fbpx

ଚଳନ୍ତା ଟ୍ରେନରେ ଆଖିବୁଜା ଗୁଳିମାଡ଼: ଜଣେ ASIଙ୍କ ସମେତ ୪ ଜଣଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରର ପାଲଘର ଠାରେ ଜୟପୁର ଏକ୍ସପ୍ରେସ ଟ୍ରେନରେ ଆଖିବୁଜା ଗୁଳି ବିନିମୟ ହେବାର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଗୁଳି ବିନିମୟରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବରଣ କରିଥିବା ଚାରି ଜଣଙ୍କ ମଧ୍ୟରେ ଜଣେ ASI ଏବଂ ୩ ଯାତ୍ରୀ ଅଛନ୍ତି। ତେବେ ଗୁଳି ବିନିମୟର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି। ଆଜି ସକାଳ ପ୍ରାୟ ୫ ଟାରେ ଏହି ଘଟଣା ଘଟିଛି। ପାଲଘର ଏବଂ ମୁମ୍ବାଇ ମଧ୍ୟରେ ଥିବା ଦହିସରରେ ଏହି ଗୁଳି ବିନିମୟ ହୋଇଛି। ଗୁଳି ଚଳାଇଥିବା ପୋଲିସ କନଷ୍ଟେବଳ ମୀରା ରୋଡ ନିକଟରେ ଧରାପଡିଛନ୍ତି। କୁହାଯାଉଛି ଯେ, କନଷ୍ଟେବଳ ମାନସିକ ଚାପରେ ପୀଡିତ ଥିଲେ।

ପଶ୍ଚିମ ରେଳବାଇ ଏହାର ବିବୃତ୍ତିରେ କହିଛି, “ପାଲଘର ଷ୍ଟେସନ ପାର ହେବା ପରେ ଚଳନ୍ତା ଜୟପୁର ଏକ୍ସପ୍ରେସ ଟ୍ରେନ ଭିତରେ ଜଣେ ଆରପିଏଫ କନଷ୍ଟେବଳ ଗୁଳି ଚଳାଇଥିଲା। ସେ ଏକ ଆରପିଏଫ ଏଏସଆଇ ଏବଂ ଅନ୍ୟ ତିନି ଜଣ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କରିଥିଲେ। ପରେ ସେ ଦହିସର ଷ୍ଟେସନ ନିକଟରେ ଟ୍ରେନରୁ ବାହାରକୁ ଡେଇଁ ପଡ଼ିଥିଲେ। ବର୍ତ୍ତମାନ ବନ୍ଧୁକ ସହିତ କନଷ୍ଟେବଳଙ୍କୁ ଗିରଫ କରାଯାଇଛି। ”

ସୂଚନା ଅନୁଯାୟୀ, ଜୟପୁର-ମୁମ୍ବାଇ ସେଣ୍ଟ୍ରାଲ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନର ନମ୍ବର ୧୨୯୫୬ ର B5 କୋଚରେ ସକାଳ ୫.୨୩ ରେ ଗୁଳି ବିନିମୟ ହୋଇଥିଲା। ଏହି ଟ୍ରେନ୍ ୨ଟାରେ ଜୟପୁର ଜଙ୍କସନରୁ ବାହାରି ୦୬.୫୫ ରେ ମୁମ୍ବାଇ ସେଣ୍ଟ୍ରାଲରେ ପହଞ୍ଚେ। ଦୁର୍ଘଟଣାରେ ପ୍ରାଣ ହରାଇଥିବା ASI ର ନାମ ହେଉଛି ତିଲକ ରାମ।

Get real time updates directly on you device, subscribe now.