ରାଜ୍ୟରେ ଦୁର୍ବଳ ରହିଛି ମୌସୁମୀ ବର୍ଷା : ଆସନ୍ତା ୨୪ଘଣ୍ଟା ପାଇଁ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ମୌସୁମୀ ଚାପରେଖାର ପୂର୍ବଭାଗ ତା’ର ସାଧାରଣ ଅବସ୍ଥାନଠାରୁ ଉତ୍ତରରେ ରହୁଥିବାରୁ ରାଜ୍ୟରେ ମୌସୁମୀ ବର୍ଷା ଦୁର୍ବଳ ରହିଛି ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ୧୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

ପାଣିପାଗ କେନ୍ଦ୍ରର ସୂଚନା ମୁତାବକ ଚଳିତ ମୌସୁମୀ ଋତୁରେ ଜୁନ ୧ରୁ ଜୁଲାଇ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକ ଠାରୁ ୨୫ ପ୍ରତିଶତ କମ୍ ବର୍ଷା ହୋଇଛି । ୧ ଜୁନ୍‌ରୁ ଆଜି ୯ ଜୁଲାଇ ମଧ୍ୟରେ ୨୨୦.୭ ମିମି ବର୍ଷା ରେକର୍ଡ କରାଯାଇଛି । ଯାହାକି ସ୍ବାଭାବିକ ବର୍ଷା ୨୯୫ ମିମି ତୁଳନାରେ ୨୫% କମ୍‌ ।

ତେବେ କଳାହାଣ୍ଡିରେ ସବୁଠାରୁ କମ୍ ବର୍ଷା ହୋଇଛି । ଏଠାରେ ସ୍ୱାଭାବିକ ଠାରୁ ୬୫ ପ୍ରତିଶତ କମ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଦେବଗଡରେ ସବୁଠୁ ଅଧିକ ବର୍ଷା ହେଉଛି । ସ୍ୱାଭାବିକ ଠାରୁ ୫୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି । ଅନ୍ୟପଟେ ରାଜ୍ୟର ୧୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିଲା ବେଳେ ୧୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି ।