fbpx

ରାଜ୍ୟର ପ୍ରଥମ ପ୍ରାକୃତିକ ଗ୍ୟାସ୍‍ ଆଧାରିତ ଶବଦାହ ଗୃହକୁ ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଭୁବନେଶ୍ୱର ଖଣ୍ଡଗିରିଠାରେ ରାଜ୍ୟର ପ୍ରଥମ ପ୍ରାକୃତିକ ଗ୍ୟାସ ଆଧାରିତ ‘ଶବଦାହ ଗୃହ’କୁ ଆଜି କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପଣ କରିଛନ୍ତି । ଖଣ୍ଡଗିରି ଅଂଚଳରେ ଧର୍ମବିହାରଠାରେ ତୈଳ କମ୍ପାନୀ- ଗେଲ ଇଣ୍ଡିଆର ସାମାଜିକ ଦାୟିତ୍ୱବୋଧ ପାଣ୍ଠି ଅଧୀନରେ ଏହି ‘ଶବଦାହ ଗୃହ’ ତିଆରି କରାଯାଇଛି । ଗେଲ୍ ଇଣ୍ଡିଆ ଓ ଭୁବନେଶ୍ୱର ମହାନଗର ନିଗମ – ବିଏମସିର ସହଭାଗୀତାରେ ଏହି ଶ୍ମଶାନଘାଟ ଉଦଘାଟିତ ହୋଇଥିବାବେଳେ ଆଉ ଦୁଇଟି ଆଇଗିଣିଆ ଓ କଟକର ଖାନନଗରଠାରେ ଶ୍ମଶାନାଗାର ନିର୍ମାଣ କରାଯାଉଛି ।

ଏଥିପାଇଁ ମୋଟ ୧୬ କୋଟି ୩୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଖୁବ ଶୀଘ୍ର ଏହି ଦୁଇ ଶବଦାହ ଗୃହ କାର୍ଯ୍ୟ କରିବ ଏବଂ କଟକଭୁବନେଶ୍ୱରରେ ଶବଦାହ ପାଇଁ ଯେଉଁ ଅସୁବିଧା ପରିଲକ୍ଷିତ ହେଉଛି, ତାହା କେତେକାଂଶରେ ଦୂର ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ପରିବେଶକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ନୂଆ ଅତ୍ୟାଧୁନିକ ଶବଦାହ ନିର୍ମାଣ କରାଯାଇଥିବାରୁ ଗେଲ୍ ଇଣ୍ଡିଆକୁ ସେ ଧନ୍ୟବାଦ ଜଣାଇଛନ୍ତି ।

କେନ୍ଦ୍ର ସରକାରଙ୍କ ‘ପୂର୍ବୋଦୟ’ କଳ୍ପନାରେ ଓଡ଼ିଶା ସମେତ ପୂର୍ବ ଭାରତରେ ତୈଳ ଓ ଗ୍ୟାସ ଭିତ୍ତିଭୂମିକୁ ମଜଭୂତ କରାଯାଇ ପାରିଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସେ କହିଛନ୍ତି, ବିଗତ ୯ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀ କ୍ରମେ ଓଡ଼ିଶାରେ ୨ ଲକ୍ଷ ୩ ହଜାର ୪୭୨ କୋଟି ଟଙ୍କାର ପେଟ୍ରୋଲିୟମ, ପେଟ୍ରୋ କେମିକାଲ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି । କଟକ ଓ ଭୁବନେଶ୍ୱରରେ ପ୍ରାୟ ୫୦ ହଜାର ଘରକୁ ପାଇପ୍‍ ଯୋଗେ ରନ୍ଧନଗ୍ୟାସ୍‍ ଯୋଗାଇ ଦିଆଯାଉଛି ।

ସେ ଆହୁରି କହିଛନ୍ତି, କେନ୍ଦ୍ର ସରକାର ସହରାଞ୍ଚଳର ବିକାଶ ନିମନ୍ତେ ସହରକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ବିଦ୍ୟୁତଚାଳିତ ଯାନ, ଏବଂ ସିଏନଜି ଚାଳିତ ଗାଡି ଉପରେ ଧ୍ୟାନ ଦେଉଛନ୍ତି । ସ୍ମାର୍ଟ ସିଟି ଭୁବନେଶ୍ୱର ସମେତ ସବୁ ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ଆମ ସମସ୍ତଙ୍କର ଦାୟିତ୍ୱ ଏବଂ ଏହାକୁ ଆମେ ସମସ୍ତେ ଜନଆନ୍ଦୋଳନରେ ପରିଣତ କରିବା ଦରକାର ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

Get real time updates directly on you device, subscribe now.