fbpx

ବିଶ୍ୱର ଗୋଟିଏ ଦେଶର ଅବସ୍ଥା ଅସମ୍ଭାଳ! ବ୍ୟାଙ୍କରୁ ଜମା ଟଙ୍କା କାଢ଼ିବା ମନା, ଲୋକଙ୍କ ପାଖରେ ଖାଇବା ଓ ପିଇବାକୁ ନାହିଁ ଅର୍ଥ

ନୂଆଦିଲ୍ଲୀ: ମଧ୍ୟ-ପୂର୍ବ ଦେଶ ଲେବାନନ ବିଶ୍ୱର ସବୁଠାରୁ ଖରାପ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛି । ଦେଶର କେନ୍ଦ୍ରୀୟ ବ୍ୟାଙ୍କର ଗଭର୍ଣ୍ଣର ରିୟାଦ ସଲାମେହ ୩୦ ବର୍ଷ ପରେ ନିଜର ପଦ ଛାଡ଼ିବାକୁ ଯାଉଛନ୍ତି । ଯେ କୌଣସି ପରିସ୍ଥିତିରେ ଭୁଶୁଡ଼ିବାର ଆଶଙ୍କା ରହିଥିବା ଏକ ଅର୍ଥବ୍ୟବସ୍ଥାକୁ ପଛରେ ଛାଡ଼ି ଯାଉଛନ୍ତି ସଲାମେହ । ଦେଶର ପ୍ରତି ୧୦ରୁ ୯ଟି ପରିବାରଙ୍କ ପାଖରେ ଖାଇବା, ପିଇବା ପାଇଁ ଅର୍ଥ ନାହିଁ ।

ତେବେ ଗୋଟିଏ ପଟେ ଲୋକଙ୍କ ପାଖରେ ଅର୍ଥ ନଥିବା ବେଳେ ଅନ୍ୟପଟେ ବ୍ୟାଙ୍କ ଗ୍ରାହକଙ୍କୁ ସେମାନଙ୍କର ଜମା ଅର୍ଥ କାଢ଼ିବାକୁ ଅନୁମତି ଦେଉନାହିଁ । ତେଣୁ ଏଭଳି ସ୍ଥିତିରେ କ୍ରୋଧର ବଶବର୍ତ୍ତୀ ହୋଇ ଲୋକମାନେ ବ୍ୟାଙ୍କରୁ ଚୋରି କରିବାକୁ ବାଧ୍ୟ ହେଉଛନ୍ତି । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଜଣେ ବ୍ୟକ୍ତି ଏସିଡ୍ ବୋତଲ ନେଇ ଦେଶର କୌଣସି ଏକ ବ୍ୟାଙ୍କ କର୍ମଚାରୀଙ୍କୁ ଧମକ ଦେଉଥିଲେ । ତାଙ୍କୁ ତାଙ୍କର ଟଙ୍କା ନ ଫେରାଇଲେ ସେ ଏସିଡ୍ ଫିଙ୍ଗିଦେବେ ବୋଲି ବ୍ୟକ୍ତି ଜଣଙ୍କ ବ୍ୟାଙ୍କ କର୍ମଚାରୀଙ୍କୁ କହୁଥିବା ଦେଖାଯାଇଥିଲା ।

ଯେବେଠାରୁ ଲେବାନନ ଗମ୍ଭୀର ଆର୍ଥିକ ସଙ୍କଟ ଦେଇ ଗତି କରୁଛି, ସେବେଠାରୁ ଲୋକମାନେ ବ୍ୟାଙ୍କରୁ ନିଜର ଜମା ଅର୍ଥ ଉଠାଇ ପାରୁନାହାନ୍ତି । ଜରୁରୀ ସ୍ଥିତିରେ ମଧ୍ୟ ନିଜର ଅର୍ଥ କାଢ଼ିବାକୁ ବ୍ୟାଙ୍କ ଅନୁମତି ଦେଉନାହିଁ । ଏପରିକି ବ୍ୟାଙ୍କରେ ଯେଉଁ ପରିମାଣର ଅର୍ଥ ଜମା କରାଯାଇଥିଲା, ତା’ର ୮୦ ପ୍ରତିଶତ ହ୍ରାସ ପାଇଥିବା ଏସିଡ୍ ଧମକ ଦେଉଥିବା ବ୍ୟକ୍ତି ଜଣଙ୍କ କହିଛନ୍ତି । ଦେଶର ଅର୍ଥବ୍ୟବସ୍ଥା ଦୁର୍ବଳ ହେବା ଫଳରେ ଲେବାନନର ମୁଦ୍ରାର ମୂଲ୍ୟରେ ବହୁତ ହ୍ରାସ ଘଟିଛି । ଦେଶର ପାଖାପାଖି ପ୍ରତ୍ୟେକ ଲୋକଙ୍କର ଅବସ୍ଥା ଏଭଳି ରହିଛି । ତେବେ ଦେଶର ଏହି ଦୁଃସ୍ଥିତି ପାଇଁ ସଲାମେହ ଓ ରାଜନେତାମାନେ ଦାୟୀ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ଦେଶର ଏଭଳି ଦୁର୍ଦ୍ଦଶା ପାଇଁ ସେ ଦାୟୀ ନୁହନ୍ତି ବୋଲି ସାକ୍ଷାତକାରରେ କହିଛନ୍ତି ସଲାମେହ ।

Get real time updates directly on you device, subscribe now.