fbpx

ଟମାଟୋ ପରେ ବଢିଲା ପିଆଜ ଦର: ଭାଙ୍ଗିଲା ୮ ମାସର ରେକର୍ଡ

ନୂଆଦିଲ୍ଲୀ, : ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି ଖାଉଟିମାନଙ୍କୁ ଅତିଷ୍ଠ କରି ପକାଇଲାଣି । ଗତ କିଛିଦିନ ହେବ ଟମାଟୋର ବେଲଗାମ ଦରକୁ ନେଇ ଖାଉଟି ଚିନ୍ତାରେ ପଡ଼ିଥିବାବେଳେ ଏବେ ପୁଣି ରୋଷେଇ ଘରେ ଜରୁରି ଆବଶ୍ୟକ ହେଉଥିବା ପିଆଜ ଦରରେ ବୃଦ୍ଧି ଘଟିଛି । ଦେଶର ସବୁଠୁ ବଡ଼ ପିଆଜ ମଣ୍ଡିରେ ଏହି ଦରବୃଦ୍ଧି ଘଟିଥିବାରୁ ଖୁଚୁରା ବଜାରରେ ମଧ୍ୟ ଦରବୃଦ୍ଧି ହୋଇଛି । ପିଆଜ କ୍ୱିଣ୍ଟାଲ ପିଛା ୭ଶହ ଟଙ୍କା ବୃଦ୍ଧି ପାଇଛି । ଏହା ଗତ ୮ ମାସର ରେକର୍ଡକୁ ଭାଙ୍ଗି ଦେଇଛି ।

ଦେଶର ସର୍ବବୃହତ ହୋଲସେଲ୍ ପିଆଜ ବଜାର ମହାରାଷ୍ଟ୍ର ନାସିକ୍ର ଲାସାଲଙ୍ଗରେ ହୋଲସେଲ ମୂଲ୍ୟ ଗୋଟିଏ ସପ୍ତାହରେ ୪୮ ପ୍ରତିଶତ ବୃଦ୍ଧି ପାଇଛି । ଗତ ୪ ତାରିଖରେ ପିଆଜ କ୍ୱିଣ୍ଟାଲ ପିଛା ଏଠାରେ ୧୫୫୦ ଟଙ୍କା ରହିଥିବାବେଳେ ୧୧ ତାରିଖରେ ଏହା ୨୩୦୦ ଟଙ୍କାକୁ ବୃଦ୍ଧି ପାଇଥିବା ସୂଚନା ମିଳିଛି । ଗତବର୍ଷ ଡିସେମ୍ବରରେ ପିଆଜ ଦର ସର୍ବାଧିକ ରହିଥିଲା । ଏହାପରଠାରୁ ଦରବୃଦ୍ଧି ପାଇ ନଥିଲା । ସେତେବେଳେ କ୍ୱିଣ୍ଟାଲ ପିଛା ପିଆଜ ଦର ୨୩୧୧ଟଙ୍କା ରହିଥିଲା ।

ତେବେ ଆମଦାନି ହ୍ରାସ କାରଣରୁ ଦରବୃଦ୍ଧି ଘଟିଥିବା ବ୍ୟବସାୟୀମାନେ କହିଛନ୍ତି । ବର୍ତ୍ତମାନ ଚାଷୀମାନେ ଖରିଫ ଚାଷରେ ମାତିଥିବାରୁ ପିଆଜ ଅମଳ କମିଯାଇଛି । ଲାସାଲଙ୍ଗରେ ପୂର୍ବରୁ ୨୦ହଜାରରୁ ୨୫ହଜାର କ୍ୱିଣ୍ଟାଲ ପିଆଜ ଆମଦାନି ହେଉଥିବାବେଳେ ଏବେ ଏହା ୧୫ହଜାର କ୍ୱିଣ୍ଟାଲକୁ ହ୍ରାସ ପାଇଛି । ଅନ୍ୟପକ୍ଷରେ ବାଂଲାଦେଶରୁ ରପ୍ତାନୀ ଚାହିଦା ମଧ୍ୟ ବୃଦ୍ଧି ପାଇଛି ।

ଅପରପକ୍ଷରେ ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକରେ ନୂଆ ପିଆଜ ଅମଳ ପାଇଁ ମାସେ ବିଳମ୍ବ ହୋଇଛି । ଅହମ୍ମଦନଗରରେ ଯୋଗାଣ ମଧ୍ୟ ହ୍ରାସ ପାଇଛି । ବର୍ଷା କାରଣରୁ କର୍ଣ୍ଣାଟକ ଓ ଆନ୍ଧ୍ରରେ ପିଆଜ ଉତ୍ପାଦନ ଆବଶ୍ୟକ ମୁତାବକ ହୋଇପାରି ନାହିଁ । ତେଣୁ ପିଆଜର ଦରବୃଦ୍ଧି ଘଟୁଥିବା କୁହାଯାଉଛି ।

Get real time updates directly on you device, subscribe now.