତି ମୃତ୍ୟୁବରଣ କରିଥାଏ । ୧୯୬୨ ମସିହାରୁ ଏପରି ୧୫୪ ଜଣ ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୪ ଜଣ ସୁସ୍ଥ ଲାଭ କରିଥିଲେ ।

Get real time updates directly on you device, subscribe now.