ନୂଆଦିଲ୍ଲୀ: ଉତ୍ତର ଭାରତ ପ୍ରବଳ ବର୍ଷାରେ କଲବଲ ହେଉଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ଆସନ୍ତା ୨ ଦିନ ପାଇଁ ଅରେଞ୍ଜ ଆଲର୍ଟ ଜାରି କରଯାଇଛି । ପ୍ରବଳ ବର୍ଷାରେ ହରିୟାଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ୩ ଜଣ ଶିଶୁ ରହିଛନ୍ତି । ସେହିପରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଯମୁନା ଜଳ ସ୍ତର ବିପଦ ସୀମା ଟପିଥିବା ଜଣାପଡ଼ିଛି ।
ତେବେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଜାରି କରାଯାଇଛି । ପରିସ୍ଥିତିକୁ ଦୃଷ୍ଟିରେ ରଖି ମଙ୍ଗଳବାର ଦିନ ସ୍କୁଲ ବନ୍ଦ ରହିବା ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିଷ୍ପତ୍ତି ନେଇଛନ୍ତି । ନର୍ସରୀ ଠାରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ପିଲା ସ୍କୁଲକୁ ଆସିବେ ନାହିଁ । ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଆସନ୍ତାକାଲି ବନ୍ଦ ରହିବ ବୋଲି କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ପ୍ରବଳ ବର୍ଷା କାରଣରୁ ସୋମବାର ଦିନ ମଧ୍ୟ ସ୍କୁଲ ଛୁଟି ନିଷ୍ପତ୍ତି ନେଇଥିଲେ କେଜ୍ରିୱାଲ । ଯମୁନା ନଦୀର ଜଳସ୍ତର ଦ୍ରୁତ ଭାବେ ବଢ଼ିବାରେ ଲାଗିଥିବା ବେଳେ ଏହା ବିପଦର ସୀମା ଟପିପାରେ ବୋଲି କେନ୍ଦ୍ରୀୟ ଜଳ ଆୟୋଗ ଆଶଙ୍କା ବ୍ୟକ୍ତ କରିଥିଲେ । ରାଜଧାନୀର ବିଭିନ୍ନ ସ୍ଥାନରେ ପାଣି ଭରି ରହିଥିବା ବେଳେ ସଡ଼କଠାରୁ ଆରମ୍ଭ କରି ଗଳି, ଅଣ୍ଡରପ୍ରାସଗୁଡ଼ିକ ଜଳାର୍ଣ୍ଣବ ହୋଇରହିଥିଲା । ତେଣୁ ଦିଲ୍ଲୀ ସରକାର ସମସ୍ତ ବିଭାଗୀୟ ଅଫିସରଙ୍କ ରବିବାର ଛୁଟି ବାତିଲ କରିଦେଇଥିଲେ । ଦୀର୍ଘ ୪୧ ବର୍ଷ ପରେ ଦିଲ୍ଲୀରେ ବର୍ଷା ରେକର୍ଡ ଭାଙ୍ଗିଥିବାର ଦେଖାଯାଇଥିଲା ।