ଦେଶର କେଉଁ ବିଧାୟକଙ୍କ ପାଖରେ କେତେ ଅଛି ସମ୍ପତ୍ତି? କିଏ ଧନୀ କିଏ ଗରିବ?

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କେଉଁ ବିଧାୟକଙ୍କ ପାଖରେ କେତେ ସମ୍ପତ୍ତି ଅଛି ? ଏ ପ୍ରଶ୍ନର ଉତ୍ତର ଅନେକ ଲୋକଙ୍କ ପାଖରେ ନଥିବ । ତେବେ ଏ ନେଇ ଏକ ରିପୋର୍ଟ ଏବେ ହସ୍ତଗତ ହୋଇଛି । ବର୍ତ୍ତମାନ ଦେଶର ସବୁଠାରୁ ଧନୀ ଏବଂ ସବୁଠାରୁ ଗରିବ ବିଧାୟକଙ୍କ ତାଲିକା ପ୍ରକାଶ ପାଇଛି । ଦେଶର ୨୮ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୪,୦୦୧ ବିଧାୟକଙ୍କ ସମ୍ପତ୍ତି ତାଲିକାକୁ ନେଇ ରିପୋର୍ଟ ଦେଇଛି ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମସ(ଏଡିଆର)ା ତେବେ ଆସନ୍ତୁ ଜାଣିବା ବର୍ତ୍ତମାନ ଦେଶର ସବୁଠାରୁ ଧନୀ ଓ ଗରିବ ବିଧାୟକ କିଏ ଏବଂ ସେମାନଙ୍କର ସମ୍ପତ୍ତି କେତେ ।

ତେବେ ଏହି ରିପୋର୍ଟ ଅନୁସାରେ ଦେଶର ସବୁଠାରୁ ଧନୀ ବିଧାୟକଙ୍କ ନାମରେ ରହିଛି ୧୪୦୦ କୋଟି ଟଙ୍କାର ସମ୍ପତ୍ତି । କିନ୍ତୁ ପଶ୍ଚିମବଙ୍ଗର ଜଣେ ବିଧାୟକଙ୍କ ପାଖରେ ୨୦୦୦ ଟଙ୍କା ବି ନଥିବା କୁହାଯାଉଛି । ରିପୋର୍ଟ ଅନୁସାରେ, ମେ’ ମାସରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ଦମଦାର ବିଜୟ ହାସଲ କରିଛି । ଏହାପରେ ଦଳର ଉପମୁଖ୍ୟମନ୍ତ୍ରୀ ପଦରେ ବିଭୂଷିତ ହୋଇଛନ୍ତି ଡି.କେ ଶିବକୁମାର । ବର୍ତ୍ତମାନ ସେ ହେଉଛନ୍ତି ଦେଶର ସବୁଠାରୁ ଧନୀ ବିଧାୟକ, ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୧,୪୧୩ କୋଟି ଟଙ୍କା ରହିଛି । ତାଙ୍କ ପରେ ତାଲିକାର ଦ୍ୱିତୀୟସ୍ଥାନରେ କର୍ଣ୍ଣାଟକର ନିର୍ଦ୍ଦଳୀୟ ବିଧାୟକ କେ.ଏଚ ପୁଟ୍ଟାସ୍ୱାମୀ ଗୌଡା ଥିବା ବେଳେ ତାଙ୍କର ସମ୍ପତ୍ତି ମୂଲ୍ୟ ୧,୨୬୭ କୋଟି ରହିଛି । ଏହାପରେ ତୃତୀୟରେ ୧,୧୫୬ କୋଟି ମୂଲ୍ୟର ସମ୍ପତ୍ତି ସହ କର୍ଣ୍ଣାଟକର କଂଗ୍ରେସ ବିଧାୟକ ପ୍ରିୟା କୃଷ୍ଣା ସ୍ଥାନ ପାଇଛନ୍ତି । ଦେଶର ଧନୀ ବିଧାୟକଙ୍କ ଟପ୍-୧୦ ତାଲିକାରେ ସ୍ଥାନ ପାଇଛନ୍ତି ୪ ଜଣ କଂଗ୍ରେସ ଏବଂ ୩ ବିଜେପି ବିଧାୟକ ସାମିଲ ଅଛନ୍ତି । ତେବେ ଏହି ତାଲିକାର ୨୩ ନମ୍ବରରେ ସ୍ଥାନ ପାଇଛନ୍ତି ଜନାର୍ଦ୍ଦନ ରେଡ୍ଡୀ । ଭାରତୀୟ ଜନତା ପାର୍ଟିରୁ କଂଗ୍ରେସରେ ପାଦ ଥାପିତିବା ଜନାର୍ଦ୍ଦନଙ୍କର ଅଧିକାଂଶ ସମ୍ପତ୍ତି ତାଙ୍କ ପତ୍ନୀ ଅରୁଣା ଲକ୍ଷ୍ମୀଙ୍କ ନାମରେ ରହିଥିବା ଜାଣିବାକୁ ମିଳିଛି ।

ଏଡିଆରର ଏହି ରିପୋର୍ଟ ଅନୁସାରେ ଭାରତର ସବୁଠାରୁ ଗରିବ ବିଧାୟକଙ୍କ ନାମ ହେଉଛି ନିର୍ମଳ କୁମାର । ପଶ୍ଚିମବଙ୍ଗର ବିଜେପି ବିଧାୟକ ନିର୍ମଳଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ମାତ୍ର ୧,୭୦୦ ଟଙ୍କା ରହିଛି । ତାଙ୍କ ପରେ ଓଡ଼ିଶାର ନିର୍ଦ୍ଦଳୀୟ ବିଧାୟକ ମକରନ୍ଦ ମୁଦୁଲି ଥିବା ବେଳେ ତାଙ୍କର ସମ୍ପତ୍ତିର ମୂଲ୍ୟ ରହିଛି ୧୫ ହଜାର ଟଙ୍କା । ପଞ୍ଜାବର ଆପ୍ ବିଧାୟକ ନରିନ୍ଦର ପାଲ ସିଂହ ସାବନାଙ୍କ ସମ୍ପତ୍ତିର ମୂଲ୍ୟ ୧୮,୩୭୦ ଟଙ୍କା ହୋଇଥିବାରୁ ସେ ମଧ୍ୟ ଦେଶର ଗରିବ ବିଧାୟକଙ୍କ ତାଲିକାରେ ନିଜ ନାମକୁ ସାମିଲ କରିଛନ୍ତି ।

ଦେଶର ୨୦ ସବୁଠାରୁ ଧନୀ ବିଧାୟକ ତାଲିକାରେ କର୍ଣ୍ଣାଟକର ସର୍ବାଧିକ ୧୨ ଜଣ ସାମିଲ ରହିଛନ୍ତି । ଏମାନଙ୍କ ମଧ୍ୟରେ ୧୪% ବିଧାୟକଙ୍କ ସମ୍ପତ୍ତିର ମୂଲ୍ୟ ୧୦୦ କୋଟିରୁ ଅଧିକ ରହିଛି । ସୂଚୀରେ ଦ୍ୱିତୀୟ ସ୍ଥାନରେ ଅରୁଣାଚଳ ପ୍ରଦେଶ ରହିଛି । ଏହି ରାଜ୍ୟର ୫୯ ବିଧାୟକଙ୍କ ମଧ୍ୟରୁ ୪ ଜଣ ବିଧାୟକ ଆରବପତିଙ୍କ ତାଲିକାରେ ସାମିଲ ରହିଛନ୍ତି ।