କୋରାପୁଟର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ବିକାଶ ପାଇଁ ୨୦ କୋଟି ଟଙ୍କା ମଞ୍ଜୁର କଲେ ରାଜ୍ୟ ସରକାର

ଭୁବନେଶ୍ୱର: କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏଥିରେ ପୀଠର ସର୍ବାଙ୍ଗୀନ ଉନ୍ନତି କରାଯାଇ ଏହାକୁ ରାଜ୍ୟର ଅନ୍ୟତମ ପ୍ରମୁଖ ଧାର୍ମିକ ତଥା ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଫାଇଭ୍‍-ଟି ସଚିବ ଭି.କେ.ପାଣ୍ଡିଆନ୍‍ ଗତ ଫେବୃଆରୀ ୩ ତାରିଖରେ କୋରାପୁଟ ଗସ୍ତ କରି ଗୁପ୍ତେଶ୍ୱର ମନ୍ଦିର ପରିଦର୍ଶନ କରିଥିଲେ।

ମନ୍ଦିରର ସେବାୟତ, କମିଟିର ସଦସ୍ୟଗଣ, ଜନପ୍ରତିନିଧି ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ମନ୍ଦିରର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଏକ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ପାଣ୍ଡିଆନ୍‍ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ପ୍ରସ୍ତାବ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ଅର୍ଥ ମଞ୍ଜୁର କରିଛନ୍ତି। ଫାଇଭ୍‍-ଟି ଉପକ୍ରମରେ ଏହି ବିକାଶ କାମ ହାତକୁ ନିଆଯିବ।

ଏହି ପ୍ରକଳ୍ପରେ ମନ୍ଦିରର ମୁଖ୍ୟରାସ୍ତାର ଉନ୍ନତୀକରଣ ଓ ଆଲୋକୀକରଣ, ପାଦଚଲା ରାସ୍ତାରେ ଖଣ୍ଡୋଲାଇଟ୍‍ସ ପଥର ବିଛାଇବା, ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ପାଇଁ ପାନୀୟ ଜଳ ଓ ଶୌଚାଳୟ, ସାବରୀ ନଦୀ କୂଳର ସୌନ୍ଦର୍ଯ୍ୟକରଣ, ଉଠାଦୋକାନୀମାନଙ୍କ ଥଇଥାନ, ସେମାନଙ୍କ ପାଇଁ ନୂତନ ଦୋକାନ ଘର ନିର୍ମାଣ, ଭୂସ୍ଖଳନ ନିରୋଧ ଓ ପାହାଡ଼ ସୁରକ୍ଷା ପାଇଁ ବ୍ୟବସ୍ଥା ସହିତ ବୃକ୍ଷରୋପଣ ମଧ୍ୟ କରାଯିବ। ପ୍ରାକୃତିକ ସୌନ୍ଦର୍ଯ୍ୟରେ କୌଣସି ଆଞ୍ଚ ନ ଆଣି ଫାଇଭ୍‍-ଟି ଉପକ୍ରମରେ ପୀଠର ଉନ୍ନତି କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।