fbpx

ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ବିଚାରାଧୀନ କଏଦୀ ପାଇଁ ବ୍ୟବହାର ହେବ GPS ଟ୍ରାକିଂ ଡିଭାଇସ୍: ଘରେ ରହିବେ କଏଦୀ, ପୋଲିସଙ୍କୁ ମିଳିବ ଆଲର୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ଜେଲରେ ଥିବା ବିଚାରାଧୀନ କଏଦୀଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । କଏଦୀମାନେ ଯେପରି ମାନସିକ ବିକାରଗ୍ରସ୍ତ ହେବେ ନାହିଁ ସେଥିପାଇଁ କଏଦୀଙ୍କ ମନୋରଞ୍ଜନ ପାଇଁ ଜେଲରେ ରେଡିଓ ଷ୍ଟେସନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲା । ସେହିପରି ଅପାଠୁଆ କଏଦୀଙ୍କୁ ଶିକ୍ଷିତ କରାଇବା ପାଇଁ ମଧ୍ୟ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ ।

ତେବେ ଏହା ମଧ୍ୟରେ ରାଜ୍ୟ ସରକାରଙ୍କ ପୁଣି ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଚୋରି, ଲୁଟ ଭଳି ବିଭିନ୍ନ ଅପରାଧ ଘଟାଇ ଜେଲ ଯିବା ପରେ ଜାମିନରେ ଆସି ପୁଣି କିଛି ଅପରାଧୀ ଏପରି କୁକାର୍ଯ୍ୟରେ ସଂଶ୍ଲିଷ୍ଟ ରହୁଥିବା ଦେଖାଯାଉଛି । ଏପରି ପେଶାଦାର ବିଚାରାଧୀନ କଏଦୀଙ୍କୁ ଜେଲରେ ରଖିବା ଫଳରେ ସେମାନଙ୍କ ପିଛା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ତେଣୁ ସେମାନଙ୍କ ଉପରେ ନଜର ରଖିବା ପାଇଁ ରାଜ୍ୟ ସରକାର ଏକ ନୂଆ ପରିକଳ୍ପନା କରିଛନ୍ତି ।

ସୂଚନା ମୁତାବକ, ବିଚାରାଧୀନ କଏଦୀଙ୍କ ପାଇଁ ଜିପିଏସ-ସକ୍ଷମ ଟ୍ରାକିଂ ଡିଭାଇସ୍ ବ୍ୟବହାର କରାଯିବ । ଏହା ବ୍ୟବହାର କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହେବ । ଏପରି କଏଦୀମାନେ ଜେଲ ବଦଳରେ ନିଜ ଘରେ ରହିବେ । ଏଥିସହିତ ଅନୁମତି ପ୍ରାପ୍ତ ପରିଧି ମଧ୍ୟରେ ଯାତାୟତ କରିବେ । ଏକ ଜିପିଏସ ଚିପ୍ ଜରିଆରେ ସେମାନଙ୍କୁ ଟ୍ରାକିଂ କରାଯିବ । ଉକ୍ତ ଜିପିଏସକୁ ଭାଙ୍ଗିଲେ ବା ଟାମ୍ପରିଂ କଲେ ଆଲର୍ଟ ମାଧ୍ୟମର ପୋଲିସ ନିକଟରେ ତା’ର ସୂଚନା ପହଞ୍ଚି ପାରିବ ।

ଯେଉଁ ଅପରାଧୀ ଜାମିନ ପାଇଁ ଆବେଦନ କରିବେ ସେମାନଙ୍କୁ ସର୍ତ୍ତ ସହ ଟ୍ରାକିଂ ମେସିନ ପାଇଁ କୋର୍ଟ ନିର୍ଦ୍ଦେଶ ଦେବେ । ଜାମିନ ପାଇବା ପାଇଁ ଟ୍ରାକିଂ ଉପକରଣ ବାଧ୍ୟତାମୂଳକ କରାଯିବ । ଏହାଫଳରେ ଜାମିନରେ ଆସିଲେ ବି ଅପରାଧୀମାନେ ଆଉ ରାଜ୍ୟ ବା ଦେଶ ବାହାରକୁ ଖସି ଯାଇ ପାରିବେ ନାହିଁ । ଜେଲ ବିଭାଗ ପକ୍ଷରୁ ସଂସଦୀୟ ବ୍ୟାପାର କମିଟିକୁ ଏ ସଂକ୍ରାନ୍ତୀୟ ପ୍ରସ୍ତାବ ଦିଆଯାଇଥିବା ବେଳେ ଏନେଇ କମିଟି ସହମତି ପ୍ରକାଶ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.