fbpx

୧୦୦ଟି ସର୍ବକାଳୀନ ଶ୍ରେଷ୍ଠ ଓଡ଼ିଆ ଗଳ୍ପକୁ ବିଦେଶୀ ଭାଷାରେ ଅନୁବାଦ କରାଯିବ: ସଂସ୍କୃତି ବିଭାଗର ବଡ଼ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟକୁ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି କ୍ଷେତ୍ରରେ ଆଗକୁ ନେବା ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସ କରୁଛନ୍ତି । ରାଜ୍ୟର କୃଷକଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ କୃଷି ସାମଗ୍ରୀକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ସେହିପରି ଓଡ଼ିଆ ଭାଷାକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ବିଦେଶରେ ଜନ୍ମଲାଭ କରିଥିବା ବା ରହୁଥିବା ଓଡ଼ିଆ ପିଲାଙ୍କ ପାଇଁ ନୂଆ ପାଠ୍ୟକ୍ରମ ଆରମ୍ଭ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ ।

ତେବେ ଏହା ମଧ୍ୟରେ ରାଜ୍ୟ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପୁଣି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମୃଦ୍ଧ କରିବା ସହିତ ପ୍ରଚାର, ପ୍ରସାର କରିବା ପାଇଁ ୧୦୦ଟି ଉଚ୍ଚକୋଟୀର ଓ ସର୍ବକାଳୀନ ଶ୍ରେଷ୍ଠ ଓଡ଼ିଆ ଗଳ୍ପକୁ ଅନୁବାଦ କରାଯିବ । ଫଳରେ ବିଦେଶୀମାନେ ଓଡ଼ିଆ ସାହିତ୍ୟକୁ ସେମାନଙ୍କ ଭାଷାରେ ସହଜରେ ପଢ଼ି ପାରିବେ । ଓଡ଼ିଆ ଗଳ୍ପକୁ ଇଂରାଜୀ, ସ୍ପାନିସ, ଫ୍ରେଞ୍ଚ, ଜର୍ମାନୀ, ଜାପାନୀ ଭାଷାରେ ଅନୁବାଦ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଛି ।

ଇଚ୍ଛୁକ ସଂସ୍ଥା, ସଂଗଠନ, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଅଗଷ୍ଟ ମାସ ୭ ତାରିଖ ଅପରାହ୍ଣ ୫ଟା ସୁଦ୍ଧା ବିଭାଗୀୟ ନିର୍ଦ୍ଦେଶକଙ୍କ ଠିକଣାରେ ଆବେଦନ କରିପାରିବେ । ଏଥିପାଇଁ ସେମାନଙ୍କୁ ଅନୁବାଦ କ୍ଷେତ୍ରରେ ଥିବା ଅଭିଜ୍ଞତା ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ । ଆଶାୟୀମାନେ ଏ ସମ୍ପର୍କିତ ଅଧିକ ତଥ୍ୟ ପାଇବା ପାଇଁ ବିଭାଗୀୟ ୱେବସାଇଟକୁ ପରିଦର୍ଶନ କରିପାରିବେ । ଏଥିପାଇଁ ନାମ, ଠିକଣା, ଫୋନ ନମ୍ବର, ଇ-ମେଲ ଦେବାକୁ ପଡ଼ିବ । ଯଦି କୌଣସି କାରଣ ନ ଦର୍ଶାଇ କେହି ଆବେଦନ କରିଥିବେ ତେବେ ତାଙ୍କର ଦରଖାସ୍ତକୁ ନାକଚ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।

Get real time updates directly on you device, subscribe now.