ନୂଆଦିଲ୍ଲୀ: ଭାରତ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ସେପ୍ଟେମ୍ବର ୯-୧୦ରେ ଆୟୋଜିତ ହେବାକୁ ଯାଉଛି ଜି-୨୦ ଶିଖର ସମ୍ମିଳନୀ । ଏହି ଅବସରରେ ବିଶ୍ୱର ବହୁ ବଡ଼ ବଡ଼ ଦେଶର ରାଷ୍ଟ୍ରମୁଖ୍ୟମାନେ ଭାରତମୁହାଁ ହୋଇଛନ୍ତି । ତେଣୁ ବିଦେଶୀ ଅତିଥିଙ୍କ ଖାଇବା, ରହିବା ପାଇଁ ସ୍ୱତନ୍ତ୍ର ତାରକା ହୋଟେଲରେ ବ୍ୟବସ୍ଥା କରାଯିବା ସହିତ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ଅତିଥିଙ୍କର ସ୍ୱାଗତ, ସମ୍ବର୍ଦ୍ଧନାରେ ଦେଶର ରାଜଧାନୀ କମ୍ପି ଉଠୁଛି ।
ତେବେ ଏହା ମଧ୍ୟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଏକ ସାକ୍ଷାତକାରର ବୟାନ ସାମ୍ନାକୁ ଆସିଛି । ଏହି ଅବସରରେ ସେ ଋଷ-ୟୁକ୍ରେନ ଯୁଦ୍ଧ, ଜି-୨୦ ଅଧ୍ୟକ୍ଷତା, ଚୀନ ସୀମା ବିବାଦ, ଚୀନ ରାଷ୍ଟ୍ରପତି ଶି’ ଜିନପିଙ୍ଗ ଭାରତ ନ ଆସିବା ଆଦି ବିଭିନ୍ନ ପ୍ରସଙ୍ଗରେ ନିଜର ମତାମତ ଦେଇଛନ୍ତି । ଋଷ-ୟୁକ୍ରେନ ଯୁଦ୍ଧରେ ଭାରତର ଭୂମିକାକୁ ଉଚିତ ବୋଲି ମନମୋହନ କହିଛନ୍ତି ।
ଭାରତର ବିଶ୍ୱଶାନ୍ତି ପାଇଁ ଅପିଲ କରିବା ସହିତ ନିଜର ଆର୍ଥିକ ହିତକୁ ପ୍ରାଥମିକତା ଦେଇ ବିଲକୁଲ ଠିକ୍ କରିଛି ବୋଲି ମନମୋହନ କହିଥିଲେ । ଏଥିସହିତ ଭାରତର ଅଧ୍ୟକ୍ଷତାରେ ଜି-୨୦ ଆୟୋଜିତ ହେଉଥିବାରୁ ସେଥିପାଇଁ ସେ ବହୁତ ଖୁସି ବୋଲି କହିଥିଲେ । ଭାରତର ଭବିଷ୍ୟତକୁ ନେଇ ସେ ଚିନ୍ତାବ୍ୟକ୍ତ କରିବା ଅପେକ୍ଷା ଅଧିକ ଆଶାବାଦୀ ରହିଛନ୍ତି । ପୂର୍ବାପେକ୍ଷା ବର୍ତ୍ତମାନ ସମୟରେ ବିଦେଶ ନୀତି ଘରୋଇ ରାଜନୀତି ପାଇଁ ଅଧିକ ପ୍ରାସଙ୍ଗିକ ଓ ମହତ୍ତ୍ୱପୂର୍ଣ୍ଣ ହୋଇଯାଇଛି । କୌଣସି ଦଳ ବା ବ୍ୟକ୍ତିଗତ ରାଜନୀତି ପାଇଁ କୂଟନୀତି ଓ ବିଦେଶ ନୀତିର ପ୍ରୟୋଗ କ୍ଷେତ୍ରରେ ସଂଯମତା ରକ୍ଷା କରାଯିବା ଜରୁରୀ । ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଚାଲିଥିବା କାରଣରୁ ଜିନପିଙ୍ଗ ଭାରତ ଆସିବାକୁ ଉଚିତ ମଣିନଥିଲେ । ଦୁଇ ଦେଶ ମଧ୍ୟରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ପିଏମ୍ ମୋଦୀ ସମସ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ମନମୋହନ କହିଥିଲେ ।