ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାଠାରେ ଅନୁଷ୍ଠିତ ଭାରତ-ଆସିଆନ୍ ଶିଖର ବୈଠକରେ ଯୋଗଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି, ଏକବିଂଶ ଶତାବ୍ଦୀ ହେଉଛି ଏସିଆର ଶତାବ୍ଦୀ । ପ୍ରଧାନମନ୍ତ୍ରୀ ଆତଙ୍କବାଦ ଓ ସାଇବର ଅପରାଧର ମିଳିତଭାବେ ମୁକାବିଲା କରିବା ପାଇଁ ଏହି ଅବସରରେ ଆହ୍ୱାନ ଦେଇଛନ୍ତି । ଏହା ସହ ପ୍ରାକୃତି ଦୁର୍ବିପାକ ପରିଚାଳନା ଓ ସାମୁଦ୍ରିକ ସୁରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ମିଳିମିଶି କାର୍ଯ୍ୟ କରିବାକୁ କହିଛନ୍ତି ।
ଶ୍ରୀ ମୋଦୀ କହିଛନ୍ତି, ଭାରତ-ଆସିଆନ୍ ଭାଗିଦାରୀ ଚତୁର୍ଥ ଦଶନ୍ଧିରେ ପଦାର୍ପଣ କରିଛି । ‘ବସୁଧୈବ କୁଟୁମ୍ବକମ୍– ଏକ ବିଶ୍ୱ, ଏକ ପରିବାର, ଏକ ଭବିଷ୍ୟତ’ର ଆଭିମୁଖ୍ୟ ଚଳିତ ବର୍ଷ ଜି-୨୦ର ମୁଖ୍ୟବିନ୍ଦୁ ରହିଛି । ଏହି ଅବସରରେ ସେ ଭାରତ-ଆସିଆନ୍ ସହଯୋଗକୁ ସୁଦୃଢ଼ କରିବା ପାଇଁ ବାରସୂତ୍ରୀ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ସେ ବହୁମୁଖୀ ଯୋଗାଯୋଗ ବ୍ୟବସ୍ଥା ଓ ଅର୍ଥନୈତିକ କରିଡର ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି । ଏହା ସହ ପ୍ରଧାନମନ୍ତ୍ରୀ ଭାରତ- ଆସିଆନ୍ ଡିଜିଟାଲ ଫ୍ୟୁଚର୍ ଫଣ୍ଡର ଘୋଷଣା କରିଛନ୍ତି ।
ଅନ୍ୟପଟେ ନୂଆଦିଲ୍ଲୀରେ ଅଷ୍ଟାଦଶ ଜି-୨୦ ଶିଖର ବୈଠକ ଆସନ୍ତା ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ବିଶ୍ୱ ନେତାମାନେ ନୂଆଦିଲ୍ଲୀରେ ପହଞ୍ଚିବା ଆରମ୍ଭ କରିଛନ୍ତି । ମରିସସ୍ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ ଜଗନ୍ନାଥ ଓ ନାଇଜେରିଆ ରାଷ୍ଟ୍ରପତି ବୋଲା ଅହମ୍ମଦ ତିନୁଗୁ ନୂଆଦିଲ୍ଲୀରେ ଆସି ପହଞ୍ଚିଛନ୍ତି । ଆଜି ଅନେକ ଦେଶର ସରକାରୀ ମୁଖ୍ୟ ଓ ରାଷ୍ଟ୍ରମୁଖ୍ୟ ମାନେ ମଧ୍ୟ ଆସି ଦିଲ୍ଲୀରେ ପହଁଞ୍ôଚବେ ବାଲି ଜଣାପଡ଼ିଛି । ଇତିମଧ୍ୟରେ ବିଶ୍ୱ ନେତାମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ ପାଇଁ ରାଜଧାନୀ ଦିଲ୍ଲୀରେ ସମସ୍ତ ପ୍ରସ୍ତୁତି ସମ୍ପନ୍ନ ହୋଇଛି । ଅଷ୍ଟାଦଶ ଜି-୨୦ ଶିଖର ବୈଠକକୁ ଐତିହାସିକ ଓ ସଫଳ କରିବା ପାଇଁ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ନିଆଯାଉଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।